ଓଡ଼ିଶାରେ ଗ୍ରାହକଙ୍କୁ ଠକୁଛନ୍ତି ସୁନା ଦୋକାନୀ, ବିଧାନସଭାରେ ଉତ୍ତର ରଖିଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ସୁନା ଦୋକାନୀ କରୁଛନ୍ତି ହେରଫେର । ବିଧାନସଭା ପ୍ରଶ୍ନକାଳରେ ଏ ନେଇ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି, କଟକ ଓ ବାଲେଶ୍ୱରରେ ସର୍ବାଧିକ ସୁନା ଦୋକାନୀ ଲୋକଙ୍କୁ ଠକୁଛନ୍ତି । ଏହା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବି ଗ୍ରାହକଙ୍କୁ ଲୁଟୁଛନ୍ତି ଦୋକାନୀ । ବାଲେଶ୍ୱରରେ ୬ଟି, ଖୋର୍ଧାରେ ୪ଟି, କଟକରେ ୭ଟି ଦୋକାନରେ ଚଢାଉ ହୋଇଛି ।

ତେବେ ଏହି ଉତ୍ତର ପରେ ବାଚସ୍ପତି କହିଥିଲେ ଯେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଅଧିକାଂଶ ସୁନା ଦୋକାନ ଥିବାବେଳେ ଚଢ଼ାଉ ଦୋକାନରେ ଏହି ଦୁଇଟି ସ୍ଥାନରେ ଥିବା ସୁନା ଦୋକାନର ନାମ ନାହିଁ | ତେବେ ଏହି ଦୁଇ ସ୍ଥାନରେ ସୁନା ଦୋକାନ ଉପରେ କାହିଁକି ଚଢାଉ କରାଯାଉନାହିଁ ବୋଲି ବାଚସ୍ପତି ପ୍ରଶ୍ନ କରିବା ସହ ଏହି ଦୁଇ ଅଞ୍ଚଳରେ ଥିବା ଇନସପେକ୍ଟରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହାପରେ ଭୁବନେଶ୍ୱର ଓ ବ୍ରହ୍ମପୁରରେ ଥିବା ସୁନା ଦୋକାନଗୁଡିକୁ ଯାଂଚ ପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଥିଲେ ଯେ ଗତବର୍ଷ ସୁନା ଗହଣା ଓଜନରେ ଠକୁଥିବା ୩୧ଟି ଦୋକାନ ଓ ଚଳିତବର୍ଷ ୧୧ଟି ଦୋକାନ ଉପରେ ଚଢ଼ାଉ କରି ଜରିମାନା ଆଦାୟ କରାଯାଇଛି |

ଶୀତକାଳୀନ ଅଧିବେଶନର ସପ୍ତମ ଦିନରେ ଆଜି ଦରଦାମ୍ ବୃଦ୍ଧି କଥା ମାନିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ତେଲ, ଡାଲି, ଆଳୁ, ପିଆଜ, ଦର ବୃଦ୍ଧି ପାଇଥିବା କଥା ସ୍ବୀକାର କରିଛନ୍ତି ମନ୍ତ୍ରୀ । ତେବେ ଦରବୃଦ୍ଧି ରାଜ୍ୟର ନୁହେଁ, ବରଂ ଜାତୀୟ ସମସ୍ୟା କହି ଦୋଷ ଠେଲିଦେଇଛନ୍ତି ମନ୍ତ୍ରୀ । ପଡ଼ୋଶୀ ରାଜ୍ୟ ଉପରେ ଓଡ଼ିଶା ନିର୍ଭରଶୀଳ । ପଡ଼ୋଶୀ ରାଜ୍ୟରେ ଦର ନିର୍ଦ୍ଧାରଣର ପ୍ରଭାବ ସିଧାସଳଖ ଭାବେ ଓଡ଼ିଶାରେ ପଡ଼ୁଛି  ବୋଲି ମତ ରଖିଛନ୍ତି ଯୋଗାଣ ମନ୍ତ୍ରୀ ।

ସମ୍ବନ୍ଧିତ ଖବର