ରାୟଗଡ଼ା: ରାୟଗଡ଼ା ସହର କସ୍ତୁରୀ ନଗର ଅଷ୍ଟମ ଲାଇନରେ ରହୁଥିବା ପିତବାସ ସାହୁଙ୍କ ଘରୁ ସୋମବାର ରାତିରେ ବଡ଼ ଧରଣର ଚୋରି ହୋଇଛି। ଘରେ କେହିନଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ତାଲା ଭାଙ୍ଗି ଘରେ ପଶି ୩୦ ଭରି ସୁନା, ୨ କେଜି ରୂପା ସହ ନଗଦ ୩୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗୟୀ ଲୁଟି ନେଇଛନ୍ତି। ରାୟଗଡ଼ା ଥାନାରେ ଅଭିଯୋଗ ପରେ ପୁଲିସ୍ ସାଇଣ୍ଟିଫିକ୍ ଟିମ୍, ଡଗ୍ ସ୍କ୍ବାର୍ଡ ସାହାର୍ଯ୍ୟରେ ତଦନ୍ତ ଆରମ୍ଭ କରିଛି।

Advertisment

କସ୍ତୁରୀ ନଗର ଅଷ୍ଟମ ଗଳିରେ ରହୁଥିବା ଜେକେ କାଗଜକଳର ଅବସରପ୍ରାପ୍ତ କର୍ମଚାରୀ ପୀତବାସ ସାହୁଙ୍କ ପତ୍ନୀ କାଞ୍ଚନ ସାହୁଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାରୁ ୧୧ ତାରିଖରେ ଚିକିତ୍ସା ପାଇଁ ଭୁବନେଶ୍ବର ଯାଇଥିଲେ। ଭୁବନେଶ୍ୱର ଅମରି ହସ୍ପିଟାଲରେ କାଞ୍ଚନଙ୍କ ଚିକିତ୍ସା ଚାଲିଛି। ଘରେ ତାଲା ପକାଇ ଦମ୍ପତି ଚିକିତ୍ସା ପାଇଁ ଯାଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କବାଟ ତାଡି ଘରେ ପଶି ୨ଟି ଆଲମାରୀ ଭାଙ୍ଗି ୩୦ ହଜାର ନଗଦ ଟଙ୍କା, ସୁନା କାନଫୁଲ, ଚେନ୍, ଚୁଡି ପୁରୁଣା ରୂପା ପଇସା ସହ ୨କେଜିରୁ ଉର୍ଦ୍ଧ୍ବ ରୂପା ଗହଣା ଚୋରି କରି ନେଇଛନ୍ତି।  ଆଜି ସକାଳେ ପଡୋଶୀ ଘର ଲୋକେ ଶ୍ରୀ ସାହୁଙ୍କ ଘର କବାଟ ଖୋଲା ଥିବା ଦେଖି ତାଙ୍କୁ ଫୋନ କରି ଜଣାଇଥିଲେ। ଖବର ପାଇ ରାୟଗଡ଼ାରେ ରହୁଥିବା ଶ୍ରୀ ସାହୁଙ୍କ ସଂପର୍କୀୟ ମହେଶ୍ୱର ରତନ ଆସି ଦେଖିବା ପରେ ଘରେ ଚୋରି ହୋଇଥିବା ଜାଣିବାକୁ ପାଇ ରାୟଗଡ଼ା ଥାନାକୁ ଜଣାଇଥିଲେ। ଖବର ପାଇ ପୁଲିସ, ଡଗସ୍କାର୍ଡ ଓ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି। ଲୁଟେରାଙ୍କୁ ଧରିବା ପାଇଁ ପୁଲିସ୍ ଉଦ୍ୟମ ଜାରି ରଖିଛି। କିଛି ଦିନର ବ୍ୟବଧାନ ପରେ ସହରରେ ପୁଣି ଚୋରି ବଢ଼ୁଥିବାରୁ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ଦାବି ହୋଇଛି।