କୋରାପୁଟର ଟ୍ୟାକ୍ସି ଡ୍ରାଇଭରଙ୍କ ବଦାନ୍ୟତା ଯୋଗୁଁ ଗହଣା ଭର୍ତ୍ତି ବ୍ୟାଗ ଫେରି ପାଇଲେ ଆନ୍ଧ୍ରର ମହିଳା

ସେମିଲିଗୁଡ଼ା: ଆଜି ବି ସମାଜରେ ଭଲ ଲୋକଙ୍କର ଅଭାବ ନାହିଁ। ଭୁଲବଶତଃ କାରରୁ ଖସି ପଡ଼ିଥିବା ଜଣେ ମହିଳାଙ୍କ ଗହଣା ବ୍ୟାଗକୁ ଟ୍ୟାକ୍ସି ଡ୍ରାଇଭର ଫେରାଇ ଦେଇଛନ୍ତି। କୋରାପୁଟର ଟ୍ୟାକ୍ସି ଡ୍ରାଇଭର ସୂର୍ଯ୍ୟନାରାୟଣ ଦାସଙ୍କ ବଦାନ୍ୟତା ଯୋଗୁ ବ୍ୟାଗକୁ ଫେରି ପାଇଛନ୍ତି ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ମହିଳା।

ଆଜି ସକାଳ ପ୍ରାୟ ୬ଟା ୩୦ ସମୟରେ ବିଶାଖାପାଟଣାରେ ରହୁଥିବା ଜି. ଶ୍ୟାମଳା ନିଜ ସ୍ୱାମୀ ଜି. ଦୁର୍ଗା ରାଓଙ୍କ ସହ କାର ଯୋଗେ  ଏକ ପାରିବାରିକ ଉତ୍ସବରେ ଯୋଗ ଦେବା ପାଇଁ  କୋରାପୁଟ ମାଳିସାହିସ୍ଥିତ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ସେଠାରେ ସେ ନିଜର ବ୍ୟାଗ ଓହ୍ଲାଇବା ସମୟରେ ଭୁଲବଶତଃ ସୁନା ଗହଣା ଥିବା ଏକ ହାଣ୍ଡବ୍ୟାଗ ଗାଡି ଥିବା ଜାଗାରେ ଖସି ପଡ଼ିଥିବା ବେଳେ ଏହାକୁ ଜାଣି ନପାରି ଶ୍ୟାମଳା ଘର ଭିତରକୁ ସ୍ନାନ କରିବାକୁ  ପଳାଇ ଯାଇଥିଲେ। କିଛି ସମୟ ପରେ ଉକ୍ତ ରାସ୍ତା ଦେଇ କୋରାପୁଟ ସହରର ଜଣେ ଟ୍ୟାକ୍ସି ଚାଳକ ସୂର୍ଯ୍ୟନାରାୟଣ ଦାସ ଯାଉଥିବା ସମୟରେ ରାସ୍ତାରେ ବ୍ୟାଗ ପଡ଼ିଥିବା ଦେଖିଥିଲେ। ବ୍ୟାଗକୁ ନିଜ ପାଖରେ ରଖି  ବ୍ୟାଗ ମାଲିକଙ୍କୁ ଖୋଜି ନ ପାଇବା ପରେ ଫେସ୍‌ବୁକରେ ଥିବା ବିଭିନ୍ନ ଗ୍ରୁପରେ ପୋଷ୍ଟ କରିଥିଲେ।

ସ୍ନାନ ସାରି ଶ୍ୟାମଳା ବ୍ୟାଗ ଖୋଜି ନପାଇବାରୁ ବ୍ୟତିବ୍ୟସ୍ତ ହୋଇ କୋରାପୁଟ ଟାଉନ ଥାନାରେ ଜଣାଇଥିଲେ। ଏହାପରେ ପୁଲିସ ପାଖରେ ଥିବା ସିସିଟିଭି ଦେଖିବା ପରେ ସୂର୍ଯ୍ୟଙ୍କୁ ଫୋନ କରିବା ପରେ ସୂର୍ଯ୍ୟ ବ୍ୟାଗ ତାଙ୍କ ପାଖେ ଥିବା କହିବା ସହ ସେ ଭଡା ପାଇଁ ସେମିଲିଗୁଡା ଅଞ୍ଚଳରେ ଏକ ହୋଟେଲ ନିକଟରେ ଥିବା କହିଥିଲେ। ଏହା ପରେ ତୁରନ୍ତ ସେମିଳିଗୁଡା ଥାନାକୁ ଯୋଗାଯୋଗ କରାଯିବାରୁ ପୁଲିସ ହୋଟେଲ ନିକଟରେ ପହଞ୍ଚି ସୂର୍ଯ୍ୟଙ୍କ ଠାରୁ ବ୍ୟାଗଟିକୁ ହେପାଜତରେ ନେଇଥିଲେ। କିଛି ସମୟ ପରେ କୋରାପୁଟ ଟାଉନ ଥାନା ଏ ସଆଇ ଶରତ କୁମାର ବିଷୋୟୀ ଶ୍ୟାମଳା ଓ ଦୁର୍ଗା ରାଓଙ୍କୁ ଧରି ପହଂଚିବା ପରେ ଶ୍ୟାମଳା ବ୍ୟାଗ ଟିକୁ ଖୋଲି  ଅଳଙ୍କାର ସବୁ ଠିକ ଥିବା ଦେଖି ଖୁସିରେ କାନ୍ଦି ପକାଇ ଥିଲେ। ବ୍ୟାଗ ଟିରେ ଲୁଗାପଟା ସହ ସମୁଦାୟ ୭ ଭରି ଓଜନର ଗୋଟିଏ ହାର ଓ ଗୋଟିଏ ମଙ୍ଗଳ ସୂତ୍ର ଥିଲା। ଉପସ୍ଥିତ ଲୋକେ ସୂର୍ଯ୍ୟଙ୍କୁ ସାଧୁବାଦ ଜଣାଇବା ସହ ପ୍ରଶଂସା କରିଥିଲେ। ସେମିଳିଗୁଡା ଥାନା ଏସ ଆଇ ଦୀପକ କୁମାର ବାରିକ ଓ ଦିଗାନ୍ତ ବିହାରୀ ପ୍ରଭୁ ସହାୟଙ୍କ ଉପସ୍ଥିତିରେ ଶ୍ୟାମଳାଙ୍କୁ ସୂର୍ଯ୍ୟ ବ୍ୟାଗ ହସ୍ତାନ୍ତର କରିଥିଲେ ।

ସମ୍ବନ୍ଧିତ ଖବର