ବିମାନବନ୍ଦରରୁ ସୁନା, ବିଦେଶୀ ମୁଦ୍ରା ଜବତ

ଭୁବନେଶ୍ୱର : ପୁଣି ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଚୋରା ଚାଲାଣ ହେଉଥିବା ସୁନା ଜବତ ହୋଇଛି। ଏଥିସହ ବିପୁଳ ପରିମାଣର ବିଦେଶୀ ମୁଦ୍ରା ବି ଜବତ ହୋଇଛି। ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସିଥିବା ଚାରିଜଣ ଯାତ୍ରୀଙ୍କ ଠାରୁ ଏହି ସୁନା ଓ ବିଦେଶୀ ମୁଦ୍ରା ଜବତ କରାଯାଇଛି। ଜବତ ସାମଗ୍ରୀର ମୂଲ୍ୟ ୨୨ଲକ୍ଷ ୨୩ହଜାର ୩୫ଟଙ୍କା ହେବ ବୋଲି ବିମାନବନ୍ଦର କଷ୍ଟମସ୍‌ ବିଭାଗ ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ବିମାନ ବନ୍ଦରର ଆସିଷ୍ଟାଣ୍ଟ କମିସନର ଅଫ୍‌ କଷ୍ଟମ୍‌ସ ଶଶିଭୂଷଣଙ୍କ ସୂଚନା ଅନୁଯାୟୀ, ଶନିବାର ସକାଳ ୭ଟାରେ ଏୟାର ଇଣ୍ଡିଆ ବିମାନ ଏଆଇ-୩୯୯ରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସିଥିବା ୪ଜଣ ଯାତ୍ରୀଙ୍କ ଲଗେଜ୍‌ ସ୍କାନିଂ ସମୟରେ ବିପୁଳ ପରିମାଣର ସୁନା ଓ ବିଦେଶୀ ଟଙ୍କା ଥିବା ଜଣାପଡ଼ିବା ପରେ ଏହାକୁ ଜବତ କରାଯାଇଛି। ଏହାପରେ ଚାରି ଜଣ ଯାତ୍ରୀଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଟକ ୪ ଜଣ ଯାତ୍ରୀ କଟକ, ଦିଲ୍ଲୀ ଓ କୋଲକତାର ବାସିନ୍ଦା। ସେମାନେ କାହିଁକି ଏତେ ପରିମାଣର ବିଦେଶୀ ମୁଦ୍ରା ଓ ସୁନା ଆଣିଥିଲେ ତାହାର ଯଥାର୍ଥ କାରଣ ଦର୍ଶାଇପାରିନାହାନ୍ତି। ତେଣୁ ସେମାନଙ୍କୁ ଅଟକ ରଖି ପଚରାଉଚରା ଚାଲିଛି।

କଷ୍ଟମ୍‌ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଚାରି ଜଣ ଯାତ୍ରୀ ହାତରେ ବହୁତ ବଡ଼ ବଡ଼ ମୁଦି ପିନ୍ଧିଥିଲେ। ଏହାର କିଛି ଅଂଶ ରୂପା ଭଳି ଦିଶୁଥିବାବେଳେ କିଛି ଅଂଶ ସୁନା ଭଳି ଦିଶୁଥିଲା। ଏନେଇ ସନ୍ଦେହ ହେବାରୁ ଯାତ୍ରୀଙ୍କ ଲଗେଜ୍‌ ଭଲ ଭାବେ ସ୍କାନିଂ କରାଯାଇଥିଲା। ଜଣଙ୍କର ବ୍ୟାଗରୁ ପ୍ରାୟ ୫୦୦ ଗ୍ରାମର ସୁନା ମିଳିଥିଲା। ଏଥିରେ ସୁନା ଚେନ୍‌, ଲିପଷ୍ଟିକ୍‌ ଖୋଳ ଭିତରେ ସୁନା ଷ୍ଟିକ୍‌, ବଡ଼ ବଡ଼ ସୁନା ମୁଦି (ଉପରେ ରୂପା ଲେପ ଦିଆଯାଇଥିବା) ଥିଲା। ଏହାବାଦ୍‌ ଅନ୍ୟ ଯାତ୍ରୀଙ୍କ ବ୍ୟାଗରୁ ବିପୁଳ ପରିମାଣର ବିଦେଶୀ ମୁଦ୍ରା ଜବତ ହୋଇଥିଲା। ଜବତ ହୋଇଥିବା ସୁନା ଓ ମୁଦ୍ରାର ଭାରତୀୟ ମୂଲ୍ୟ ୨୨ଲକ୍ଷ ୨୩ହଜାର ୩୫ଟଙ୍କା ହେବ ବୋଲି ଅନୁମାନ କରାଯାଇଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଦୁଇ ଥର ବିମାନବନ୍ଦରରେ ଚୋରା ସୁନା ଜବତ ହୋଇଥିବାବେଳେ ଏହା ଏୟାର ଏସିଆ ବିମାନରେ କ୍ୱାଲାଲମ୍ପୁରରୁ ଆସିଥିଲା। କିନ୍ତୁ ଏଥର ବ୍ୟାଙ୍କକ୍‌ରୁ ଆସିଥିବା ବିମାନ ଯାତ୍ରୀଙ୍କ ଠାରୁ ଚୋରା ସୁନା ଜବତ ହୋଇଛି।

ବିମାନବନ୍ଦରର କଷ୍ଟମ୍‌ସ ଅଧିକାରୀ କହିଛନ୍ତି ଯେ, କିପରି ଯାତ୍ରୀମାନେ ବ୍ୟାଙ୍କକ୍‌ ଓ କ୍ୱାଲାଲମ୍ପୁରରୁ ଏତେ ପରିମାଣର ସୁନା ଆଣୁଛନ୍ତି ଆମେ ଜାଣିପାରୁନୁ। ସେଠାରେ କଷ୍ଟମ୍‌ସ ଚେକିଂ ସମୟରେ ଏହା କିପରି ଖସିଯାଉଛି ସେନେଇ ଆଶ୍ଚର୍ଯ୍ୟ ଲାଗୁଛି।

ସୂଚନାଯୋଗ୍ୟ ଯେ, ଗତ ୫ତାରିଖରେ କ୍ୱାଲାଲମ୍ପୁରରୁ ଭୁବନେଶ୍ୱର ଦେଇ ଚୋରା ଚାଲାଣ ହେଉଥିବା ୬୦୭.୧୬୦ ଗ୍ରାମର ସୁନା ଜବତ ହୋଇଥିଲା। ଏହାର ବଜାର ମୂଲ୍ୟ ପ୍ରାୟ ୧୯ଲକ୍ଷ ୧୨ହଜାର ୫୫୩ ଟଙ୍କା ଥିଲା। ମହାରାଷ୍ଟ୍ରର ଥାନେ ଅଞ୍ଚଳର ଜଣେ ବ୍ୟକ୍ତି ମଳଦ୍ୱାରରେ ବ୍ଲାକଟେପ୍‌ ଗୁଡ଼ାଇ ଏହି ସୁନା ଚୋରା ଚାଲାଣ କରୁଥିଲେ।

ସେହିପରି ଗତ ବର୍ଷ ନଭେମ୍ବର ୧୩ତାରିଖରେ ତାମିଲନାଡୁର ମହମ୍ମଦ କବିର୍‌ ନାମକ ଜଣେ ବ୍ୟକ୍ତି ମଳଦ୍ୱାରରେ ଏବଂ ସ୍କ୍ରୁ ଡ୍ରାଇଭରରେ କ୍ୱାଲାଲମ୍ପୁରରୁ ଚୋରା ସୁନା ଚାଲାଣ କରୁଥିବାବେଳେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ କଷ୍ଟମ୍‌ସ ବିଭାଗ ଧରିଥିଲା। ସେତେବେଳେ ୬୬୧.୫୩ଗ୍ରାମ୍‌ର ୩୪ଟି ସୁନା ଖଣ୍ଡ ଜବତ ହୋଇଥିଲା।

ସମ୍ବନ୍ଧିତ ଖବର