ଚୋରି ସୁନା କିଣି ସୁନା ଦୋକାନୀ ଗିରଫ

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଡାକବଙ୍ଗଳା ଛକରେ ଥିବା ସୁନା ଦୋକାନ ଆର.ବି. ଜୁଏଲର୍ସର ମାଲିକ ବିଜୟ ସାହୁ(୪୬)କୁ ଆଜି ଆନ୍ଧ୍ରପ୍ରଦେଶ ବିଶାଖାପାଟଣାର ସିକାକୁଲମ ପୁଲିସ ଗିରଫ କରିଛି। କୋରେଇ ଥାନା ଅନ୍ତର୍ଗତ ତୁଳତୀ ଗ୍ରାମର ବିଜୟ ସିକାକୁଲମର ଏକ ସୁନା ଦୋକାନରୁ ଚୋରି ହୋଇଥିବା ସୁନା ଗହଣା କିଣିଥିବା ଅଭିଯୋଗ ହୋଇଛି। ଯାଜପୁରରୋଡ ଥାନା ପୁଲିସ ସହାୟତାରେ ସିକାକୁଲମ ପୁଲିସ ଚଢ଼ଉ କରି ବିଜୟକୁ ଗିରଫ କରିବା ସହ ଚୋରା ସୁନା ଜବତ କରିଛନ୍ତି। କେସ୍‌ ନମ୍ବର ୧୫୪/୨୨ ଦଫା ୪୧୯, ୪୨୦, ୩୭୯ ଓ ୩୪ ଆଇପିସିରେ ଅଭିଯୁକ୍ତ ବିଜୟକୁ ଗିରଫ କରାଯିବା ସହ ସିକାକୁଲମ ପୁଲିସ ବିଶାଖାପାଟଣା ନେଇଯାଇଛି।

ପୁଲିସ ସୂଚନା ଅନୁଯାୟୀ, ଗତ ମେ ମାସରେ ବିଶାଖାପାଟଣା ନିକଟସ୍ଥ ନୟାଗଡ଼ ଖରିୟାଡ଼ରୋଡର ଏକ ସୁନା ଦୋକାନରୁ ଚୋରି ହୋଇଥିଲା। ଲୁଟେରାମାନେ ଏଠାରୁ ଚୋରି କରିଥିବା ସୁନାକୁ ବ୍ୟାସନଗର ସହରରେ ବିକ୍ରି କରିଥିଲେ। ଏହି ଘଟଣାରେ ସିକାକୁଲମ ପୁଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ ସେମାନେ ଚୋରି ସୁନାକୁ ବ୍ୟାସନଗରରେ ବିକ୍ରି କରିଥିବା ସ୍ବୀକାର କରିଥିଲେ। ଫଳରେ ଆଜି ୬ଜଣ ସିକାକୁଲମ ପୁଲିସ ସାଧା ପୋଷାକରେ ବ୍ୟାସନଗରରେ ପହଞ୍ଚିଥିଲେ। ଜଣେ ଅଭିଯୁକ୍ତକୁ ସାଙ୍ଗରେ ଆଣି ଯାଜପୁରରୋଡ ପୁଲିସ ସହାୟତାରେ ଆର.ବି. ଜୁଏଲାର୍ସ ଉପରେ ଚଢ଼ଉ କରାଯାଇଥିଲା। ଲୁଟେଣା ଜଣକ ଚିହ୍ନଟ କରିବା ପରେ ସେଠାରୁ ବିଜୟକୁ ଗିରଫ କରାଯାଇଥିଲା ବୋଲି ଯାଜପୁରରୋଡ ଥାନା ଏସ୍ଆଇ ନିର୍ମଳ ସାହୁ ଓ ଏଏସ୍ଆଇ ବସନ୍ତ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର