ଭୁବନେଶ୍ବର : ସୁନା ଚୋରା ଚାଲାଣକାରୀ ଯେତେ ଚାଲାକ୍‌ ହେଲେ ହେଁ ସୀମାଶୁଳ୍କ ବିଭାଗ କର୍ମଚାରୀଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଖସି ଯିବାରେ ସଫଳ ହୋଇପାରୁନାହାନ୍ତି। ଜୋତା ଭିତରେ, ଅନ୍ତବସ୍ତ୍ର ଭିତରେ କିମ୍ବା ମଳଦ୍ୱାର ପଟେ ସୁନା ନେଇ ବିମାନବନ୍ଦର ଚେକିଂ ପଏଣ୍ଟରୁ ଖସିଯିବାକୁ ସବୁ ଉଦ୍ୟମ ସେମାନଙ୍କ ଭଣ୍ଡୁର ହୋଇଯାଉଛି।

Advertisment

ଶୁକ୍ରବାର ବିଳମ୍ବିତ ରାତିରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପୁଣିଥରେ ଏଭଳି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। କ୍ୱାଲାଲମ୍ପୁର୍‌ରୁ ଭୁବନେଶ୍ୱର ଆସିଥିବା ଜଣେ ସୁନା ଚାଲାଣକାରୀ ସୀମାଶୁଳ୍କ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡ଼ିଛି। ସେ ମଳଦ୍ୱାରରେ ସୁନା ରଖିଥିଲେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଅଧିକାରୀମାନେ ଉକ୍ତ ବ୍ୟକ୍ତିଙ୍କଠାରୁ ସୁନା ଜବତ କରିବା ବେଳେ ତାହା ପାଉଡର୍‌ ଆକାରରେ ଥିଲା। କେମିକାଲ ଟ୍ରିଟ୍‌ମେଣ୍ଟ କରାଯିବା ପରେ ତାହା ପ୍ରକୃତ ରୂପକୁ ଆସିଥିଲା। ଏପରି ଅତ୍ୟାଧୁନିକ ଉପାୟରେ ସୁନା ଚୋରା ଚାଲାଣ ହେଉଥିବା ଖବର ପଦାକୁ ଆସିବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଜବତ ହୋଇଥିବା ସୁନାର ପରିମାଣ ୨୫୪.୪୭୦ ଗ୍ରାମ୍‌, ଯାହାର ଭାରତୀୟ ବଜାର ମୂଲ୍ୟ ୮ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅପରପକ୍ଷେ ଏହି ଘଟଣାରେ ଧରାପଡ଼ିଥିବା ଯୁବକଙ୍କୁ ଅଧିକ ପଚରାଉଚରା କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ କ୍ୱାଲାଲମ୍ପୁରରୁ ଏୟାର ଏସିଆ ବିମାନ ଏକେ-୩୧ରେ ଆସିଥିବା ଚେନ୍ନାଇର ଜଣେ ଯାତ୍ରୀ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ତେବେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସେଠାରେ ଆଗରୁ ଛକି ରହିଥିବା ସୀମାଶୁଳ୍କ ବିଭାଗର କର୍ମଚାରୀମାନେ ତାଙ୍କୁ ଚେକିଂ କରିଥିଲେ। ଚେକିଂ ବେଳେ ତାଙ୍କ ମଳଦ୍ୱାରରୁ ୨ଟି ଅଣ୍ଡାକୃତି ଆକାରର ଜରିପୁଡ଼ିଆ ମିଳିଥିଲା। ଉକ୍ତ ଜରି ପୁଡ଼ିଆରେ କିଛି ପାଉଡର୍‌ ଥିବା ଦେଖି କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତେବେ ଉକ୍ତ ପାଉଡର୍‌କୁ କେମିକାଲ ଟ୍ରିଟ୍‌ମେଣ୍ଟ କରାଯିବା ପରେ ତାହା ସୁନା ବୋଲି ଜଣାପଡ଼ିଥିଲା। ସୀମାଶୁଳ୍କ କର୍ମଚାରୀମାନେ ତାହାକୁ ଜବତ କରିବା ସହ ଯାତ୍ରୀଜଣଙ୍କୁ ଅଟକ ରଖିଥିବା ଜଣାଯାଇଛି।