ଚୋରି ଟଙ୍କା ସୁନାଗହଣା ଜବତ, ଦୁଇ ମହିଳା ଗିରଫ

ହରିଚନ୍ଦନପୁର: ହରିଚନ୍ଦନପୁର ପୁଲିସ ଚୋରି ଟଙ୍କା, ସୁନାଗହଣା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଦୁଇଜଣ ଯାଯାବର ମହିଳାଙ୍କୁ ଗିରଫ କରିଛି। ହରିଚନ୍ଦନପୁର ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଗତକାଲି ସୁନାପେଣ୍ଠ ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଭଗବାନ ମହନ୍ତଙ୍କ ପତ୍ନୀ କୁନ୍ତଳା ମହାନ୍ତ ଆବାସ ଯୋଜନାର ଘର ଛାତ ପକାଇବା ପାଇଁ ୨୫ ହଜାର ଟଙ୍କା ଉଠାଇଥିଲେ। ଉକ୍ତ ଟଙ୍କାକୁ ଏକ ବ୍ୟାଗରେ ରଖିଥିଲେ। ସେଠାରୁ ସେ ହରିଚନ୍ଦନପୁର ସାପ୍ତାହିକ ହାଟକୁ ସ୍ବାମୀଙ୍କ ପରିବା କିଣିବାକୁ ଯାଇଥିଲେ। ପରିବା କିଣିବା ପରେ ସ୍ବାମୀଙ୍କ ବାଇକ୍‌ ଡିକିରେ ବ୍ୟାଗ ରଖିଲାକୁ ବ୍ୟାଗ୍‌ଟି କଟା ହୋଇଥିଲା ଏବଂ ସେଥିରୁ ୨୫ ହଜାର ଟଙ୍କା ଚୋରି ହୋଇଥିବା ଜଣାପଡ଼ିଥିଲା।

ଏ ସମ୍ପର୍କରେ ଶ୍ରୀମତୀ ମହାନ୍ତ ହରିଚନ୍ଦନପୁର ଥାନାରେ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ଦେବକୀ ନାଏକ ତୁରନ୍ତ ସାପ୍ତାହିକ ହାଟକୁ ଯାଇ ତଦନ୍ତ କରିଥିଲେ। ପଚରାଉଚରା ପରେ ୨/୩ ଜଣ ଯାଯାବର ମହିଳା ତରବର ହୋଇ ଏକ ଯାତ୍ରୀବାହୀ ବସ୍‌ରେ କେନ୍ଦୁଝର ଅଭିମୁଖେ ଯାଇଥିବା ଜଣାପଡ଼ିଥିଲା। ଥାନା ଅଧିକାରୀ ଦେବକୀ ନାଏକଙ୍କ ସହ ଏସ୍‌ଆଇ ସୁରେଶ କୁମାର ମାଝୀ, ଏସ୍‌ଆଇ ସୁକଳ କୁମାର ଥେମୁରିଆ, ଏସ୍‌ଆଇ ଅଯୋଧ୍ୟା ମାଟିଆ ପ୍ରମୁଖ କେନ୍ଦୁଝର ଯାଇ ଯାତ୍ରୀବାହୀ ବସ୍‌ ଗୁଡ଼ିକୁ ଯାଞ୍ଚ କରିଥିଲେ। କେନ୍ଦୁଝର ବଣିଆପାଟର ଏକ ଆମ୍ବତୋଟରେ ଯାଯାବର ମାନେ ରହୁଥିବା ଖବର ପାଇଥିଲେ।

ଆଜି ସକାଳେ ପୁଲିସ ସେଠାରେ ଚଢ଼ଉ କରି ରିଙ୍କି ଦେବୀ, କୁସୁମ ଦେବୀ ଓ ଜଣେ ନାବାଳିକାଙ୍କ ପାଖରୁ ୩୪ ହଜାର ଟଙ୍କା, ଦୁଇଟି ଚୋରି ମୋବାଇଲ ଫୋନ୍‌, ଗୋଟିଏ ସୁନା ଲକେଟ ଓ ଗୋଟିଏ ସୁନା ମଙ୍ଗଳସୂତ୍ର ଜବତ କରିଥିଲେ। ଦୁଇ ଯାଯାବର ମହିଳା ପୂର୍ବରୁ ମାର୍ଚ୍ଚ ୪ ତାରିଖରେ ହରିଚନ୍ଦନପୁର ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରୁ ଘଷଣାଟାଙ୍ଗରା ଗ୍ରାମର ମା’ ଜଗତ ଜନନୀ ସ୍ୱୟଂ ସହାୟକ ଗୋଷ୍ଠୀର ଜଣେ ମହିଳାଙ୍କଠାରୁ ଏକ ଲକ୍ଷ ଟଙ୍କା ଚୋରି କରିଥିବା ପୁଲିସ ଆଗରେ ସ୍ବୀକାର କରିଥିଲେ। ପୁଲିସ ଏନେଇ କେସ୍‌ ନମ୍ବର ୧୩୩/୨୨ରେ ଏକ ମାମଲା ରୁଜୁ କରି ରିଙ୍କି ଦେବୀ ଓ କୁସୁମ ଦେବୀକୁ କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର