ଭୁବନେଶ୍ବର : ବିଭିନ୍ନ ସମୟରେ ସୁନା ଚୋରା ଚାଲାଣ ଧରା ପଡ଼ିଯାଉଥିବାରୁ ଚାଲାଣକାରୀ ଏବେ ନୂଆ କୌଶଳ ଆପଣେଇଛନ୍ତି। ଯାହାକୁ ମେଟାଲ ଡିଟେକ୍ଟର ବି ଧରିପାରୁନି। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ପରିସରରୁ ଜଣେ ଯାତ୍ରୀଙ୍କ ଠାରୁ ତରଳ ଆକାରରେ ଥିବା ସୁନା ଜବତ କରାଯାଇଛି। ୭ଟି ପ୍ଲାଷ୍ଟିକ୍‌ କ୍ୟାପ୍‌ସୁଲ୍‌ରେ ୬୧୨.୮୫ ଗ୍ରାମ୍‌ ସୁନାକୁ ଯାତ୍ରୀଙ୍କ ମଳଦ୍ବାରରୁ ସୀମା ଶୁଳ୍କ ବିଭାଗ ଗୁଇନ୍ଦା ୟୁନିଟ୍‌ ଜବତ କରିଛି। ଯାହାର ମୂଲ୍ୟ ୨୨ ଲକ୍ଷ ୧୩୨ ଟଙ୍କା ହେବ ବୋଲି ବିଭାଗ ଆକଳନ କରିଛି। ଏଥିରେ ସମ୍ପୃକ୍ତ ଚେନ୍ନାଇର ଦୁଇ ଜଣ ଯୁବକ ଧରା ପଡ଼ିଛନ୍ତି। ସେମାନେ ହେଲେ ମହମ୍ମଦ ପୀର ଓ ମହମ୍ମଦ ଥାସାଥାହିର ଗୁଲମହମ୍ମଦ। ସେମାନେ କ୍ବାଲାଲାମପୁରରୁ ଆସୁଥିଲେ। ସୁନାର ମୂଲ୍ୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ହୋଇଥିବାରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କଟକ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟକୁ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।

Advertisment

publive-image

ସୂଚନା ମୁତାବକ, ଗତ ରାତିରେ ଏୟାର ଏସିଆ ବିମାନ(ଏକେ-୩୧)ଯୋଗେ ଦୁଇଜଣ ଯୁବକ ସୁନା ଚୋରା ଚାଲାଣ କରୁଥିବା ‌ନେଇ ଗୁଇନ୍ଦା ବିଭାଗକୁ ଖବର ମିଳିଥିଲା। ବିମାନ ପହଞ୍ଚିବା ପୂର୍ବରୁ ଅଧିକାରୀମାନେ ଜଗି ରହିଥିଲେ। ଦୁଇଜଣଙ୍କୁ ସନ୍ଦେହ କରି ଧରିବା ପରେ ମେଟାଲ ଡିଟେକ୍ଟର ଟେଷ୍ଟ ଓ ବଡି ସ୍କାନିଂ କରାଯାଇଥିଲା। ହେଲେ ସେମାନେ ଏଥିରେ ପାସ୍‌ କରି ଯାଇଥିଲେ। ବ୍ୟାଗ୍‌ ସମେତ ସମସ୍ତ ଜିନିଷ ପତ୍ର ତନ୍ନ ତନ୍ନ କରି ଖୋଜା ଯାଇଥିଲା। ହେଲେ ସୁନା ମିଳିନଥିଲା। ଶେଷରେ ଅଧିକାରୀମାନଙ୍କର ସନ୍ଦେହ ହେବାରୁ ଉଭୟଙ୍କର ମଳଦ୍ବାର ଯାଞ୍ଚ କରାଯାଇଥିଲା। ସେଥିରୁ ୭ଟି ପ୍ଲାଷ୍ଟିକ୍‌ କ୍ୟାପ୍‌ସୁଲ୍‌ ମିଳିଥିଲା। ଏଥିରେ ତରଳ ଅବସ୍ଥାରେ ୬୧୨.୮୫ ଗ୍ରାମ୍‌ ସୁନା ରହିଥିଲା। ଗତକାଲି ଉତ୍ତର ପ୍ରଦେଶରୁ ଆସୁଥିବା ଜଣେ ଯୁବକଙ୍କ ସାର୍ଟ କଲରରୁ ୧୫୦.୯୨୦ ଗ୍ରାମ ସୁନା ଜବତ ହୋଇଥିଲା। ଆଜି ପୁଣି ବିମାନ ବନ୍ଦରରୁ ସୁନା ଜବତ ହୋଇଛି। ସ୍ମଗଲରମାନେ ସୁନା ଚୋରା ଚାଲାଣ ପାଇଁ ନୂଆ କୌଶଳ ଆପଣାଉଥିବାରୁ ଏହା ଏବେ ସୀମା ଶୁଳ୍କ ଅଧିକାରୀମାନଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି।