ବିମାନବନ୍ଦରରୁ ପୁଣି ସୁନା ଜବତ : ଦୁଇ ମାସରେ ୭ କେଜି

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ବିଦେଶୀ ସୁନା ଜବତ ହୋଇଛି। ବ୍ୟାଙ୍କକ୍‌ରୁ ଆସିଥିବା ଜଣେ ଯାତ୍ରୀଙ୍କ ମଳଦ୍ୱାର ନିକଟରୁ ୨୯୫ଗ୍ରାମର ସୁନା ବିସ୍କୁଟ ଜବତ ହୋଇଛି। ଏହାର ବଜାର ମୂଲ୍ୟ ପ୍ରାୟ ୯ଲକ୍ଷ ଟଙ୍କା ହେବ ବୋଲି ବିମାନବନ୍ଦରର କଷ୍ଟମ୍‌ସ ବିଭାଗ ପକ୍ଷରୁ କୁହାଯାଇଛି।

କଷ୍ଟମ୍‌ସ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଜି ସକାଳେ ବ୍ୟାଙ୍କକ୍‌ରୁ ଭୁବନେଶ୍ୱର ଆସିଥିବା ଏୟାର ଇଣ୍ଡିଆ ବିମାନରେ ଜଣେ ଭାରତୀୟ ନାଗରିକଙ୍କ ଠାରୁ ଥାଇଲାଣ୍ଡ ସୁନା ଜବତ ହୋଇଛି। ବିଦେଶୀ ସୁନା ଆଣିବା ନେଇ ଯାତ୍ରୀଙ୍କ ନିକଟରେ କୌଣସି ପ୍ରମାଣ ନଥିବାରୁ ଏହା ଚୋରା ଚାଲାଣ ହେଉଥିବା ସନ୍ଦେହ କରାଯାଇଥିଲା। ଯାତ୍ରୀ ଜଣଙ୍କ ମଧ୍ୟ ମଳଦ୍ୱାର ନିକଟରେ ଆଣିଥିବା ସୁନା ତାଙ୍କର ବୋଲି କୌଣସି ପ୍ରମାଣ ଦେଇ ପାରିନଥିଲେ। ତେଣୁ ତାଙ୍କୁ ଅଟକ ରଖାଯାଇ ପଚରାଉଚରା ଚାଲିଛି।

ଉକ୍ତ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏୟାର ଇଣ୍ଡିଆରେ ଆସିଥିବା ଏହି ଯାତ୍ରୀ ଜଣଙ୍କ ବିମାନରୁ ଓହ୍ଲାଇବା ପରେ ସାମାନ୍ୟ ଛୋଟେଇ ଛୋଟେଇ ଚାଲୁଥିଲେ। ତେଣୁ ତାଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା। ତାଙ୍କ ଶରୀରର ଚେକିଂ ହେବା ସମୟରେ ସେ ସହଯୋଗ କରିନଥିଲେ। ଏହାପରେ ତାଙ୍କୁ ସଂପୂର୍ଣ୍ଣ ଉଲଗ୍ନ କରି ଚେକିଂ କରାଯାଇଥିଲା। ଚେକିଂ ସମୟରେ ଜଣାପଡ଼ିଥିଲା ଯେ, ସେ ମଳଦ୍ୱାର ନିକଟରେ ସେଲୋଟେପ୍‌ ମାରି ଏହି ସୁନା ଖଣ୍ଡଗୁଡ଼ିକୁ ରଖିଥିଲେ।

ବିମାନବନ୍ଦରର କଷ୍ଟମ୍‌ସ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ଭୁବନେଶ୍ୱର ବିମାନବନ୍ଦରରୁ ୭କେଜି ସୁନା ଜବତ ହେଲାଣି। ଏଥିରୁ ଅଧିକାଂଶ ସୁନା ଚୋରା ଚାଲାଣ ମଳଦ୍ୱାର ଦେଇ କରାଯାଉଥିବାବେଳେ ଧରାପଡ଼ିଛି। ସୁନାଗୁଡ଼ିକ ଅଧିକାଂଶ ସମୟରେ ବିସ୍କୁଟ ଆକାରରେ କରି ଅଣାଯାଇଛି। ଏପରିକି ଚୋରା ସୁନା ଚାଲାଣକାରୀ ସୁନା ଗୁଣ୍ଡ, ଚେନ୍‌, ପଞ୍ଜାବୀ କଡ଼ା ଆକୃତିର କରି ଆଣିଛନ୍ତି। ଧରାପଡ଼ିଥିବା ଅଧିକାଂଶ ଚୋରା ଚାଲାଣକାରୀ ଉତ୍ତର ଭାରତର।

ଆଗାମୀ ଦିନରେ ଯେପରି ଭୁବନେଶ୍ୱର ଦେଇ କୌଣସି ପରିସ୍ଥିତିରେ ବି ଚୋରା ସୁନା ଚାଲାଣ ନହେବ ସେଥିପାଇଁ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି କରାଯିବ। ଯାତ୍ରୀ ଚେକିଂ ପାଇଁ ଅତ୍ୟାଧୁନିକ ଚେକିଂ ମେସିନ୍‌ ଲଗାଯିବ ଏବଂ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ ବୋଲି ଉକ୍ତ ଅଧିକାରୀ ଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର