ଲକ୍ଷାଧିକ ଟଙ୍କାର ସୁନା ଟଙ୍କା ନେଇ ସୁନାରି ଫେରାର

ବଲାଙ୍ଗୀର : ବଲାଙ୍ଗୀର ସହରରେ ଚୋରି ଡକାୟତି ବଢ଼ିଚାଲିଛି। ଏମିତି ଚୋରି ଡକାୟତି ବସହର ପାଇଁ ନୂଆ ଘଟଣା ନୁହେଁ। ଏବେ କିନ୍ତୁ ନୂଆ ଘଟଣା ସାମ୍ନାକୁ ଆସିଛି। ଗୁରୁବାର ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ସଦେଇପାଲିର ଆଶିଷ ସରାଫ ବଲାଙ୍ଗୀର କଲେଜ ଛକ ପାଖରେ ସମଲେଶ୍ୱରୀ ସୁନା ଦୋକାନ ଖୋଲି ସୁନା ବ୍ୟବସାୟ କରୁଥିଲେ। ପରୁଣା ସୁନା ଗହଣାରୁ ନୂଆ ଡିଜାଇନ କରୁଥିଲେ। ଅନେକ ଲୋକ ତାଙ୍କୁ ସୁନା ଗହଣା ଦେଇଥିଲେ। ହେଲେ ସେମାନଙ୍କୁ ଗତ ୬ ମାସ ହେଲା ଆଜି ଦେବି କାଲି ଦେବି, ତମ ସୁନା ନୂଆ ଡିଜାଇନରେ ତିଆରି ହେଉଛି କହି ବାହାନା କରି ଚାଲିଥିଲେ। ଏବେ କିନ୍ତୁ ମାସେ ହେଲା ଦୋକାନ ବନ୍ଦ କରି ସେ କୁଆଡ଼େ ଫେରାର ମାରିଛନ୍ତି। ଲୋକେ ଜାଣିବାରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

କନ୍ଧପାଲି ପଡ଼ାର ସସ୍ମିତା କୁଦେଇ, ହୀରା ମହାଲିଙ୍ଗ ଠାରୁ ୧୮ଗ୍ରାମ ସୁନା ସହିତ ୬୦ ହଜାର ଟଙ୍କା, ସୁପ୍ରଭା ବାଗଙ୍କଠାରୁ ୧୫ ଗ୍ରାମ ସୁନା, ଶିବାନୀ ବଗର୍ତ୍ତିଙ୍କଠାରୁ ୪୦ ଗ୍ରାମ ସୁନା, ୫୦ ହଜାର ଟଙ୍କା, ଅନୁପମା ସେଠଙ୍କ ଠାରୁ ୧୦ ଗ୍ରାମ ସୁନା, ଉତ୍ତରା ସେଠ, ରୋହିଣୀ କୁଦେଇ ଏପରି ୨୦ରୁ ୨୫ ଜଣଙ୍କ ସୁନା ଟଙ୍କା ନେଇ ଫେରାର ମାରିଛନ୍ତି ଆଶିଷ। ସେହି ଟଙ୍କାରେ ତାଙ୍କର ସାନ ଭାଇ ଦେବାଶିଷ ସରାଫ ଏକ କାର୍‌ କିଣିଛନ୍ତି ବୋଲି ଅଭିଯୋଗକାରୀମାନେ ଅଭିଯୋଗ କରିଛନ୍ତି। ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରି ସେମାନଙ୍କ ସୁନା ଟଙ୍କା ଫେରାଇବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର