ଆସିକା : କିଛିମାସର ବିରତି ପରେ ଗଞ୍ଜାମ ଜିଲ୍ଲାର ଅପରାଧର ଅମରାବତୀ ଭାବେ ଅପଖ୍ୟାତି ରଖିଥିବା ଆସିକା ସହର ପୁଣି ଅଶାନ୍ତ ହୋଇଉଠିଛି। ଆଜି ରାତି ପ୍ରାୟ ୮ଟାରେ ଚାରିଜଣ ଯୁବକ ଏକ ବାଇକ୍‌ରେ ଆସି ଜନଗହଳିପୂର୍ଣ୍ଣ ମହାତ୍ମାଗାନ୍ଧୀ ‌ରୋଡ଼୍‌ରେ ଆତଙ୍କ ଖେଳାଇଛନ୍ତି। ସୁନା ବେପାରୀ ତଥା ମହାଲକ୍ଷ୍ମୀ ଜୁଏଲର୍ସ ମାଲିକ ପି.ପ୍ରଭାକର ପାତ୍ର (୫୮) ଘରେ ପଶି ଲୁଟ୍‌ପାଟ୍ ସହ ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହାସହ ତାଙ୍କ ବଡ଼ଝିଅ କରିସ୍ମାଙ୍କୁ ବି ଆକ୍ରମଣ କରିଛନ୍ତି।

Advertisment

ପ୍ରଭାକର ଓ କରିସ୍ମା (୨୭)ଙ୍କୁ ଗୁରୁତର ଅବସ୍ଥାରେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରଭାକରଙ୍କ ମୁଣ୍ଡ, ବାମକାନ୍ଧ ସମେତ ଶରୀରର ବିଭିନ୍ନ ସ୍ଥାନରେ ମାରଣାସ୍ତ୍ରର ଆଘାତ ଲାଗିଛି। କରିସ୍ମାଙ୍କ ବାମହାତରେ ଚୋଟ ପଡ଼ିଥିବା ଜଣାପଡ଼ିଛି। ଏହି ଘଟଣା ସହରରେ ଆଲୋଡ଼ନ ସୃଷ୍ଟି କରିଛି।

ପ୍ରଭାକରଙ୍କ ଘରକୁ ଲାଗି ତାଙ୍କ ଦୋକାନ ରହିଛି। ଦୋକାନ ବନ୍ଦ କରି ଘରେ ଥିବା ବେଳେ ରାତି ପ୍ରାୟ ୮ଟାରେ ମୁଖା ଓ ହେଲମେଟ୍ ପିନ୍ଧିଥିବା ଚାରିଜଣ ଯୁବକ ତିନିଟି ବାଇକ୍‌ରେ ଆସିଥିଲେ। ଘରର କବାଟ ବାଡ଼େଇବାରୁ କରିସ୍ମା ଖୋଲିଥିଲେ। ଦେଖୁ ଦେଖୁ ମାରଣାସ୍ତ୍ର ଏବଂ ମାଉଜର୍ ସହ ଘର ଭିତରେ ଧସେଇ ପଶି ପ୍ରଭାକରଙ୍କୁ ଲକର୍ ଚାବି ମାଗିଥିଲେ। ଝିଅ କରିସ୍ମାଙ୍କୁ ବାନ୍ଧି ଆତଙ୍କରାଜ୍‌ ଆରମ୍ଭ କରି ଦେଇଥିଲେ। ପ୍ରଭାକରଙ୍କୁ ମିଳିତ ଭାବେ ସେମାନେ ଆକ୍ରମଣ କରିବାରୁ କରିସ୍ମା ପ୍ରତିରୋଧ କରିଥିଲେ। ଫଳରେ ତାଙ୍କ ହାତକୁ ଦୁର୍ବୃତ୍ତମାନେ ଚୋଟ ପକାଇଥିଲେ। ଏହାସହ କିଛି ସାମଗ୍ରୀ ଲୁଟି ନେଇଥିଲେ। ୫ ମିନିଟ୍ ଧରି ଆତଙ୍କ ଖେଳାଇବା ପରେ ଦୁର୍ବୃତ୍ତମାନେ ପଳାଇଥିଲେ। ପ୍ରଭାକର ଓ କରିସ୍ମାଙ୍କୁ ଆସିକା ଡାକ୍ତରଖାନା ନିଆଯାଇଥିଲା।

ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂହ ଓ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସଦଳବଳେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିସି କ୍ୟାମେରା ଫୁଟେଜ୍‌ ଯାଞ୍ଚ କରାଯିବା ସହ ଅପରାଧୀଙ୍କୁ ଧରିବାକୁ ଛାନଭିନ୍ ଜାରି ରହିଛି।