ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବେ ସୁନା ଚୋରା ଚାଲଣର ପ୍ରମୁଖ ମାଧ୍ୟମ ପାଲଟିଛି। ଚଳିତ ସପ୍ତାହରେ ୭ଦିନ ଯାକ ବିମାନବନ୍ଦରର କଷ୍ଟମ୍‌ସ ବିଭାଗ ଦୁଇଟି ଯାକ ଅନ୍ତର୍ଜାତୀୟ ବିମାନରେ ଆସିଥିବା ଯାତ୍ରୀଙ୍କ ଠାରୁ ସୁନା ଜବତ କରିଛି। ଆଜି ବିମାନବନ୍ଦରରେ ଜଣେ ନୂଆଦିଲ୍ଲୀର ଯାତ୍ରୀଙ୍କ ଠାରୁ ୧୮ଭରିର ପଞ୍ଜାବୀ ସୁନା କଡ଼ା ଜବତ ହୋଇଛି। ଯାହାର ବଜାର ମୂଲ୍ୟ ୫ଲକ୍ଷ ୬୬ହଜାର ହେବ।

Advertisment

ବିମାନବନ୍ଦରର ଆସିଷ୍ଟାଣ୍ଟ କମିସନର ଅଫ୍‌ କଷ୍ଟମ୍‌ସ ଶଶୀ ଭୂଷଣ କହିଛନ୍ତି ଯେ, ଆଜି ସକାଳେ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସିଥିବା ବିମାନ ଏଆଇ-୩୩୯ର ଜଣେ ଯାତ୍ରୀଙ୍କ ଠାରୁ ସୁନା ଜବତ ହୋଇଛି। ଯାତ୍ରୀଙ୍କ ଲଗେଜ୍‌ ଏବଂ ଶରୀର ଚେକିଂ ସମୟରେ ଏହି ଯାତ୍ରୀଙ୍କ ସାର୍ଟରେ ଗୋଟିଏ ସୁନା କଡ଼ା ସିଲାଇ ହୋଇ ରଖାଯାଇଥିବା ଜଣାପଡ଼ିଥିଲା। ଏହାପରେ ସାର୍ଟକୁ ଚିରି କଡ଼ାକୁ ବାହାର କରାଯାଇଥିଲା। ଏହାକୁ ଓଜନ କରିବାରୁ ଏହା ୧୮୦.୩୯୦ଗ୍ରାମର ଥିବା ଜଣାପଡ଼ିଥିଲା। ଏହାର ବଜାର ମୂଲ୍ୟ ୫,୬୬,୮୭୫ଟଙ୍କା ହେବ। ସାଧାରଣତଃ ଏତେ ଓଜନର ପଞ୍ଜାବି କଡ଼ା କେହି ପିନ୍ଧୁନଥିବାରୁ ଆମର ସନ୍ଦେହ ହୋଇଥିଲା। ଏହାପରେ ଆମେ ଯାତ୍ରୀ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛୁ। ବ୍ୟାଙ୍କକ୍‌ରୁ ଦିଲ୍ଲୀକୁ ସିଧା ବିମାନ ଥିବାବେଳେ ସେ କାହିଁକି ଭାୟା ଭୁବନେଶ୍ୱର ହୋଇ ଦିଲ୍ଲୀ ଯାଉଥିଲେ, ଏହି ସୁନା ସେ ନିଜେ ବ୍ୟବହାର କରିବାକୁ ନା ଆଉ କେଉଁ ଉଦ୍ଦେଶ୍ୟରେ ଆଣିଥିଲେ ସେନେଇ ପଚରାଉଚରା ଚାଲିଛି ବୋଲି କଷ୍ଟମ୍‌ସ ଅଧିକାରୀ ଜଣଙ୍କ କହିଛନ୍ତି। କଷ୍ଟମ୍‌ସ ବିଭାଗର ସୂଚନା ଅନୁଯାୟୀ, ଗତ ସପ୍ତାହରେ ପ୍ରତିଦିନ ସୁନା ଜବତ ହୋଇଛି। ଏହି ସପ୍ତାହରେ ପ୍ରାୟ ୧କୋଟି ଟଙ୍କାର ସୁନା ଖଣ୍ଡ ଓ ଅଳଙ୍କାର ଜବତ ହୋଇଛି।