ଆନନ୍ଦପୁର: ଦିନ ଦ୍ବିପ୍ରହରରେ ଜଣେ ମହିଳା ଓକିଲଙ୍କ ବେକରୁ ସୁନାଚେନ୍ ଲୁଟ୍ ଘଟଣାର ୩୬ଘଣ୍ଟା ପରେ ମଧ୍ୟ ଲୁଟେରାଙ୍କ ସନ୍ଧାନ ମିଳିପାରି ନାହିଁ। ତେବେ ସନ୍ଦିଗ୍ଧଙ୍କ ଫଟୋ ସିସିଟିଭିରେ କଏଦ ହୋଇଛି। ଏହାକୁ ଭିତ୍ତି କରି ପୁଲିସ ତନାଘନା ଚଳାଇଛି। ଆନନ୍ଦପୁର ଶାଳପଡ଼ାରେ ଥିବା ଘସିପୁରା ଗ୍ରାମ୍ୟ ନ୍ୟାୟାଳୟରେ ରାମଚନ୍ଦ୍ରପୁରର ମମିତା ମଲ୍ଲିକ ଆଇନଜୀବୀ ଭାବେ କାର୍ଯ୍ୟ କରନ୍ତି। ସବୁଦିନ ଭଳି ଆଜି ମଧ୍ୟ ସେ କନକମଞ୍ଜରୀ ମହିଳା ମହାବିଦ୍ୟାଳୟ ନିକଟରେ ବସ୍ରୁ ଓହ୍ଲାଇ ଚାଲି ଚାଲି କୋର୍ଟକୁ ଯାଉଥିଲେ।
ଏହି ସମୟରେ ଅଚାନକ ଜଣେ ଦୁର୍ବୃତ୍ତ ପଛରୁ ଆସି ତାଙ୍କ ବେକରୁ ସୁନାଚେନ୍ ଟାଣି ନେଇଥିଲା। ଆଖି ପିଛୁଳାକେ ସମ୍ପୃକ୍ତ ଯୁବକ ଅନ୍ୟଜଣେ ଯୁବକଙ୍କ ବାଇକ୍ରେ ବସି ସେଠାରୁ ଦ୍ରୁତଗତିରେ ପଳାଇଥିଲା। ଏନେଇ ମମିତା ଘସିପୁରା ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ଯାଜପୁର ଅଞ୍ଚଳର ଲୁଟେରାଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। ଘସିପୁରା ଥାନା ଅଧିକାରୀ ସୁନୀଲ କୁମାର କରଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।
ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୯ରେ ବୀରଗୋବିନ୍ଦପୁର ନିକଟରେ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ଢେଙ୍କିକୋଟର ନିଗମ ପ୍ରସାଦ ସାହୁ ଓ ପତ୍ନୀ ଲଛମାରାଣୀ ସାହୁଙ୍କଠାରୁ ସୁନାଗହଣା ଲୁଟି ନେଇଥିଲେ। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅଦ୍ୟାବଧି ଅନ୍ୟ ଲୁଟେରାମାନଙ୍କ ସନ୍ଧାନ ମିଳିପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/WhatsApp-Image-2024-06-26-at-11.46.42-PM.jpeg)