କଟକ: କଟକ ସହରରେ ବିଭିନ୍ନ ସାହିରେ ଥିବା ସଂକୀର୍ତ୍ତନ ମଣ୍ଡଳୀଙ୍କର ୧୫୦ରୁ ଅଧିକ ଦୋଳବିମାନ ରହିଥିବା ବେଳେ ଅନେକ ଦୋଳବିମାନରେ ଚାନ୍ଦି ବ୍ୟବହାର ହୋଇଛି। କିନ୍ତୁ ସହରରେ ପ୍ରଥମ ଥର ପାଇଁ କାଠଗଡ଼ାସାହି ଦୋଳବିମାନରେ ସୁନା ଦେଖିବାକୁ ମିଳିବ। ଆସନ୍ତା ୧୯ତାରିଖରେ ଆରମ୍ଭ ହେଉଥିବା ଦୋଳମେଲଣରେ କାଠଗଡ଼ାସାହିର ସୁନା ଦୋଳବିମାନ ଅଂଶଗ୍ରହଣ କରିବ। ସୁନା କାରୁଚାର୍ଯ୍ୟ ସରିଯାଇଥିବା ବେଳେ କେବଳ ଦୋଳବିମାନରେ ସୁନା ଖଞ୍ଜା ହେବା ବାକି ରହିଛି। ଦୋଳମେଲଣ ପୂର୍ବରୁ ଏହି କାର୍ଯ୍ୟ ସଂପୂର୍ଣ୍ଣ ହେବ ବୋଲି ସୂଚନା ମିଳିଛି।
ସହରର ପୁରାତନ ସାହିଭାବେ କାଠଗଡ଼ାସାହିର ବହୁ ପୂର୍ବରୁ ଦୋଳବିମାନ ରହିଛି। ସଂପୃକ୍ତ ଦୋଳବିମାନରେ ସୁନା ଛାଉଣି କରିବାକୁ ସାହିବାସୀ ଯୋଜନା କରିଥିବା ବେଳେ ଏଥିରେ ୪କିଲୋଗ୍ରାମ ସୁନା ବ୍ୟବହାର କରିବାକୁ ଚୂଡାନ୍ତ ହୋଇଥିଲା। ଅଲିଶାବଜାର ସୁନା କାରିଗର ପ୍ରଦୀପ କୁମାର ପୃ୍ଷ୍ଟିଙ୍କୁ ଏହି ଦାୟିତ୍ବ ଦିଆଯାଇଥିଲା। ଏହା ମଧ୍ୟରେ କାରିଗର ଶ୍ରୀ ପୃଷ୍ଟି କାମ ଆରମ୍ଭ କରିଥିଲେ ମଧ୍ୟ ଏବେ ସୁଦ୍ଧା ଅଢ଼େଇ କିଲୋଗ୍ରାମ ସୁନା କାରୁକାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଦୋଳବିମାନର ଦୁଇ ଭାଗ ଆଧାର(ବେସ୍) ଓ ମୁକୁଟ(ଶୀର୍ଷ) ମଧ୍ୟରୁ କେବଳ ଆଧାର(ବେସ୍) ପାଇଁ ସୁନା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଆସନ୍ତା ୧୯ତାରିଖରେ ଆରମ୍ଭ ହେବାକୁ ଥିବା ପାରମ୍ପରିକ ଦୋଳଯାତ୍ରାରେ ସୁନା କାରୁକାର୍ଯ୍ୟ ଖଞ୍ଜା ହୋଇଥିବା କାଠଗଡ଼ାସାହି ଦୋଳବିମାନ ସହର ପରିକ୍ରମା କରିବ। ଅବଶିଷ୍ଟ ଦେଢ଼ କିଲୋଗ୍ରାମ ସୁନା କାର୍ଯ୍ୟ ଦୋଳମେଲଣ ପରେ ବିମାନରେ ଖଞ୍ଜା ଯିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ଦୁର୍ଗାପୂଜା ପାଇଁ କଟକ ସହରରେ ୩୨ଟି ଚାନ୍ଦିମେଢ଼ ରହିଥିବା ବେଳେ ୧୦ରୁ ଅଧିକ ଚାନ୍ଦିମେଢ଼ରେ ସୁନା ବ୍ୟବହୃତ ହୋଇଛି। କିନ୍ତୁ ଦୋଳବିମାନରେ ପ୍ରଥମ ଥର ସୁନା ବ୍ୟବହାର କରି କାଠଗଡ଼ାସାହି ଏକ ନୂଆ କୀର୍ତ୍ତିମାନ ସୃଷ୍ଟି କରିଛି।