କଣ୍ଟାମାଳ : ଶୁକ୍ରବାର ରାତି ୧ଟାରେ ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ସହର ଉପକଣ୍ଠ ଦେଉଳି ଗ୍ରାମରେ ସଶସ୍ତ୍ର ଡକାୟତି ହୋଇଛି। ଏହି ଗ୍ରାମର ଗଣେଶ ପ୍ରସାଦ ମିଶ୍ର ଓ ତାଙ୍କ ସ୍ତ୍ରୀ ବିଷ୍ଣୁପ୍ରିୟା ମିଶ୍ର ଘରେ ଶୋଇଥିବା ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କ ଫାଟକ ଓ ଘରର ତାଲା କାଟି ଘର ମଧ୍ୟରେ ପ୍ରବେଶ କରିଥିଲେ। ସ୍ୱାମୀ-ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ। ତୁମର ଗୋଟିଏ ବୋଲି ପୁଅ ଅଛି ନା, ତାକୁ ମାରିଦେବୁ ବୋଲି ଧମକ ଦେଇଥିଲେ। ଏହାପରେ ଆଲମିରାର ଚାବି ମାଗିବାରୁ ଜୀବନ ବିକଳରେ ଦମ୍ପତି ଚାବି ଦେଇଦେଲେ। ଆଲମିରା ଖୋଲି ପ୍ରାୟ ୧୭୦ ଗ୍ରାମର ସୁନା ଅଳଙ୍କାର ଓ ୫ ହଜାର ଟଙ୍କା ନେବାପରେ ଘରର ଅନ୍ୟ କୋଠରି ବୁଲିଥିଲେ।

Advertisment

publive-image

ଏହି ସମୟରେ ଦମ୍ପତି ଜରୁରୀକାଳୀନ ୧୦୦ ନମ୍ବରକୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ମିଳିନଥିବା କହିଛନ୍ତି। କିଛି ସମୟରେ ପରେ ବିଷ୍ଣୁପ୍ରିୟାଙ୍କ ପାଖକୁ ଦୁର୍ବୃତ୍ତମାନେ ଫେରିବାରୁ ସେ ଭୟଭୀତ ହୋଇ ପିନ୍ଧିଥିବା ମଙ୍ଗଳସୂତ୍ର ଓ ଶଙ୍ଖା ଖୋଲି ସେମାନଙ୍କୁ ଦେଇଥିଲେ। କିନ୍ତୁ ଦୁର୍ବୃତ୍ତମାନେ ଏହାକୁ ନେବାକୁ ମନା କରିବା ସହ ଆମକୁ କ୍ଷମା କରିଦେବ ବୋଲି କହି ଚାଲି ଯାଇଥିଲେ। ଲୁଟେରାମାନେ ମୁହଁରେ ମାକ୍ସ ଏବଂ ହାତରେ ଗ୍ଲୋବସ୍‌ ପିନ୍ଧି ହିନ୍ଦୀ ଓ ଓଡ଼ିଆ କହୁଥିଲେ ବୋଲି ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ତେବେ ମିଶ୍ର ଦମ୍ପତିଙ୍କ ଏକ ମାତ୍ର ପୁଅ ଅଛି ବୋଲି ଦୁର୍ବୃତ୍ତମାନେ ଜାଣିଥିବାରୁ ଏମାନେ ସ୍ଥାନୀୟ ଅଞ୍ଚଳର ବୋଲି ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିପାରିଛି। ତଦନ୍ତ ଚାଲିଛି, ଏହି ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଖୁବ ଶୀଘ୍ର ଚିହ୍ନଟ କରାଯିବ ବୋଲି ମନମୁଣ୍ଡା ଥାନାଧିକାରୀ ଗୋପୀନାଥ ପ୍ରଧାନ ସୂଚନା ଦେଇଛନ୍ତି।