ଭୁବନେଶ୍ବର: ମୂଲ୍ୟବାନ ଧାତୁ ସୁନା ଏବେ ବଜାରରେ ଚମକୁଛି। ଦିନକୁ ଦିନ ସୁନା ମହଙ୍ଗା ହେବାରେ ଲାଗିଛି। ଶୁକ୍ରବାର ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ରେକର୍ଡ ୬୩ ହଜାର ଟଙ୍କା ଛୁଇଁଛି। ଗୁରୁବାର ତୁଳନାରେ ଶୁକ୍ରବାର ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୩୦୦ ଟଙ୍କା ବୃଦ୍ଧି ଘଟିଛି। ସେହିପରି ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ମଧ୍ୟ ରେକର୍ଡ ୬୮,୭୩୦ ଟଙ୍କାରେ ପହଞ୍ଚିଛି। ଗୁରୁବାର ତୁଳନାରେ ୨୪ କ୍ୟାରେଟ୍ ସୁନା ମୂଲ୍ୟରେ ୧୪୨୦ ଟଙ୍କା ବୃଦ୍ଧି ଘଟିଛି। ଏହା ପୂର୍ବରୁ ମାର୍ଚ୍ଚ ୨୧ ତାରିଖ ଦିନ ସୁନା ମୂଲ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା। ସେହିଦିନ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୬୭,୫୭୦ ଟଙ୍କା ଛୁଇଁଥିବାବେଳେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୬୧,୯୫୦ ଟଙ୍କା ଛୁଇଁଥିଲା।

Advertisment

ସୂଚନା ମୁତାବକ, ଚଳିତମାସ ୧ ତାରିଖରେ ଭୁବନେଶ୍ବରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୫୭,୯୦୦ ଟଙ୍କା ଏବଂ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୩,୧୬୦ ଟଙ୍କା ରହିଥିଲା। ତେଣୁ ୨୨ କ୍ୟାରେଟ ସୁନା ଦାମ୍‌ ବୃଦ୍ଧି ଉପରେ ନଜର ପକାଇଲେ ଜଣାଯାଏ ମାର୍ଚ୍ଚ ମାସରେ ବର୍ତ୍ତମାନ ସୁଦ୍ଧା ଏହାର ମୂଲ୍ୟରେ ୮.୮୧ ପ୍ରତିଶତ ବା ୫୧୦୦ ଟଙ୍କା ବୃଦ୍ଧି ଘଟିଲାଣି। ସେହିଭଳି ମାର୍ଚ୍ଚ ପହିଲାରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୬୩,୧୬୦ ଟଙ୍କା ଥିଲା। ୨୯ ତାରିଖରେ ଏହା ୬୮,୭୩୦ ଟଙ୍କା ଛୁଇଁଛି। ଅର୍ଥାତ୍‌ ଗତ ୨୯ ଦିନ ମଧ୍ୟରେ ୨୪ କ୍ୟାରେଟ୍‌ ସୁନା ମୂଲ୍ୟରେ ୮.୮୨ ପ୍ରତିଶତ ବା ୫୫୭୦ ଟଙ୍କା ବୃଦ୍ଧି ଘଟିଛି। ରାଜଧାନୀର ଜଣେ ପ୍ରମୁଖ ସୁନା ବ୍ୟବସାୟୀଙ୍କ କହିବାନୁଯାୟୀ, ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ବୃଦ୍ଧି ଫଳରେ ଭାରତରେ ମଧ୍ୟ ଏହାର ମୂଲ୍ୟବୃଦ୍ଧି ଘଟୁଛି। ମୁଖ୍ୟତଃ ଚାରି ପାଞ୍ଚଟି କାରଣରୁ ବଜାରରେ ଏବେ ସୁନାମୂଲ୍ୟ ବଢ଼ୁଛି। ସେଥିରୁ ଗୋଟିଏ ହେଲା ୨୦୨୪ରେ ବିଶ୍ବର ବିକଶିତ ଦେଶଗୁଡ଼ିକରେ ଅର୍ଥନୈତିକ ଅଭିବୃଦ୍ଧି ମନ୍ଥର ରହିବା ଏକ କାରଣ। ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ସୁଧ ହାର କୋହଳ କରୁ ନଥିବା କାରଣରୁ ଅଭିବୃଦ୍ଧି ବାଧାପ୍ରାପ୍ତ ହୋଇଛି। ଏହାବ୍ୟତୀତ ଅନ୍ୟ ପ୍ରମୁଖ କାରଣଟି ହେଲା ରୁଷ-ୟୁକ୍ରେନ ଏବଂ ହମାସ-ଇସ୍ରାଏଲ ଯୁଦ୍ଧ। ଏଥିଯୋଗୁ ବିଶ୍ବରେ ଯେଉଁ ଭୌଗୋଳିକ ଏବଂ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇଛି ତାହାର ପ୍ରଭାବ ସୁନା ଦର ଉପରେ ପଡ଼ିଛି। ଏଥିସହିତ ଉଚ୍ଚ ମୁଦ୍ରାସ୍ଫୀତି ଏବଂ ମୁଦ୍ରାର ମୂଲ୍ୟ ହ୍ରାସ କାରଣରୁ ଲୋକମାନେ ସୁନାକୁ ଅପେକ୍ଷାକୃତ ନିରାପଦ ନିବେଶ ଭାବେ ବିବେଚନା କରୁଛନ୍ତି। କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ମଧ୍ୟ ଅଧିକ ପରିମାଣର ସୁନା ମହଜୁଦ କରି ରଖୁଛନ୍ତି। ଏହି କାରଣରୁ ୨୦୨୩ କ୍ୟାଲେଣ୍ଡର ବର୍ଷରେ ବିଶ୍ବରେ ସୁନା ଚାହିଦା ରେକର୍ଡ ୪୮୯୯ ଟନରେ ପହଞ୍ଚିଥିଲା।

ଏଭଳି ସ୍ଥିତିରେ ୱାର୍ଲଡ ଗୋଲ୍‌ଡ କାଉନସିଲର ଆକଳନ ଅନୁଯାୟୀ, ୨୦୨୪ କ୍ୟାଲେଣ୍ଡର ବର୍ଷରେ ଭାରତରେ ସୁନା ଚାହିଦା ୮୦୦ରୁ ୯୦୦ ଟନକୁ ବୃଦ୍ଧି ପାଇବ। ଅର୍ଥନୈତିକ ଅଭିବୃଦ୍ଧି ଏବଂ ଲୋକଙ୍କ ଆୟ ଭଲ ରହିବା କାରଣରୁ ଭାରତରେ ସୁନା ଚାହିଦା ବଢ଼ିବ ବୋଲି କୁହାଯାଉଛି। ଚଳିତବର୍ଷ ଭାରତ ସମେତ ଯୁକ୍ତରାଷ୍ଟ୍ର ଆମେରିକା, ବ୍ରିଟେନ ଆଦି ଦେଶରେ ନିର୍ବାଚନ ଅଛି। ନୂଆ ସରକାର ଗଠନ ପରେ ବିଶ୍ବର ରାଜନୈତିକ ଏବଂ ଅର୍ଥନୈତିକ ନୀତି ନୂଆ ରୂପ ନେଇପାରେ। ଏହାର ପ୍ରଭାବ ମଧ୍ୟ ସୁନା ଦାମ୍‌କୁ ପ୍ରଭାବିତ କରିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।