ପୁରୀ : ଆଗକୁ ରଥଯାତ୍ରା ଥିବାବେଳେ ମହାପ୍ରଭୁଙ୍କ ସୁବର୍ଣ୍ଣ କୁଣ୍ଡଳ ଓ ଶ୍ରୀଭୁଜ ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି । ଏସବୁ ଅଳଙ୍କାର ମରାମତି ପରେ ସୁନାବେଶଦିନ ରଥଉପରେ ମହାପ୍ରଭୁ ସୁନା ଅଳଙ୍କାରରେ ବିଭୂଷିତ ହେବେ ।
ମିଳିଥିବା ସୂଚନା ଅନୁସାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ୨ଟି ଓ ଶ୍ରୀ ବଳଭଦ୍ରଙ୍କର ୨ଟି ଶ୍ରୀଭୂଜର ମରାମତି କରାଯିବ । ଏହା ସହିତ ଉଭୟଙ୍କ ସୁବର୍ଣ୍ଣ କୁଣ୍ଡଳର ମରାମତି ମଧ୍ୟ କରାଯିବ । ଷ୍ଟେଟ ବ୍ୟାଙ୍କରୁ ମହାପ୍ରଭୁଙ୍କ ୧୨ ଶହ ଗ୍ରାମ ସୁନା ଅଣାଯାଇ ଏହି ମରାମତି କାମ କରାଯିବ । ଆସନ୍ତା କାଲି ଅର୍ଥାତ ଦ୍ବାଦଶୀରୁ ନାଭିକଟା ମଣ୍ଡପରେ ଏହି ମରାମତି କାମ ଆରମ୍ଭ ହେବ । ଏହି ମରାମତି କାମ ପାଇଁ ଏକ ଘରୋଇ ଜୁଏଲାରୀ ସଂସ୍ଥାକୁ ଦାୟିତ୍ବ ଦିଆଯାଇଛି । ଉକ୍ତ ସଂସ୍ଥାର ୪ ଜଣ କାରିଗର ଏହି ମରାମତି କାମ କରିବେ ।
ସୂଚନାଯୋଗ୍ୟ ଯେ, ଆସନ୍ତା ୧୨ ତାରିଖରେ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା, ୨୦ରେ ବାହୁଡ଼ା ଓ ୨୧ରେ ସୁନାବେଶ ଅନୁଷ୍ଠିତ ହେବ ।