ସଫେଇ ଆଳରେ ସୁନାଗହଣା ଲୁଟ୍‌

ଚଣ୍ଡିଖୋଲ : ବଡ଼ଚଣା ଥାନା ଅନ୍ତର୍ଗତ ଚଣ୍ଡିତଳ ଗ୍ରାମରେ ଦୁଇଜଣ ଅଜ୍ଞାତ ବ୍ୟକ୍ତି ସଫା କରିବାକୁ କହି ଜଣେ ମହିଳାଙ୍କ ସୁନାଗହଣା ନେଇ ଫେରାର ହୋଇଯାଇଛନ୍ତି। ଥାନାରେ ଅଭି​ଯୋଗ ହୋଇନଥିଲେ ମଧ୍ୟ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସୂଚନା ମୁତାବକ, ଗୁରୁବାର ପୂର୍ବାହ୍ଣରେ ଏକ କଳା ରଙ୍ଗର ପଲସର୍‌ ବାଇକ୍‌ରେ ଜଣେ ପୁରୁଷ ଓ ଜଣେ ମହିଳା ଚଣ୍ଡିତଳ ଗ୍ରାମରେ ପହଞ୍ଚିଥିଲେ। ସେମାନେ ପତଞ୍ଜଳି କମ୍ପାନିର କର୍ମଚାରୀ ବୋଲି ପରିଚୟ ଦେଇ ମାର୍କେଟିଂ କରିବା ପାଇଁ ଆସିଥିବା କହିଥିଲେ। ହେଲେ ଗ୍ରାମବାସୀ ସେମାନଙ୍କ କଥା ଶୁଣିନଥିଲେ। ଫେରି ଯାଉଥିବା ବେଳେ ସେମାନେ ଗ୍ରାମ ଶେଷ ମୁଣ୍ଡରେ ଥିବା ମହେଶ୍ୱର ମହାନ୍ତିଙ୍କ ଘର ପାଖରେ ପହଞ୍ଚି ମହେଶ୍ବରଙ୍କ ପତ୍ନୀ ସୁନନ୍ଦାଙ୍କୁ ପୁରୁଣା ସୁନା ଓ ରୁପା ଅଳଙ୍କାର ସଫା କରିବାକୁ ଆସିଛନ୍ତି ବୋଲି କହିଥିଲେ। ସେମାନଙ୍କୁ ବିଶ୍ୱାସ କରି ସୁନନ୍ଦା ଘର ଭିତରକୁ ଯାଇ ଗୋଟିଏ ସୁନା ଚେନ, ସୁନା କାନଫୁଲ ଓ ହଳେ ରୁପା ପାଉଁଜି ଆଣି ସଫା କରିବାକୁ ଦେଇଥିଲେ। ଗହଣାତକ ନେବା ପରେ ମହିଳାଜଣକ ପାଣି ପିଇବାକୁ ମାଗିଥି​ଲା। ସୁନନ୍ଦା ପାଣି ଆଣିବାକୁ ଘର ଭିତରକୁ ଯିବା ପରେ ଦୁଇ ଲୁଟେରା ସୁନାରୁପା ଗହଣା ଧରି ସେଠାରୁ ଚମ୍ପଟ ମାରିଥିଲେ। ସୁନନ୍ଦା ବାହାରକୁ ଆସି ସେମାନେ ନଥିବା ଦେଖିବାକୁ ପାଇଥିଲେ। ତାଙ୍କ ପାଟି ଶୁଣି ଗ୍ରାମବାସୀ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ ଦୁଇ ଲୁଟେରାଙ୍କ ପତ୍ତା ମିଳିନଥିଲା।

ପ୍ରକାଶ ଯେ, ଏହି ଗ୍ରାମରେ ଗତ ୨୦୧୩ ମସିହାରେ ସମାନ ଢଙ୍ଗରେ ଏକ ଲୁଟ୍‌ ଘଟଣା ଘଟିଥିଲା। ହେଲେ ଏନେଇ ଥାନା​ରେ ଅଭିଯୋଗ ହୋଇନାହିଁ।

ସମ୍ବନ୍ଧିତ ଖବର