ବେତନଟୀ ସଦର: ମୟୂରଭଂଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ମାତିଲେଣି ଚେନ୍ ଲୁଟେରା। ଆଖି ପିଛୁଳାକେ ବାଇକ୍ରେ କିଛି ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ହାର ଓ କାନରୁ କାନଫୁଲ ଝାମ୍ପି ନେଇଛନ୍ତି। ବୈଶିଙ୍ଗା ଥାନା ଅଧୀନ ୧୮ନଂ ଜାତୀୟ ରାଜପଥର ଗଡ଼ଗଡ଼ିଆ ଛକ ନିକଟରେ ଘଟିଛି ଏହି ଲୁଟ ଘଟଣା। ଆଉ ଏହି ଲୁଟର ଶିକାର ହୋଇଛନ୍ତି ବେତନଟୀ ଥାନା ଅଧୀନ ଆମ୍ବଯୋଡ଼ା ଗ୍ରାମର ତାପସ ରଞ୍ଜନ ବେହେରାଙ୍କ ସ୍ତ୍ରୀ ମାନସୀ ସାହୁ।
ସୂଚନା ଅନୁଯାଇ ମାନସୀ ପୁରୁଣିଆ ପଞ୍ଚାୟତରେ ସ୍ୱାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଥିବାବେଳେ ସବୁଦିନେ ନିଜ ସ୍କୁଟି ଯୋଗେ ଆମ୍ବଯୋଡ଼ା ଗ୍ରାମରୁ ପୁରୁଣିଆ ଯିବା ଆସିବା କରନ୍ତି।l ସୋମବାର ସେ କାମ ସାରି ନିଜ ଘରକୁ ଫେରୁଥିବା ସମୟରେ ଜାତୀୟ ରାଜପଥରେ ହଠାତ ଏକ କଳା ରଙ୍ଗର ବାଇକରେ ୩ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ। ପରେ ଗଡ଼ଗଡିଆ ଛକ ନିକଟରେ ନିଛାଟିଆ ପାଇ ମାନସୀଙ୍କ ସ୍କୁଟିକୁ ଗୋଟେ ଗୋଇଠା ମାରିଥିଲେ। ମାନସୀ ତଳେ ପଡ଼ିଯିବା ପରେ ସେମାନେ ବାଇକରୁ ଓହ୍ଲାଇ ମାନସୀଙ୍କ ବେକରୁ ସୁନା ଚେନ ଓ କାନରୁ କାନଫୁଲ ଝାମ୍ପି ନେଇ ଆଖି ପିଛୁଳାକେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମାନସୀ ବାଇକର ନମ୍ବରଟିକୁ ଦେଖିଥିଲେ ବି ସମ୍ପୂର୍ଣ ନମ୍ବର ମନେ ରଖି ପାରିନଥିଲେ, କେବଳ ଶେଷ ଚାରୋଟି ନମ୍ବର (୨୨୩୫) ହିଁ କହିଥିଲେ।
ପ୍ରକାଶ ଥାଉ କି ଏହି ଥାନା ଇଲାକାରେ ୧ମାସ ଭିତରେ ଏମିତି ଆଉ ୨ଟି ଘଟଣା ଘଟିଥିବାର ମଧ୍ୟ ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟାରେ ମାନସୀଙ୍କ ଲିଖିତ ଅଭିଯୋଗ ପାଇ ବୈଶିଙ୍ଗା ପୁଲିସ ୨୭୬/୨୪ନଂ ରେ ମାମଲା ରୁଜୁ ପୂର୍ବକ ଘଟଣାର ତଦନ୍ତ ଆରମ୍ଭ କରିଛି।