ବିମାନବନ୍ଦରରେ ଜବତ ହେଲା ୯ଲକ୍ଷ ଟଙ୍କାର ସୁନା

ବ୍ୟାଗରେ ସିଲେଇ କରି ଆଣିଥିଲେ ୪୮ଖଣ୍ଡ ସୁନା, କ୍ୱାଲାଲାମ୍ପୁରରୁ ଆସିଥିଲେ ମଦୁରାଇର ଯୁବକ ଅଟକ

ଭୁବନେଶ୍ବର : ତାମିଲନାଡୁର ମଦୁରାଇ ସହରର ଜଣେ ଯୁବକଙ୍କଠାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର କଷ୍ଟମ୍‌ସ ଅଧିକାରୀମାନେ ୮ଲକ୍ଷ ୯୧ହଜାର ୫୦୬ଟଙ୍କାର ସୁନା ଜବତ କରିଛନ୍ତି। ଯାତ୍ରୀ ଜଣଙ୍କ କ୍ବାଲାଲମ୍ପୁରରୁ ଏୟାର ଏସିଆ ବିମାନରେ ଭୁବନେଶ୍ବର ଆସିଥିବାବେଳେ ଭୁବନେଶ୍ବର ବିମାନବନ୍ଦରରେ ତାଙ୍କଠାରୁ ଏହି ସୁନା ଜବତ ହୋଇଛି। ଯାତ୍ରୀ ଜଣଙ୍କ ୪୮ଟି ଚାରିକୋଣିଆ ସୁନା ଖଣ୍ଡରେ ବ୍ଲାକଟେପ୍ ଗୁଡ଼ାଇ ଏହାକୁ ତାଙ୍କର ଦୁଇଟି ବ୍ୟାଗରେ ସିଲେଇ କରିଦେଇଥିଲେ। ଏହି ସୁନାର ଓଜନ ୨୧୫.୬୦୦ ଗ୍ରାମ୍‌ ବୋଲି ଭୁବନେଶ୍ବର ବିମାନବନ୍ଦରର ଆସିଷ୍ଟାଣ୍ଟ କମିସନର ଅଫ୍ କଷ୍ଟମ୍‌ସ ଏସ୍‌.ଚକ୍ରବର୍ତ୍ତୀ କହିଛନ୍ତି। କଷ୍ଟମ୍‌ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, କ୍ବାଲାଲମ୍ପୁରରୁ ରବିବାର ଆସିଥିବା ଏହି ଯାତ୍ରୀ ଜଣଙ୍କ ରାତି ପ୍ରାୟ ୧୧ଟାରେ ଭୁବନେଶ୍ବରରେ ପହଞ୍ଚିଥିଲେ। ତାଙ୍କ ବ୍ୟାଗରେ ସୁନା ଖଣ୍ଡଗୁଡ଼ିକୁ ଲୁଚାଇ ଆଣିଥି‌ବାରୁ ତାଙ୍କର ଚାଲିଚଳଣ ଅନ୍ୟ ଯାତ୍ରୀମାନଙ୍କଠାରୁ ଭିନ୍ନ ଥିଲା। ବ୍ୟାଗ୍‌ ସ୍କାନିଂ ସମୟରେ ତାଙ୍କ ବ୍ୟାଗରେ କିଛି ଧାତବ ପଦାର୍ଥ ଥିବା ଜଣାପଡ଼ିଥିଲା। କିନ୍ତୁ ସୁନା ଥିଲା ବୋଲି ଜାଣି ହୋଇନଥିଲା। ଯାତ୍ରୀଙ୍କ ହାବଭାବରୁ ସନ୍ଦେହ ହେବାରୁ ଆମେ ଦୁଇଟି ଯାକ ବ୍ୟାଗ୍‌ ଚିରି ଯାଞ୍ଚ କରିଥିଲୁ। ଏହାପରେ ସୁନା ଖଣ୍ଡ ଥିବା ଜଣାପଡ଼ିଥିଲା। ଏହି ସୁନାଗୁଡ଼ିକ ୯୯.୯% ଶୁଦ୍ଧ ଥିବାରୁ ଏହାକୁ ଯାତ୍ରୀ ଜଣଙ୍କ କାହିଁକି ଆଣିଥିଲେ, କୁଆଡ଼େ‌ ନେଉଥିଲେ, ସେନେଇ ପଚରାଉଚରା କରିଥିଲୁ। କିନ୍ତୁ କିଛି ସନ୍ତୋଷଜନକ ଉତ୍ତର ମିଳିନଥିଲା। ତେଣୁ ଆମେ ଯାତ୍ରୀ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର