ଫିଲ୍ମ ଷ୍ଟାଇଲରେ ଲୁଟ୍: ବଣିଆଙ୍କ ଘରୁ କଳାକନା ବୁଲେଇଲା ଲୁଟେରା

ମାଲକାନଗିରି: ଫିଲ୍ମ ଷ୍ଟାଇଲରେ ଲୁଟ୍। ଏଭଳି ଲୁଟ୍ ହୋଇଛି ମାଲକାନଗିରି ସଦର ମହକୁମା ବିବିଗୁଡ଼ା କଲୋନିରେ। ମିଠାରେ ନିଶା ମିଶାଇ ଖାଇବାକୁ ଦେବା ପରେ ଅତି ସହଜରେ ବଣିଆଙ୍କ ଘରୁ କଳା କନା ବୁଲେଇଲା ଲୁଟେରା। ୩୫ ଲକ୍ଷର ସୁନା ଗହଣା ସହ ନଗଦ ୨ ଲକ୍ଷ ଟଙ୍କା ଧରି ଫେରାର ମାରିଲା ଲୁଟେରା। ଲୁଟ୍ ପାଇଁ ଲୁଟେରା ପ୍ରାୟ ୩ ମାସ ଆଗରୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା।

ସେ ୩ ମାସ ତଳେ ବଣିଆଙ୍କ ଘରେ ଭଡ଼ା ରହିବା ପରେ ଗତିବିଧିକୁ ଦେଖୁ ଲୁଟର ଯୋଜନା କଲା। ଗତକାଲି ରାତି ୮ଟା ସମୟରେ ନିଜର ଚାକିରି ହୋଇଯାଇଥିବା କହି ବଣିଆଙ୍କ ପରିବାର ଲୋକଙ୍କୁ ମିଠା ଦେବା ସହ ନିକଟସ୍ଥ ୭ରୁ ୮ଟି ପରିବାରକୁ ମିଠା ଖୁଆଇଥିଲା। ମିଠା ଖାଇବାର ୨ ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ। ପରେ ଅତି ସହଜରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଘରର କବାଟ ତାଡ଼ି ଘରେ ପଶି ଅତି ସହଜରେ ସୁନା ଗହଣା ସେ ଲୁଟି ନେଇଥିଲା। ଏବେବି ମିଠା ଖାଇଥିବା ସମସ୍ତ ବ୍ୟକ୍ତି ନିଶାସକ୍ତ ହୋଇ ରହିଛନ୍ତି।

ଏହି ଘଟଣା ଜାଣିବା ପରେ ସଦର ମହକୁମା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରିକି ସିସିଟିଭି ଥିଲେ ମଧ୍ୟ ସିସିଟିଭିକୁ କାଟି ନେଇଯାଇଛି ଲୁଟେରା। ସମସ୍ତ ଦିଗକୁ ପୁଲିସ ତଦନ୍ତକରି ଚୋରକୁ ଧରାଯିବ ବୋଲି ଥାନା ଅଧିକାରୀ କହିଛନ୍ତି।

 

ସମ୍ବନ୍ଧିତ ଖବର