ସଫେଇ ଆଳରେ ମହିଳାଙ୍କ ଠାରୁ ଲୁଟିନେଲେ ସୁନାଚେନ୍-କାନଫୁଲ, ବାଇକ୍‌ରେ ଆସିଥିଲେ ଦୁଇ ଦୁର୍ବୃତ୍ତ

ଭଞ୍ଜନଗର: କିଛି କ୍ଷଣ ମଧ୍ୟରେ ନୂଆଁ ଭଳି ଚମକିବ ବ୍ୟବହାର କରିଥିବା ସୁନା ରୁପା ଅଳଙ୍କାର। ସେ ପୁଣି ସଂପୂର୍ଣ୍ଣ ଭାବେ ମାଗଣାରେ। ସୁନାରୀ ପାଖକୁ ଗଲେ ସୁନା ଚୋରି ହୋଇଯିବାର ଭୟ ରହିଛି କିନ୍ତୁ ଆମ କମ୍ପାନି ତିଆରି କରିଥିବା ପାଉଡରକୁ ନିଜେ ବ୍ୟବହାର କରି ପୁରଣା ସୁନା ଅଳଙ୍କାରକୁ କିଛି ସମୟ ମଧ୍ୟରେ ନୂଆଁ ଭଳି ଚମକାଇ ପାରିବେ। ଏଭଳି କିଛି ଶଦ୍ଦ ଚାତୁରୀରେ ଏକାକୀ ରହୁଥିବା ମହିଳାଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା। ସେ ପୁଣି ଦିନ ଦ୍ବିପ୍ରହରରେ ଜନଗହଳି ଇଲାକାରୁ। ଆଖି ସାମ୍ନାରେ ଲୁଟି ନେଇଗଲେ ସଫା କରିବା ବାହାନାରେ ମାଗିଥିବା ସମସ୍ତ ସୁନା। ଏଭଳି ଏକ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧୀନ ଭେଜିପୁଟ ବାଲିସାହିରେ। ବର୍ତ୍ତମାନ ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏକ ବାଇକ୍‌ରେ ଆସି ସୁନା ରୁପା ସଫା କରିବାକୁ ମାଗି ଅତି ଚତୁରତାର ସହ ଲୁଟ କରି ଚାଲିଗଲେ ଦୁଇଜଣ ଦୁର୍ବୃତ୍ତ। ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ ଲୁଟେରା ମାନଙ୍କୁ କାବୁ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ କରିଛି।

ସୂଚନା ଅନୁଯାୟୀ, ସହରର ଭେଜିପୁଟ ବାଲିସାହିର ସ୍ବର୍ଗତ ଜଟିଆ ଭୂୟାଁରଙ୍କର ଝିଅ ରେଣୁକା ଭୂୟାଁ ଆଜି ସକାଳ ୧୦ଟା ସମୟରେ ବୁଲା ବିକାଳିଙ୍କ ଠାରୁ ପରିବା କିଣୁଥିବା ସମୟରେ ହିନ୍ଦି ଭାଷା କହୁଥିବା ଦୁଇଜଣ ଯୁବକ ଆସି ରେଣୁକାଙ୍କୁ ପାଉଡର କିଣିବା ପାଇଁ କହିଥିଲେ। ଏକ କମ୍ପାନି ପକ୍ଷରୁ ଆସିବା ସହ ତମ୍ବା, ପିତଳ, ରୁପା ଓ ସୁନା ଭଳି ପଦାର୍ଥକୁ ତାଙ୍କ ପାଉଡ଼ର ଦ୍ବାରା କିଛି ସମୟ ମଧ୍ୟରେ ଚମକାଇ ଦେବା କଥା ପ୍ରଥମେ କହିଥିଲେ।

ପ୍ରଥମେ ରେଣୁକା ତାଙ୍କର ଏହି ପାଉଡ଼ର ଆବଶ୍ୟକତା ନଥିବା କହିବା ପରେ ମଧ୍ୟ ସେମାନେ କିଛି ପିତଳ କିମ୍ବା ତମ୍ବା ଉପକରଣ ଆଣି ପରୀକ୍ଷା କରିବା ପାଇଁ କହିଥିଲେ। ବାରମ୍ବାର ସେହି ଯୁବକ ଦ୍ବୟ କହିବା ପରେ ଗୋଟିଏ ପିତଳ ଢାଳ ଆଣି ସେମାନଙ୍କୁ ଦେଇଥିଲେ। ଏହାପରେ ରେଣୁକାଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ପ୍ରଥମେତ ସେହି ଢାଳକୁ ସେମାନଙ୍କ ସାଙ୍ଗରେ ଆଣିଥିବା ପାଉଡର ଦ୍ବାରା ସଫା କରିଦେଇଥିଲେ। ଏହାପରେ କିଛି ରୁପାର ଅଳଙ୍କାର ସଫା କରିବାକୁ ମାଗିଥିଲେ। ସେ ନିଜେ ପିନ୍ଧିଥିବା ପାଉଁଚି ମଧ୍ୟରୁ ଗୋଟିଏ ବାହାର କରି ଦେଇଥିଲେ। ଗୋଟିଏ ରୂପା ପାଉଁଜି ନେଇ ସେମାନେ ତାକୁ ମଧ୍ୟ ସୁନ୍ଦର ଭାବେ ସଫା କରି ରେଣୁକାଙ୍କୁ ଫେରାଇ ଦେଇଥିଲେ।

ଏହାପରେ ସୁନା ଅଳଙ୍କାର ମାଗିବାରୁ ପ୍ରଥମେ ମନା କରିଥିବା ବେଳେ ପରେ ସଫା କରିବା ପାଇଁ କାନରୁ ବାହାର କରିଦେବା ସହ ଚେନ ମଧ୍ୟ ଦେଇଥିଲେ। ଗୋଟିଏ ପାତ୍ରରେ ହଳଦୀ ପାଣି ଆଣିବାକୁ ରେଣୁକାକୁ କହିବା ସହ ସେହି ପାତ୍ରରେ ଚେନ୍ ଆଉ କାନଫୁଲକୁ ରଖିଥିବା ରେଣୁକାକୁ ଦେଖାଇଥିଲେ। କୌଶଳ କ୍ରମେ ସେଥି ମଧ୍ୟରୁ ସେହି ଚେନ୍ ଓ କାନଫୁଲକୁ ବାହାର କରି ଖାଲି ହଳଦୀ ପାଣି ପାତ୍ରକୁ ଗରମ କରିବାକୁ କହିଥିଲେ। ସେହି ପାତ୍ରକୁ ନେଇ ରେଣୁକା ଗରମ କରିବା ପାଇଁ ଘର ଭିରକୁ ଯିବା ବେଉଳେ ତାଙ୍କର ସନ୍ଦେହ ଜାତ ହେବାରୁ ସେହି ହଳଦୀ ପାଣି ଭିତରେ ହାତ ମାରି ଦେଖିବା ବେଳକୁ ସେଥି ମଧ୍ୟରେ କିଛି ନଥିବା ଜାଣିବାକୁ ପାଇଁ ବାହାରକୁ ଦୌଡି ଆସିବା ବେଳକୁ ଲୁଟେରା ମାନେ ସେଠାରୁ ଚମ୍ପଟ ମାରିସାରିଥିଲେ। ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଆଖପାଖ ଇଲାକାରେ ଚଢଉ କରିଥିଲେ ମଧ୍ୟ କୌଣସି ସୁରାକ ପାଇପାରିନାହିଁ।

ସମ୍ବନ୍ଧିତ ଖବର