ଭୁବନେଶ୍ବର : ନିମାପଡ଼ା ଧୀରପୁର ଅଞ୍ଚଳର ମନୋଜ ମଲ୍ଲିକ(୨୯)। ଗତ ୭ତାରିଖ ସଂଧ୍ୟାରେ ଦୁର୍ଘଟଣାର ଶିକାର ହୋଇଥିଲେ ମନୋଜ। ପ୍ରଥମେ ତାଙ୍କୁ ନିମାପଡ଼ାସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପରେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ହେଲେ ଏଭଳି ରୋଗୀଙ୍କ ପାଇଁ କ୍ୟାପିଟାଲ ହସ୍ପିଟାଲରେ ବିଶେଷ ସୁବିଧା ନ ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନା କିମ୍ବା ଏମ୍ସ ନେବାକୁ କହିଥିଲେ। ପରିବାର ଲୋକ ଏମ୍ସରେ ପହଞ୍ଚିବା ବେଳକୁ ରାତି ୨ଟା। ସେଠାରେ ମଧ୍ୟ ଆଇସିୟୁ ସୁବିଧା ନ ଥିବାରୁ ଏସ୍ସିବି ନେବାକୁ କୁହାଗଲା। ରାତି ୩ଟାରେ ଏସ୍ସିବିରେ ପହଞ୍ଚିଥିଲେ ମନୋଜ। ମାତ୍ର ସେଠାରେ ମଧ୍ୟ ଡାକ୍ତରଙ୍କ ଦେଖା ନ ଥିଲା। ସକାଳ ୬ଟାରେ ଡାକ୍ତର ପହଞ୍ଚିଥିଲେ ଓ ରୋଗୀଙ୍କୁ ଦେଖିବା ପରେ କହିଥିଲେ ଆଇସିୟୁ ଖୋଲିଲା ବେଳକୁ ଆହୁରି ୨ଘଣ୍ଟା ଲାଗିବ।
ବାଧ୍ୟହୋଇ ପରିବାର ଲୋକ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଥିଲେ। ପୁଣିଥରେ ତାଙ୍କୁ ଭୁବନେଶ୍ବରସ୍ଥିତ ହାଇଟେକ୍ ହସ୍ପିଟାଲରେ ଭର୍ତି କରାଗଲା। ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ ପାଇଁ ଗୋଲଡେନ୍ ଆୱାର(୪୮ଘଣ୍ଟା)କୁ ସରକାର ଗୁରୁତ୍ବ ଦେବା ସହିତ ଘରୋଇ ହସ୍ପିଟାଲରେ ଟ୍ରମା ଚିକିତ୍ସାର ବ୍ୟବସ୍ଥା କରିଛନ୍ତି। ହେଲେ ମନୋଜଙ୍କ କ୍ଷେତ୍ରରେ ଗୋଲଡେନ୍ ଆୱାରର ଗୁରୁତ୍ବପୂର୍ଣ୍ଣ ୧୨ଘଣ୍ଟା କେବଳ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ଦୌଡ଼ି ଦୌଡ଼ି ବିତିଗଲା। ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଯାଇଛି। ଠିକ୍ ସମୟରେ ଯଦି ତାଙ୍କୁ ଆଇସିୟୁ ମିଳିପାରିଥାନ୍ତା ହୁଏତ ସେ ବଞ୍ଚିପାରିଥାନ୍ତେ। ରାଜ୍ୟରେ ଘଟୁଥିବା ଅନେକ ଦୁର୍ଘଟଣା ଭିତରୁ ମନୋଜଙ୍କ ଘଟଣା ଭାତ ହାଣ୍ଡିରୁ ଗୋଟିଏ। ରାଜ୍ୟରେ ଟ୍ରମା ଚିକିତ୍ସା ଏକପ୍ରକାର ପ୍ରହସନରେ ପରିଣତ ହୋଇଛି।
