ସୁନାଚେନ୍ ଝାମ୍ପି ନେଲା ଲୁଟେରା, ସିସି କ୍ୟାମେରାରେ ଲୁଟ୍‌ ଦୃଶ୍ୟ କଏଦ

ଧର୍ମଶାଳା : ଧର୍ମଶାଳା ଥାନା ଅନ୍ତର୍ଗତ ନାକପୋଲ ସାରୋଇ ହାଇଲେଭଲ୍ କେନାଲ୍ ରାସ୍ତାର ବ୍ରାହ୍ମଣଦା (ଭାତୁରିପଶି) ଗ୍ରାମ ନିକଟରେ ସୋମବାର ଅପରାହ୍‌ଣରେ ଜଣେ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଛି ଦୁର୍ବୃତ୍ତ। କୁଆଖିଆ ଥାନା କଲଣ ଗ୍ରାମର ଗିରିଜା ଶଙ୍କର ଆଚାର୍ଯ୍ୟ ତାଙ୍କ ଭଉଣୀ ପୁଷ୍ପାଞ୍ଜଳି ଓ ଭାଣିଜୀଙ୍କୁ ବାଇକରେ ବସାଇ ଚଣ୍ତିଖୋଲ ଅଭିମୁଖେ ଯାଉଥିଲେ। ଏହି ସମୟରେ ସେମାନଙ୍କୁ ପିଛା କରୁଥିବା ଜଣେ ଯୁବକ ହଠାତ୍ ପୁଷ୍ପାଞ୍ଜଳି ପିନ୍ଧିଥିବା ୧୫ ଗ୍ରାମ୍ ଓଜନର ଏକ ସୁନାଚେନକୁ ଭିଡ଼ିନେଇ ନେଉଳପୁର ଅଭିମୁଖେ ଚମ୍ପଟ ମାରିଥିଲା। ଯୁବକଟି ଏକ ସ୍ପିଡ୍ ବାଇକ୍ ଚଳାଉଥିବା ବେଳେ ମୁଣ୍ତରେ ହେଲମେଟ୍ ପିନ୍ଧିଥିଲା। ପରେ ଘଟଣା ସଂପର୍କରେ ଶ୍ରୀ ଆଚାର୍ଯ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରା ସଂପର୍କରେ କୌଣସି ସୁରାକ୍ ମିଳିନାହିଁ। ଏହି ଘଟଣାର ଭିଡିଓ ଫୁଟେଜ୍ ପୁଲିସ୍‌ର ହସ୍ତଗତ ହୋଇଥିବା ଜଣାପଡ଼ିଛି।

ଏହିଭଳି ସମାନ ଢଙ୍ଗରେ ଗତମାସ ୧୩ତାରିଖରେ ନାକପୋଲ ନିକଟରେ ପାଖର ପଞ୍ଚାୟତର ମହିଳା ଜିଆର୍‌ଏସ୍‌ ଚିନ୍ମୟୀ କରଙ୍କ ୨୦ଗ୍ରାମ ଓଜନର ସୁନାଚେନ୍ ଲୁଟ୍ ହୋଇଥିଲା। ସେହିପରି ଅଚ୍ୟୁତପୁର ଛକ ନିକଟରେ ଗତ ୨୨ତାରିଖରେ ଧର୍ମଶାଳା କଲେଜ୍ ଛାତ୍ରୀ ଜ୍ୟୋତିପ୍ରଭା ବାରିକଙ୍କ ମୋବାଇଲ୍ ଝାମ୍ପି ନେଇଥିଲା ଦୁର୍ବୃତ୍ତ।

ସମ୍ବନ୍ଧିତ ଖବର