ବିନା ଜିଏସ୍‌ଟିରେ ସୁନା କାରବାର: ପଞ୍ଜାବରୁ କଟକ, ଧରାପଡ଼ିଲା ୫୩ ଲକ୍ଷର ସୁନା ଅଳଙ୍କାର

କଟକ : ପଞ୍ଜାବ ଅମୃତସରରୁ ସୁନା ଆଣି ବିନା ଜିଏସ୍‌ଟିରେ କଟକରେ ଚାଲିଥିଲା ସୁନା କାରବାର। ପୁଲିସ୍‌ ଚଢ଼ାଉ କରିବା ପରେ ଏହିଭଳି ଏକ ଘଟଣାର ପର୍ଦ୍ଦାଫାସ୍‌ ହେବା ସହିତ ପଞ୍ଜାବ ଅମୃତସରର ସୁନା ବ୍ୟବସାୟୀ ଧରାପଡ଼ିଛନ୍ତି। ଚଢ଼ାଉବେଳେ ଅମୃତସରର ସୁନା ବ୍ୟବସାୟୀ, ଗୁରୁଜିତ ସିଂହ, ସହଯୋଗୀ ମନପ୍ରିତ ସିଂହ ଓ କଟକ ମଙ୍ଗଳାବାଗ ବଣିଆ ସାହିର ସୁନା ଦୋକାନ କର୍ମଚାରୀ ରଞ୍ଜନ ସାହୁଙ୍କ ଠାରୁ ୨୭ ହଜାର ୮୦୦ ଟି ଇମିଟେସନ୍ ଗହଣା ଏବଂ ୨ କେଜି ୨୯ ଗ୍ରାମ ସୁନା ଅଳଙ୍କାର ମିଳିଛି। ଏହାର ମୂଲ୍ୟ ୫୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି। ଜିଏସ୍‌ଟି ବିଭାଗ ସହଯୋଗରେ କମିସନରେଟ୍ ପୁଲିସ ଘଟଣାର ମିଳିତ ତଦନ୍ତ ଆରମ୍ଭ କରିଛି। ବିନା ଜିଏସ୍‌ଟିରେ କାରବାର ହେଉଥିବାରୁ ସେମାନଙ୍କ ଠାରୁ ୩ ଲକ୍ଷ ୨୩ ହଜାର ୧୧୮ ଟଙ୍କା ଜରିମାନା ଆକାରରେ ଆ‌ଦାୟ କରି ଛାଡ଼ି ଦିଆଯାଇଛି।

ସୂଚନା ଅନୁଯାୟୀ, କଟକ ରେଳ ଷ୍ଟେସନ ନିକଟରେ ୩ ଜଣ ବ୍ୟକ୍ତି ସୁନା କାରବାର କରୁଥିବା ମାଲଗୋଦାମ ଥାନା ପୁଲିସ ଗଲା ୧୩ ତାରିଖ ରାତି ପ୍ରାୟ ୭ଟା ବେଳେ ଖବର ପାଇଥିଲା। ସେମାନଙ୍କ ନିକଟରେ ପୁଲିସ ପହଞ୍ଚି ଯାଞ୍ଚ ପରେ ୫୩ ଲକ୍ଷ ୮୫ ହଜାର ୨୮୪ ଲକ୍ଷ ଟଙ୍କାର ସୁନା ଅଳଙ୍କାର ମିଳିଥିଲା। ଏହି କାରବାରର ମୁଖ୍ୟ କାର୍ପଟଦାର ଗୁରୁଜିତ ସିଂହଙ୍କୁ ପୁଲିସ ପଚରାଉଚରା କରିବାପରେ ସେ ପଞ୍ଜାବର ଅମୃତସରରୁ ସୁନା ଆଣି କଟକରେ ବିକ୍ରି କରୁଥିବା ସଂପର୍କରେ ସୂଚନା ଦେଇଥିଲେ। ସେ ସୁନା ଆଣିଥିବା ସଂକ୍ରାନ୍ତରେ ଯେଉଁ କାଗଜପତ୍ର ପୁଲିସ ନିକଟରେ ଦାଖଲ କରିଥିଲେ, ସେଗୁଡ଼ିକ ଠିକ୍ ଥିବାବେଳେ ପଞ୍ଜାବରୁ ଓଡ଼ିଶା ସୁନା ଚାଲାଣ ବାବଦ ଯେଉଁ ଜିଏସଟି ପଞ୍ଜାବ ଜିଏସଟି ବିଭାଗ ନିକଟରେ ଦାଖଲ କରିବା କଥା, ତାହା ଦାଖଲ ହୋଇନଥିଲା। କେବଳ ଓଡ଼ିଶା ଆସିବା ପାଇଁ ଓ୍ବେ ବିଲ୍ ପ୍ରସ୍ତୁତ ହୋଇଥିଲା। ଟ୍ରେନରେ ଅନ୍ୟତମ ସହଯୋଗୀ ମନପ୍ରିତ ସିଂହ ସହିତ ସେ କଟକ ଷ୍ଟେସନରେ ଓହ୍ଲାଇ ଥିଲେ। ମଙ୍ଗଳାବାଗ ଛକରେ ଥିବା ମହାଲକ୍ଷ୍ମୀ ଜୁଏଲାରୀ ନାମକ ଏକ ଗହଣା ଦୋକାନ କର୍ମଚାରୀ ରଞ୍ଜନ ସାହୁଙ୍କୁ ଦୋକାନ ମାଲିକ ଷ୍ଟେସନ୍ ପଠାଇ ଉଭୟ ଗୁରୁଜିତ୍ ଓ ମନପ୍ରିତଙ୍କୁ ଦୋକାନଙ୍କୁ ଆଣିବାକୁ କହିଥିଲେ। କିନ୍ତୁ ପୁଲିସ ହାବୁଡ଼ରେ ଏହି ୩ ଜଣ ପଡ଼ି ଯାଇଥିଲେ। ପୁଲିସ ତଦନ୍ତରୁ ଜିଏସଟି ଫାଙ୍କି ହୋଇଥିବା ଜଣାପଡ଼ିବା ପରେ ପୁଲିସ ଜିଏସଟି ବିଭାଗ ସହାୟତା ନେଇଥିଲା। ଜିଏସ୍‌ଟିର ଅଧିକାରୀ ଯାଞ୍ଚ ପରେ ସୁନା କାରବାର ସଂକ୍ରାନ୍ତ ମୋଟ ୧ ଲକ୍ଷ ୬୫ ହଜାର ଟଙ୍କା ଜିଏସଟି ଫାଙ୍କି ହୋଇଥିବା ଜାଣିବାକୁ ପାଇଥିଲା। ଜିଏସଟି ଅଧିକାରୀଙ୍କ ଦ୍ବାରା ୧ ଲକ୍ଷ ୬୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଜରିମାନା ସହିତ ଜିଏସଟିକୁ ମିଶାଇ ମୋଟ ୩ ଲକ୍ଷ ୨୩ ହଜାର ୧୧୮ ଟଙ୍କା ଗଲା ୧୪ ତାରିଖରେ ଗୁରୁଜିତ୍ ଓଡ଼ିଶା ଜିଏସଟି ବିଭାଗରେ ଦାଖଲ କରିଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ ଗୁରୁଜିତ ନିୟମିତ କଟକ ଆସି ଏଭଳି ଜିଏସଟି ଫାଙ୍କି ସୁନା କାରବାର କରିଆସୁଥିଲେ। ଚଳିତ ବର୍ଷ ସେ ଗଲା ଏପ୍ରିଲ ମାସରେ ଆସିଥିଲେ। ୫ ଜଣ ଗ୍ରାହକଙ୍କୁ କଟକରେ ସେ ନିୟମିତ ଏଭଳି ଚୋରା ସୁନା ବିକ୍ରି କରିଆସୁଥିଲେ। ୨୦୧୬ରୁ ଗୁରୁଜିତ୍ କଟକରେ ଏଭଳି ସୁନା କାରବାର କରୁଥିବା ଜଣାପଡ଼ିଛି। କଟକ ବଣିଆ ସାହି, ନୂଆବଜାର ଇତ୍ୟାଦି ଅଞ୍ଚଳର ବ୍ୟବସାୟୀଙ୍କୁ ସେ ସୁନା ଯୋଗାଇ ଆସୁଥିଲେ। ଗଲା ଏପ୍ରିଲରେ କ୍ୟାଣ୍ଟନମେଣ୍ଟ ଥାନା ଅନ୍ତର୍ଗତ ମିଶନ ରୋଡ ଅଞ୍ଚଳରେ ଏକ ଆପାର୍ଟମେଣ୍ଟରେ ଘର ଭଡ଼ା ନେଇ ଗୁରୁଜିତ ଜୁଏଲାରୀ ନାଁ ପଞ୍ଜୀକରଣ କରିଥିଲେ। ପଞ୍ଜାବରେ ଥିବା ଗୁରୁଜିତର ଗହଣା ଦୋକାନରୁ ଗହଣା ମିଶନ ରୋଡର ଉକ୍ତ ଦୋକାନକୁ ଆସୁଥିଲା। ସେଠାରୁ ସହରର ବିଭିନ୍ନ ସ୍ଥାନକୁ ଚାଲାଣ ହେଉଥିଲା। କଟକରେ ବଣିଆ ସାହି, ନୂଆବଜାର ଅଞ୍ଚଳରେ ଦୀର୍ଘ ୫ ବର୍ଷ ହେବ ଯେଉଁମାନଙ୍କୁ ବେଆଇନ ସୁନା ବିକ୍ରି କରାଯାଇଛି ପୁଲିସ ଏବେ ସେମାନଙ୍କୁ ଠାବ କରିବାକୁ ଯୋଜନା କରୁଥିବା ବେଳେ ପୂର୍ବରୁ କେତେଥର ଏଭଳି ବେଆଇନ ଭାବେ ଜିଏସଟି ଠକେଇ କରି ସୁନା କାରବାର ହୋଇଛି, ସେ ଦିଗର ତଦନ୍ତ ଜିଏସଟି ବିଭାଗ କରୁଛି। ଡିସିପି ପ୍ରତୀକ ସିଂହ ଆଜି ଏହି ଘଟଣା ସଂପର୍କରେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର