ବୋରିଗୁମ୍ମା: କୋରାପୁଟ, ନବରଙ୍ଗପୁର ଓ ଜୟପୁର ପରେ ଏବେ ପୁଣି ବୋରିଗୁମ୍ମା ଅଞ୍ଚଳରେ ସକ୍ରିୟ ଲୁଟେରା ଦଳ। ଦିନ ଦ୍ଵିପ୍ରହରରେ ଜଣେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ଚମ୍ପଟ ମାରିଲେ ଲୁଟେରା ମାନେ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଦୁଲାଗୁଡ଼ା ରାସ୍ତା ପାର୍ଶ୍ଵରେ ଥିବା ଏକ ଗ୍ରସେରି ଦୋକାନର ମାଲିକାଣୀ କେ ସୁମିତ୍ରାଙ୍କ ବେକରୁ ସୁନାଚେନ ଝାମ୍ପି ଚାଲିଗଲେ। ପ୍ରଥମେ ମହିଳାଙ୍କ ଦୋକାନକୁ ଏକ ବାଇକ ଯୋଗେ ଦୁଇଜଣ ଦୁର୍ବୃତ୍ତ ଆସିଥିଲେ। ଜଣେ ଦୁର୍ବୃତ୍ତ ବାଇକ ଷ୍ଟାଟ କରି ରଖିଲେ ଓ ଅନ୍ୟ ଜଣେ ଅଭିଯୁକ୍ତ କୋଲଡ୍ରିଂକ୍ସ ଓ ମିକ୍ସଚୋର ମାଗିଥିଲେ। ମହିଳା ଜଣକ କୋଲଡ୍ରିଙ୍କ ଓ ମିକ୍ସଚୋର ବଢାଇବା ବେଳକୁ ଦୁର୍ବୃତ୍ତ ଜଣକ ମହିଳାଙ୍କ ବେକର ପିନ୍ଧିଥିବା ସୁନାଚେନ ଓ ଲକେଟ ଝାମ୍ପି ବାଇକ୍‌ରେ ବସି ଚମ୍ପଟ ମାରିବାରେ ସଫଳ ହୋଇଛନ୍ତି।

Advertisment

ସଙ୍ଗେସଙ୍ଗେ କେ ସୁମିତ୍ରା ତାଙ୍କ ସ୍ୱାମୀ ବିଜୟ ଭାସ୍କର ରାଓ ବୋରିଗୁମ୍ମା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଲୁଟ୍‌ ହୋଇଥିବା ସୁନାଚେନ୍‌ ଓ ଲକେଟ ଦୁଇ ଭରି ହେବ ଯାହାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବବୋଲି ଜଣା ପଢ଼ିଛି। ସହରରେ ଅପରାଧ ନିୟନ୍ତ୍ରଣ ଓ ଅପରାଧୀଙ୍କୁ ଠାବ ପାଇଁ ୩୪ଟି ସିସି କେମେରା ଲାଗିଥିଲେ ବି ଅଧିକାଂଶ ଅଚଳ। ଯାହାର ସୁଯୋଗ ନେଇ ସକ୍ରିୟ ହେଉଛନ୍ତି ଲୁଟେରା ଦଳ।