ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆଜି ପୁଣି ସୁନା ଜବତ ହୋଇଛି। ତାହାପୁଣି ଗୋଟିଏ ଦିନରେ କେଜିଏ ସୁନା। ପ୍ରାୟ ୧ କେଜି ସୁନାରେ ପ୍ରସ୍ତୁତ ହୋଇଥିବା ଦୁଇଟି ସୁନା ଚେନ୍, କଡ଼ା ଏବଂ ଲକେଟ୍କୁ ବିମାନବନ୍ଦରର କଷ୍ଟମ୍ସ ବିଭାଗ ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୁନା ଚାଲାଣ କରୁଥିବା ଅଭିଯୋଗରେ ଦୁଇ ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ଜଗତସିଂହପୁରର ହୋଇଥିବା ବେଳେ ଆଉ ଜଣେ ନୂଆଦିଲ୍ଲୀର। ବିମାନବନ୍ଦରର ଆସିଷ୍ଟାଣ୍ଟ କମିସନର ଅଫ୍ କଷ୍ଟମ୍ସ ଶଶୀ ଭୂଷଣଙ୍କ ସୂଚନା ଅନୁଯାୟୀ, ଆଜି ପ୍ରଥମ କରି ଗୋଟିଏ ଦିନରେ ଦୁଇଟି ବିମାନର ଯାତ୍ରୀଙ୍କ ଠାରୁ ସୁନା ଜବତ ହେଲା। ଯାତ୍ରୀ ଦୁଇ ଜଣ ଖାଣ୍ଟି ସୁନାରେ ନିର୍ମିତ ସୁନା ଚେନ୍ ଓ କଡ଼ା ପିନ୍ଧିଥିଲେ। ଏହାର ବଜାର ମୂଲ୍ୟ ପ୍ରାୟ ୩୧ଲକ୍ଷ ୫୪ହଜାର ୬୨୦ଟଙ୍କା ହେବ। ପିନ୍ଧିଥିବା ଅଳଙ୍କାରର ଓଜନ ସନ୍ଦେହ ସୃଷ୍ଟି କରିବାରୁ ଯାତ୍ରୀ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ସୁନା ଅଳଙ୍କାରଗୁଡ଼ିକ ବ୍ୟାଙ୍କକ୍ ଏବଂ ଦୁବାଇ ସୁନାରେ ପ୍ରସ୍ତୁତ ହୋଇଛି। ଦୁଇ ଜଣ ଯାତ୍ରୀ ସୁନାର ହିସାବ ଦେଇ ନ ପାରିବାରୁ ତାଙ୍କୁ ଅଟକ ରଖାଯାଇଛି।
କଷ୍ଟମ୍ସ ବିଭାଗର ସୂଚନା ଅନୁଯାୟୀ, ଜଗତସିଂହପୁରର ବ୍ୟକ୍ତି ଜଣଙ୍କ ଦୁବାଇରୁ ଦିଲ୍ଲୀ ଆସିବା ପରେ ସେଠାରୁ ଏୟାର ଇଣ୍ଡିଆ ବିମାନ ଏଆଇ-୦୭୭ରେ ଭୁବନେଶ୍ୱର ଆସିଥିଲେ। ସେହିପରି ଦିଲ୍ଲୀର ବ୍ୟକ୍ତି ଜଣଙ୍କ ବ୍ୟାଙ୍କକ୍ରୁ ଏଆଇ-୩୩୯ ବିମାନରେ ଭୁବନେଶ୍ୱର ଆସିଥିଲେ। ଏଠାରେ ଇମିଗ୍ରେସନ ଓ କଷ୍ଟମ୍ସ ଚେକିଂ ସମୟରେ ତାଙ୍କ ଠାରୁ ସୁନା ଜବତ ହୋଇଥିଲା।
ସୂଚନାଯୋଗ୍ୟ ଯେ, ଗତ ୧୦ଦିନରେ ଏହାକୁ ମିଶାଇ ପଞ୍ଚମ ଥର ପାଇଁ ସୁନା ଜବତ ହେଲା। ଏହି ୫ ଥରରେ ପ୍ରାୟ ତିନି କେଜି ସୁନା ଜବତ ହୋଇଛି।