ମହିଳାଙ୍କ ସୁନା ଚେନ୍‌ ଲୁଟିନେଲେ, ବାଇକ୍‌ରେ ଆସିଥିଲେ ୨ ଦୁର୍ବୃତ୍ତ

ରାଉରକେଲା: ଜନଗହଳିପୂର୍ଣ୍ଣ ରାସ୍ତାରେ ଅପରାଧ ଘଟାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେବାରେ ଲାଗିଛନ୍ତି ଦୁର୍ବୃର୍ତ୍ତ। କିଛି ଦିନ ପୂର୍ବେ ଦୁଇ ଦୁଇଟି ବଡ଼ ଧରଣର ଲୁଟ୍‌ ଘଟଣା ଦେଖିବାକୁ ମିଳିଥିଲା। ଯଥାକ୍ରମେ ପ୍ରାୟ ୧୫ ଲକ୍ଷ ଟଙ୍କା ଓ ୫ ଲକ୍ଷ ଟଙ୍କା ଲୁଟିନେଇଥିଲେ। ଏହି ଘଟଣାର ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ଏଯାଏ ସଫଳ ହୋଇନଥିବାବେଳେ ଆଜି ସନ୍ଧ୍ୟାରେ ଜଣେ ମହିଳା ଲୁଟ୍‌ର ଶିକାର ହୋଇଛନ୍ତି। ସହରର ବାସନ୍ତୀକଲୋନି ଭଳି ଜନଗହଳି ଅଞ୍ଚଳରୁ ଜଣେ ମହିଳାଙ୍କ ସୁନା ଚେନ୍‌ ଲୁଟିନେଇଛନ୍ତି ଦୁଇ ଦୁର୍ବୃତ୍ତ।

ବାସନ୍ତୀକଲୋନି ଏଏମ୍‌/୫୬ରେ ସପରିବାର ବାସ କରନ୍ତି ରୋଶନୀ ମାଝୀ। ରୋଶନୀ ଆଜି ସନ୍ଧ୍ୟାରେ ପନିପରିବା କିଣିବାକୁ ମାର୍କେଟ୍‌ ଅଞ୍ଚଳକୁ ଆସିଥିଲେ। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ସେ ପରିବା କିଣି ଘରକୁ ଫେରୁଥିବାବେଳେ ବାସନ୍ତୀକଲୋନି ପାଣି ଟାଙ୍କି ପାଖରେ ଜଣେ ଦୁର୍ବୃତ୍ତ ତାଙ୍କର ସୁନା ଚେନ୍‌କୁ ଲୁଟିନେଇଥିଲା। ଚେନ୍‌ ଲୁଟିବାପରେ ଦୁର୍ବୃତ୍ତ ଘଟଣାସ୍ଥଳରୁ ସାମାନ୍ୟ ଦୂରରେ ଜଗି ରହିଥିବା ଅନ୍ୟତମ ଅଭିଯୁକ୍ତ ସହ ବାଇକ୍‌ରେ ବସି ଫେରାର୍‌ ହୋଇଯାଇଥିଲା। ପ୍ରାୟ ୩୦ ଗ୍ରାମରୁ ଉର୍ଦ୍ଧ୍ବ ଓଜନ ବିଶିଷ୍ଟ ସୁନା ଚେନ୍‌ର ଦାମ୍‌ ପାଖାପାଖି ୨ ଲକ୍ଷ ଟଙ୍କା ଆକଳନ କରାଯାଉଛି। ଉଦିତନଗର ଥାନାରେ ଏତଲା ହେବାପରେ ପୁଲିସ ଛାନ୍‌ଭିନ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର