୧୨୦ କୋଟି ଟଙ୍କାର ବେପାର

ରାଜଧାନୀବାସୀ ଦୁଇ କ୍ୱିଣ୍ଟାଲ୍‌ ସୁନା କିଣିଲେ

ଭୁବନେଶ୍ୱର : ଧନ୍‌ତେରସ୍‌ ପାଇଁ ଗହଣା ସୋ’ରୁମ୍‌ ଗୁଡ଼ିକରେ ପ୍ରବଳ ଭିଡ଼। ସକାଳୁ ସୋ’ରୁମ୍‌ ଖୋଲିବା ପରେ ପରେ ଭିଡ଼ ଆରମ୍ଭ ହୋଇଯାଇଥିଲା ଏବଂ ଏହା ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରହିଥିଲା। ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ୧୨୦ କୋଟି ଟଙ୍କାର ବେପାର ହୋଇଥିବା କୁହାଯାଉଛି। ସେଥିମଧ୍ୟରୁ କେବଳ ରାଜଧାନୀର ସୁନା ଦୋକାନ ଗୁଡ଼ିକରେ ଦୁଇ କ୍ୱିଣ୍ଟାଲ୍‌ରୁ ଅଧିକ ସୁନା ବିକ୍ରି ହୋଇଥିବା ଆକଳନ କରାଯାଇଛି।

ରାଜଧାନୀ ଭୁବନେଶ୍ୱର ସମେତ କଟକ, ରାଉରକେଲା, ବ୍ରହ୍ମପୁର, ସମ୍ବଲପୁର, ବାଲେଶ୍ୱର ଆଦି ସହରକୁ ମିଶାଇଲେ ସାରା ରାଜ୍ୟରେ ପାଖାପାଖି ୪ କ୍ୱିଣ୍ଟାଲ ସୁନା ଗହଣା ବିକ୍ରି ହୋଇଛି। ଫଳରେ ସାରା ରାଜ୍ୟରେ ଧନତେରସ୍‌ରେ ଅଳଙ୍କାର ସୋ’ରୁମ୍‌ ଗୁଡ଼ିକ ୧୨୦ କୋଟି ଟଙ୍କାରୁ ଅଧିକ ବେପାର କରିଛନ୍ତି।
ଧନତେରସ୍‌ରେ ସୁନା ଓ ଅନ୍ୟ ମୂଲବାନ ଧାତୁ କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ ଲୋକଙ୍କ ମଧ୍ୟରେ ରହିଥିବାରୁ ସୋ’ରୁମ୍‌ ଗୁଡ଼ିକରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ବ୍ୟାଙ୍କଗୁଡ଼ିକରେ ମଧ୍ୟ ସୁନା କଏନ୍‌ ବିକ୍ରି ହୋଇଥିବା ଜଣାପଡ଼ିଛି।

ଗତବର୍ଷ ଧନ୍‌ତେରସ୍‌ରେ ସୁନା ବିକ୍ରି ପରିମାଣ ରାଜଧାନୀରେ ୬୦ କୋଟି ଟଙ୍କା ମଧ୍ୟରେ ରହିଥିଲା। ଏଥର ତା’ଠାରୁ ଅଧିକ ସୁନା ବିକ୍ରି ହୋଇଛି ବୋଲି ଏକ ପ୍ରମୁଖ ଗହଣା ସୋରୁମ୍‌ର ପ୍ରବନ୍ଧକ କହିଛନ୍ତି। ଗତବର୍ଷ ଭଳି ଏଥର ରାଜ୍ୟରେ ୪ କ୍ୱିଣ୍ଟାଲ୍‌ର ସୁନା ବିକ୍ରି ହୋଇଥିବା ନେଇ ସେ ଆକଳନ କରିଛନ୍ତି।

ଆଜି ସୁନାର ୧୦ ଗ୍ରାମ ପିଛା ଦର ଭୁବନେଶ୍ୱରରେ ୩୦ ହଜାର ୧୩୦ ଟଙ୍କା ରହିଥିଲା। ସେହିପରି ରୁପାର କିଲୋଗ୍ରାମ ପିଛା ମୂଲ୍ୟ ୪୧ ହଜାର ୫୦୦ ଟଙ୍କା ଥିଲା। ବ୍ୟବସାୟୀଙ୍କ କହିବାନୁଯାୟୀ, ଗହଣା ଦୋକାନଗୁଡ଼ିକରେ ସବୁଠୁ ଅଧିକ ସୁନା ଗହଣା ବିକ୍ରି ହୋଇଥିବା ବେଳେ ଏହା ପଛକୁ ରହିଛି ହୀରା ଗହଣା। ରୁପା କାରବାର ତୃତୀୟ ସ୍ଥାନରେ ରହିଛି। ଗତବର୍ଷ ଧନତେରସ୍‌ ସମୟରେ ସୁନା ଦର ଯାହା ଥିଲା ଚଳିତବର୍ଷ ଧନତେରସ୍‌ରେ ମଧ୍ୟ ସେହି ସ୍ଥରରେ ରହିଛି।

ଏକ ଗହଣା ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି ଯେ, ବିବାହ ଋତୁ ପାଖେଇ ଆସିଥିବାରୁ ଗ୍ରାହକମାନେ ସୋ’ରୁମ୍‌ରେ ଭିଡ଼ ଲଗାଇଛନ୍ତି। ଧନ୍‌ତେରସ୍‌ ଉପଲକ୍ଷେ ଦିଆଯାଉଥିବା ଅଫର ସେମାନଙ୍କୁ ସୁନା କିଣିବାକୁ ଟାଣି ଆଣିଛି। ଗତବର୍ଷ ତୁଳନାରେ ଏଥର ଭଲ ଭିଡ଼ ହୋଇଛି। ସବୁଠୁ ବେଶି ଭିଡ଼ ସୁନା କଏନ୍‌ କାଉଣ୍ଟର୍‌ରେ ଦେଖିବାକୁ ମିଳିଛି। ବିବାହକୁ ଦୃଷ୍ଟିରେ ରଖି ଗ୍ରାହକମାନେ ସୁନାର କାନ ଫୁଲ, ଚୁଡ଼ି, ଚେନ୍‌, ହାର, ନାକ ଫୁଲ ଆଦି ଅଧିକ ମାତ୍ରାରେ ଖରିଦ କରୁଥିବା ଦେଖାଯାଇଛି।

ସୁନା ବଜାର କାରବାର ଉପରେ ନଜର ରଖୁଥିବା ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି ଯେ ଚଳିତ ବର୍ଷ ଭଲ ବେପାର ହେବାର ଅନେକ କାରଣ ରହିଛି। ଲୋକମାନଙ୍କ ପାଖରେ ସୁନା କିଣିବାକୁ ଏଥର ଅଧିକ ନଗଦ ଟଙ୍କା ରହିଛି। ସୁନା କିଣିବା ଉପରେ ରହିଥିବା କଟକଣାକୁ ସରକାର କୋହଳ କରିଦେଇଛନ୍ତି। ଆଣ୍ଟି ମନି ଲଣ୍ଡରିଂ ଆଇନ ଅନୁଯାୟୀ ପୂର୍ବରୁ ୫୦ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ଗହଣା ନଗଦ ଅର୍ଥରେ କ୍ରୟ କରିଲେ ଏଥିପାଇଁ ସେମାନଙ୍କୁ ପାନ୍‌କାର୍ଡ ଦେବା ସହିତ କେଓ୍ଵାଇସି ଫର୍ମ ପୂରଣ କରିବାକୁ ପଡ଼ୁଥିଲା। କିନ୍ତୁ ନିକଟରେ ସରକାର ଏହି ସୀମାକୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି। ଫଳରେ ଗ୍ରାହକଙ୍କ ପାଇଁ ଗହଣା କିଣିବା ସହଜ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଭୁବନେଶ୍ୱରରେ ୨୫ ପାଖାପାଖି ବଡ଼ ସୁନା ଦୋକାନ ରହିଥିବା ବେଳେ ଛୋଟ ବଡ଼ ମିଶି ପ୍ରାୟ ୧୫୦ ସୋ’ରୁମ୍‌ ରହିଛି। ପ୍ରମୁଖ ସହରଗୁଡ଼ିକୁ ବିଚାରକୁ ନେଲେ ସାରା ରାଜ୍ୟରେ ସୋ’ରୁମ୍‌ ସଂଖ୍ୟା ୩୦୦ରୁ ଅଧିକ ହେବ। ପୁରୁଣା ଓ ପ୍ରତିଷ୍ଠିତ ସୋ’ରୁମ୍‌ରେ ଗ୍ରାହକମାନେ ଅଧିକ ଭିଡ଼ ରହିଥିଲା।

ସମ୍ବନ୍ଧିତ ଖବର