ଦୁର୍ଘଟଣାର ଶିକାର ହେଉଥିବା ଲୋକଙ୍କୁ ମୂଲ୍ୟବାନ ୪୮ଘଣ୍ଟାର ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ରାଜ୍ୟ ସରକାର ୨୦୧୯ ମସିହାରେ ମାଗଣା ଟ୍ରମା ଚିକିତ୍ସା ଆରମ୍ଭ କରିଥିଲେ। ଏଥିପାଇଁ ମାଗଣା ଟ୍ରମା ଚିକିତ୍ସା ପାଣ୍ଠି(ଏଫ୍ଟିଟିଏଫ୍) ଗଠନ କରିଥିଲେ। ରାଜଧାନୀର ୨ଟି ଓ କଟକର ଗୋଟିଏ ଘରୋଇ ହସ୍ପିଟାଲ ସହିତ ସରକାର ଚୁକ୍ତି ହୋଇଥିଲା। ଏଥିପାଇଁ ଆରମ୍ଭିକ ଖର୍ଚ ପରିବହନ ବିଭାଗ ଯୋଗାଇ ଦେଇଥିଲା। ମାତ୍ର ଚିକିତ୍ସା ଆରମ୍ଭ ହେବାର କିଛି ମାସ ପରେ ରାଜଧାନୀର ୨ଟି ଘରୋଇ ହସ୍ପିଟାଲ ମାଗଣା ଟ୍ରମା ଚିକିତ୍ସାରୁ ଓହରି ଯାଇଥିଲେ। ରୋଗୀଙ୍କ ବାବଦରେ ଖର୍ଚ ହେଉଥିବା ଅର୍ଥ ପ୍ରଦାନରେ ବିଳମ୍ବ ଓ ୪୮ଘଣ୍ଟା ପରେ ରୋଗୀଙ୍କ ପରିବାର ଲୋକ ପରବର୍ତୀ ଚିକିତ୍ସା ଖର୍ଚକୁ ଭରଣା କରିବାରେ ଅସମର୍ଥତା ପ୍ରକାଶ କରିବା ଏହାର ମୁଖ୍ୟ କାରଣ ଥିଲା। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାକୁ କମାଇବା ଲାଗି ରାଜ୍ୟ ସରକାର ପୁଣିଥରେ ଏସବୁ ଘରୋଇ ହସ୍ପିଟାଲ ସହିତ ଅନୁବନ୍ଧିତ ହେବା ଲାଗି ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥର ଭୁବନେଶ୍ବରର ୭ଟି, କଟକ, ବିଶାଖାପାଟଣା, ରାୟପୁର ଓ ରାଉରକେଲାର ଗୋଟିଏ ଲେଖାଏ ହସ୍ପିଟାଲରେ ଦୁର୍ଘଟଣା ରୋଗୀଙ୍କୁ ୪୮ଘଣ୍ଟାର ମାଗଣା ଟ୍ରମା ଚିକିତ୍ସା ପାଇପାରିବ। ହେଲେ ଦୁର୍ଘଟଣାରେ ଗୁରୁତର ହୋଇଥିବା ମନୋଜଙ୍କୁ କ୍ୟାପିଟାଲ ହସ୍ପିଟାଲ କିମ୍ବା ଏସ୍ସିବି ମେଡିକାଲରେ ଥିବା ଡାକ୍ତର ରାଜଧାନୀର ସରକାରୀ ଅନୁବନ୍ଧିତ ୭ଟି ହସ୍ପିଟାଲ ଭିତରୁ କୌଣସି ଗୋଟିଏ ହସ୍ପିଟାଲକୁ କାହିଁକି ରେଫର କଲେନାହିଁ? ଯାହାଫଳରେ ତାଙ୍କୁ ଏକାଧିକ ହସ୍ପିଟାଲ ବୁଲିବା ପରିବର୍ତେ ସିଧାସଳଖ ସରକାରଙ୍କ ସହ ଅନୁବନ୍ଧିତ ହସ୍ପିଟାଲରେ ଟ୍ରମା ଚିକିତ୍ସା ମିଳିପାରିଥାନ୍ତା।
/sambad/media/post_attachments/wp-content/uploads/2020/03/ambulance-3.jpg)
କେବଳ ରେଫରାଲ ବ୍ୟବସ୍ଥା ନୁହେଁ, ଏସବୁ ହସ୍ପିଟାଲରେ ମାଗଣାରେ ୪୮ଘଣ୍ଟା ମାଗଣା ଚିକିତ୍ସା ମିଳିପାରୁଥିବା ନେଇ ଲୋକମାନଙ୍କୁ ବ୍ୟାପକ ସଚେତନତା କରାଯାଉନାହିଁ। ଯଦି ଜଣେ ବ୍ୟକ୍ତି ଦୁର୍ଘଟଣାର ଶିକାର ହୁଅନ୍ତି ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରୁଥିବା ଆମ୍ବୁଲାନ୍ସ କିମ୍ବା ଲୋକମାନେ ସିଧାସଳଖ ଯେପରି ଏସବୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରିପାରିବେ ତାହା ସଂପର୍କରେ ସରକାରୀ ସ୍ତରରେ ବିଶେଷ ପଦକ୍ଷେପ ନିଆଯାଉନାହିଁ। ସେହିପରି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କ କ୍ଷେତ୍ରରେ ରେଫରାଲ ବ୍ୟବସ୍ଥାକୁ କେବଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ଷେତ୍ରରେ ସୀମିତ ନ ରଖି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କିମ୍ବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅନୁମତି ଦିଆଗଲେ ଅନେକ ମୂଲ୍ୟବାନ ଜୀବନ ବଞ୍ଚିଯାଇ ପାରିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ନିକଟରେ ଏସବୁ ହସ୍ପିଟାଲମାନଙ୍କ ସହିତ ସରକାରଙ୍କ ଏମ୍ଓୟୁ ହୋଇଛି। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରୁ ବହୁ ସଂଖ୍ୟାରେ ଦୁର୍ଘଟଣା ରୋଗୀ ସିଧାସଳଖ ଟ୍ରମା ଚିକିତ୍ସା ପାଇଁ ରେଫର ହୋଇଛନ୍ତି। ହୁଏତ ସେଦିନ କ୍ୟାପିଟାଲ ହସ୍ପିଟାଲର ଡାକ୍ତର ପ୍ରୋଟୋକଲ ଅନୁକରଣରେ ତାଙ୍କୁ ସରକାରୀ ହସ୍ପିଟାଲକୁ ରେଫର କରିଥାଇ ପାରନ୍ତି।
କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ଲକ୍ଷ୍ମୀଧର ସାହୁ କହିଛନ୍ତି, ଦୁର୍ଘଟଣାରେ ଅତି ଗୁରୁତର ହୋଇପଡ଼ିଥିବା ରୋଗୀମାନଙ୍କୁ କେବଳ ରେଫର କରାଯାଉଛି। ଯେହେତୁ ଘରୋଇ ହସ୍ପିଟାଲରେ ଗୋଲଡେନ୍ ଆୱାରର ମାଗଣା ଚିକିତ୍ସା ଦିଆଯାଉଛି ଜଣେ ଚାହିଁଲେ ସେଠାକୁ ସିଧାସଳଖ ଯାଇପାରିବ। ଦୁର୍ଘଟଣା ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ରେଫର କରାଗଲେ ଲୋକମାନଙ୍କ ଭିତରେ ସଚେତନାର ଅଭାବ ପାଇଁ ସେମାନେ ଏହାକୁ ଠିକ୍ ଭାବେ ଗ୍ରହଣ କରୁ ନ ଥିବା ଡା.ସାହୁ କହିଛନ୍ତି।