ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କରୁ ସୁନାଗହଣା ଚୋରି

୧୬୧୦ ଗ୍ରାମ ଚୋରି ହୋଇଥିବା ଥାନାରେ ଅଭିଯୋଗ

ବ୍ୟାଙ୍କ୍‌ କିମ୍ବା ଷ୍ଟ୍ରଙ୍ଗ୍‌ ରୁମ୍‌ର ତାଲା ଭାଙ୍ଗିନି
ଫରେନ୍‌ସିକ ଓ ସନ୍ଧାନୀ କୁକୁର ଦ୍ବାରା ଛାନଭିନ୍‌, ଜଣେ ଅଟକ

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସ୍ଥିତ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରୁ ୧୬୧୦ ଗ୍ରାମ ସୁନାଗହଣା ଚୋରି ହୋଇଥିବା ନେଇ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଛି। ପୁଲିସ ବ୍ୟାଙ୍କରେ ସିସିଟିଭି ଯାଞ୍ଚ କରୁଥିବା ବେଳେ ସନ୍ଧାନୀ କୁକୁର ଓ ଫରେନ୍‌ସିକ୍‌ ଟିମ୍‌ ଛାନଭିନ୍‌ ଆରମ୍ଭ କରିଛି। ବ୍ୟାଙ୍କ କିମ୍ବା ଷ୍ଟ୍ରଙ୍ଗ୍‌ ରୁମ୍‌ର ତାଲା ଭାଙ୍ଗି ନଥିବା ବେଳେ ସୁନାଗହଣା କିଭଳି ଚୋରି ହେଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବ୍ୟାଙ୍କ ଲକର ଦାୟିତ୍ବରେ ଥିବା ଶାଖା ପରିଚାଳକ ଓ କୋଷାଧ୍ୟକ୍ଷ କିଭଳି ଚୋରି ସଂପର୍କରେ ଜାଣି ପାରିଲେନି, ତାହା ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ଘଟଣାରେ ପୁଲିସ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି।

ସୂଚନା ଅନୁଯାୟୀ, ଲକ୍ଷ୍ମୀପୁର ଷ୍ଟେଟ୍‌ ବ୍ୟାଙ୍କ ଲକରରୁ ୧୬୧୦ ଗ୍ରାମ ସୁନାଗହଣା ଚୋରି ହୋଇଥିବା ନେଇ ଶାଖା ପରିଚାଳକ ସୁଧାଂଶୁ ଶେଖର ରାଉତ ଆଜି ଲକ୍ଷ୍ମୀପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଏସ୍‌ଡିପିଓ ଅଶ୍ବିନୀ କୁମାର ନାୟକ, କାକିରିଗୁମ୍ମା ଥାନା ଅଧିକାରୀ ଉଲ୍ଲାସ ରାଉତ, ଲକ୍ଷ୍ମୀପୁର ଆଇଆଇସି ଶ୍ବେତପଦ୍ମା ସେଠ୍, ନାରାୟଣପାଟଣା ଆଇଆଇସି ରଞ୍ଜିତ କୁମାର ସାହୁଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ। ଏହି ଟିମ୍‌ ବ୍ୟାଙ୍କରେ ପହଞ୍ଚି ସିସିଟିଭି ଯାଞ୍ଚ କରିଥିଲେ। ଏଥିସହ କୋରାପୁଟରୁ ସନ୍ଧାନୀ କୁକୁର ସହ ଫରେନ୍‌ସିକ ଟିମ୍‌ ପହଞ୍ଚି ଛାନଭିନ୍‌ ଆରମ୍ଭ କରିଛନ୍ତି। ଲକ୍ଷ୍ମୀପୁର ଷ୍ଟେଟ୍ ବ୍ୟାଙ୍କରୁ ଏତେ ପରିମାଣର ସୁନା କିଭଳି ଓ କେବେ ଚୋରି ହୋଇଛି ତାହା ଅସ୍ପଷ୍ଟ ରହିଛି। ବ୍ୟାଙ୍କର ସମ୍ମୁଖ ଓ ପଛପଟ ତାଲା ଏବଂ ଷ୍ଟ୍ରଙ୍ଗ୍‌ ରୁମ୍‌ର ତାଲା ଭାଙ୍ଗିନଥିବା ବେଳେ ସୁନାଗହଣା କିଭଳି ଚୋରି ହେଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ବ୍ୟାଙ୍କ ଲକର ଦାୟିତ୍ବରେ ଥିବା ଶାଖା ପରିଚାଳକ କିମ୍ବା କୋଷାଧ୍ୟକ୍ଷ କିଭଳି ଚୋରି ସଂପର୍କରେ ଜାଣିପାରିଲେନି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ବ୍ୟାଙ୍କ ଲକର ଦାୟିତ୍ବ ମୁଖ୍ୟତଃ ଶାଖା ପରିଚାଳକ ଓ କୋଷାଧ୍ୟକ୍ଷଙ୍କ ପାଖରେ ରହିଥାଏ। ଯଦି ଷ୍ଟ୍ରଙ୍ଗ ରୁମ୍‌ ତାଲା ଭଙ୍ଗାଯାଇନି ତେବେ ସୁନା କିଏ ଚୋରି କଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଏହି ଚୋରି ଘଟଣାରେ ବ୍ୟାଙ୍କ କର୍ମଚାରୀ ହିଁ ସମ୍ପୃକ୍ତ ଥିବା ନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର