ଭୂ-ତାତ୍ତ୍ବିକ ନିର୍ଦ୍ଦେଶାଳୟ ରିପୋର୍ଟ: ଅନୁଗୁଳରେ ସୁନା, ଢେଙ୍କାନାଳରେ ଗ୍ରାଫାଇଟ୍‌ ଖଣି

ଅନୁଗୁଳ : ଅନୁଗୁଳ ମାଟିରେ ଅଛି ସୁନା। ଢେଙ୍କାନାଳ ମାଟିରେ ଗ୍ରାଫାଇଟ୍। ରାଜ୍ୟ ଭୂ-ତା‌ତ୍ତ୍ବିକ ନିର୍ଦ୍ଦେଶାଳୟ ଓ ଭାରତୀୟ ଭୂ-ତାତ୍ତ୍ବିକ ଅନୁସନ୍ଧାନ ସଂସ୍ଥା ଅନୁସନ୍ଧାନ ସମୟରେ ମାଟିରେ ଏହି ମୂଲ୍ୟବାନ ଜିନିଷର ଅବସ୍ଥିତି ବିଷୟରେ ଜାଣିବାକୁ ପାଇଛି।

ଗତ ବିଧାନସଭାରେ ସୁନାଖଣିକୁ ନେଇ ପ୍ରଶ୍ନ ହୋଇଥିଲା। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟରେ ଭୂ-ତତ୍ତ୍ବ ନିର୍ଦ୍ଦେଶାଳୟ କେତୋଟି ନୂତନ ଖଣିର ସନ୍ଧାନ ପାଇଛି ବୋଲି ପଚରା ଯାଇଥିଲା। ଯାହାର ଉତ୍ତର ଇସ୍ପାତ ଓ ଖଣି ବିଭାଗ ଦେଇଛି, ଗତ ଆର୍ଥିକବର୍ଷରେ ରାଜ୍ୟରେ ମୋଟ ୬ଟି ନୂତନ ଖଣିର ସ୍ଥାନ ଏବଂ ଖଣିଜ ପଦାର୍ଥର ସନ୍ଧାନ ମିଳିଛି। ତନ୍ମଧ୍ୟରୁ ଢେଙ୍କାନାଳ ଜିଲ୍ଲା ବନ୍ଧୁଭୂଇଁ ଇଲାକାରେ ଗ୍ରାଫାଇଟ୍ ଥିବା ବେଳେ ଅନ୍ୟ ୫ଟି ଖଣିଜ ପଦାର୍ଥ ଅନ୍ୟ ୫ଟି ଜିଲ୍ଲାରେ ରହିଛି। ମାଲକାନାଗିରିର ପିଣ୍ଡିକୋଣ୍ଡା ଓ ଗଜପତି ଜିଲ୍ଲାର ଗାରବନ୍ଧାରେ ଡେକୋରେଟିଭ୍‌ ଷ୍ଟୋନ୍‌ ଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ରାଉତାଲିପାଟ-ଟାଙ୍ଗିଆରେ କ୍ବାର୍ଜାଇଟ୍, ଗଞ୍ଜାମର ମଥୁରା ଇଲାକାରେ ସ୍ଥାପତ୍ୟ ଉପଯୋଗୀ ଶିଳା ଓ ସୁନ୍ଦରଗଡ଼ ଜିଲ୍ଲାର ଗୋବିରାରେ କ୍ବାର୍ଜ/କ୍ବାର୍ଜାଇଟ୍‌ ଥିବା ରିପୋର୍ଟରେ ଦର୍ଶାଯାଇଛି।

ସେହିପରି, ରାଜ୍ୟରେ ସୁନା ଖଣିର ଅବସ୍ଥିତି ନେଇ ପ୍ରଶ୍ନ ହୋଇଥିଲା। ରାଜ୍ୟରେ କୌଣସି ଜାଗାରେ ସୁନାଖଣିର ସନ୍ଧାନ ମିଳିଛି କି? ଯଦି ଅଛି ତେବେ ତାହାର ପରିମାଣ କେତେ ବୋଲି ପ୍ରଶ୍ନ ଉଠିଥିଲା। ଏହାର ଉତ୍ତରରେ ଇସ୍ପାତ ଓ ଖଣି ବିଭାଗ ଦର୍ଶାଇଛି, ଅନୁଗୁଳ ଜିଲ୍ଲା ସମେତ ମୋଟ୍ ୫ଟି ଜିଲ୍ଲାର ମାଟି ତଳେ ସୁନାପଥର ଠାବ କରାଯାଇଛି। ରାଜ୍ୟ ଭୂ-ତାତ୍ତ୍ବିକ ନିର୍ଦ୍ଦେଶାଳୟ ଓ ଭାରତୀୟ ଭୂ-ତାତ୍ତ୍ବିକ ଅନୁସନ୍ଧାନ ସଂସ୍ଥାର ଅନୁସନ୍ଧାନ ତଥ୍ୟ ମୁତାବକ, ଅନୁଗୁଳ ଜିଲ୍ଲାର ମାଙ୍କଡ଼ଚୁଆ ଇଲାକାରେ ଏ ସୁନାପଥର ରହିଥିବା ବେଳେ କେନ୍ଦୁଝର ଜିଲ୍ଲାର ଅଡ଼ାସ, ଅକୁଳ, ଗୋପୁର, ଗାଜିପୁର, ତେଲକୋଇ, ବାଂଶପାଳ, ଓଡ଼ାଳ, ସଳେଇକେନା, ମୟୂରଭଞ୍ଜ ଜିଲ୍ଲାର ଯଜାଗୁଡ଼ା ଓ ମାରିଡିହିଏ ଇଡ଼ାଲକୁଚା, ଧୁଷରା ପାହାଡ଼-ବାମନଘାଟି, ଅସନା ଓ ଭାଲୁଗୁଡ଼ା, ନବରଙ୍ଗପୁର ଜିଲ୍ଲାର କରକା ପୋଡ଼ାଗଡ଼ ନିକଟସ୍ଥ ଇଲାକା, ମାଲକାନାଗିରିର କ୍ୟାଙ୍ଗ୍‌(କୋଲାବ ନଦୀ ଶଯ୍ୟା) ଇଲାକାରେ ଏ ସୁନାପଥର ସନ୍ଧାନ ଥିବା କଥା ଦର୍ଶାଯାଇଛି। କିନ୍ତୁ ଏହାର ପରିମାଣ ବହୁ ସ୍ପଳ୍ପ ଏବଂ ମାଟି ତଳେ ଏହା ବିକ୍ଷିପ୍ତ ଭାବେ ପଡ଼ି ରହିଥିବାରୁ ପ୍ରକୃତରେ ମାଟି ତଳେ ସୁନାର ପରିମାଣ କେତେ ତାହା ଆକଳନ କରାଯାଇପାରି ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର