ଭୁବନେଶ୍ବର: ଗୋଲଡେନ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ମାମଲାର ତଦନ୍ତ କରିବ ଇଡି। ଗୋଲଡେନ ବାବାଙ୍କ ଅମାପ ସମ୍ପତିର ଇଡି କରିବ ଖୋଳତାଡ଼। ଅମାପ ସମ୍ପତି ଓ ଏହା ପଛରେ ଅପରାଧିକ ଦିଗ କଣ ରହିଛି ତାହାକୁ ଖୋଜିବ ଇଡି। ଏହା ପୂର୍ବରୁ ଗୋଲଡେନ ବାବାକୁ ଗିରଫ କରିଥିଲା ଚନ୍ଦ୍ରଶେଖରପୁର ପୁଲିସ। ଏକ ଠକେଇ ମାମଲାରେ ଗୋଲଡେନ ବାବାକୁ ପ୍ରଥମ ଥର ପାଇଁ ଗିରଫ କରାଯାଇଥିଲା। କିନ୍ତୁ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଗୋଲଡେନ ବାବାର ଗୋଟିଏ ପରେ ଗୋଟିଏ ଅପରାଧିକ ପେଡ଼ି ଖୋଲିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବରୁ କ୍ରାଇମବ୍ରାଞ୍ଚ ଏହି ମାମଲାର ଖୋଳତାଡ଼ କରୁଥିଲା। ଆଉ ଏହି ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଥିଲା। କେବଳ ଓଡ଼ିଶାରେ ନୁହେଁ ଦିଲ୍ଲୀ, ଥାନେ ଓ ମୁମ୍ବାଇ ଭଳି ହାଇଟେକ ସିଟିରେ ମଧ୍ୟରେ ନିଜ ସାମ୍ରାଜ୍ୟ ବିସ୍ତାର କରିଥିଲା ଗୋଲଡେନ ବାବା। ସେଠାରେ ମଧ୍ୟ ବ୍ୟବସାୟୀମାନଙ୍କୁ କୋଟି କୋଟି ଟଙ୍କାର ଚୂନ ଲଗାଇଥିଲା ଏହି ‘ଫ୍ରଡ ମାଷ୍ଟର’। ପ୍ରାୟ ୩୦୦ କୋଟି ଟଙ୍କା ଫାଇନାନ୍ସ କରିବାର ଲୋଭ ଦେଖାଇ ଠକେଇର ନକ୍ସା ପ୍ରସ୍ତୁତ କରିଥିବା ସନ୍ଦେହ କରାଯାଉଥିଲା।
ତେବେ ଠକେଇର ଷ୍ଟାଇଲ ଥିଲା ଏକା ପ୍ରକାରର। ଓଡ଼ିଶା ଫର୍ମୁଲା ଅନ୍ୟ ସହରରେ ମଧ୍ୟ ଲାଗୁ କରୁଥିଲା ଗୋଲଡେନ ବାବା। ପ୍ରଥମେ ବ୍ୟବସାୟୀଙ୍କୁ କୋଟି କୋଟି ଟଙ୍କା ଫାଇନାନ୍ସ କରିବା ପାଇଁ ଦେଖାଉଥିଲା ଲୋଭ। ସୁନା ଅଳଙ୍କାରରେ ଛାଉଣୀ ହୋଇ ବଡ଼ ଗାଡ଼ିରେ ଚଢ଼ି ବ୍ୟବସାୟୀଙ୍କ ମନରେ ବିଶ୍ୱାସ ସୃଷ୍ଟି କରୁଥିଲା। ଏହା ସହ ୩୦୦ କୋଟି ଟଙ୍କାର ଇନକମ୍ ଟ୍ୟାକ୍ସ ଦେଉଥିବା ନେଇ ଜାଲ କାଗଜପତ୍ର ବନାଇ ଠକେଇର ବ୍ଲୁ-ପ୍ରିଂଟ୍ ପ୍ରସ୍ତୁତ କରିଥିଲା ଗୋଲଡେନ୍ ବାବା।
ତେବେ ଦିଲ୍ଲୀ, ମୁମ୍ବାଇ ସମେତ ରାଜ୍ୟର ଅନ୍ୟ ବ୍ୟବସାୟୀଙ୍କୁ ଠକିବା ପୂର୍ବରୁ ପୁଲିସ ପଞ୍ଝାରେ ପଡ଼ିଥିଲା ଗୋଲଡେନ ବାବା। କେନ୍ଦୁଝରର ଗୋଟିଏ କଂପାନିକୁ ୧୧୦ କୋଟି ଫାଇନାନ୍ସ କରିବାର ପ୍ରତିଶ୍ରୁତି ଦେଇଥିଲା ଗୋଲଡେନ୍ ବାବା। ୧୨ କୋଟିର ଆଡଭାନ୍ସ ଚେକର ତାରିଖ ବଦଳାଇ ଚଳୁ କରିବାକୁ ଉଦ୍ୟମ କରୁଥିବା ବେଳେ କମିସନରେଟ୍ ପୁଲିସ ହାତରେ ଧରାପଡିଥିଲା ଏହି ଫ୍ରଡ୍ ମାଷ୍ଟର।
କେବଳ ଠକେଇରେ ସୀମିତ ନଥିଲା ଗୋଲଡେନ ବାବାର ଅପରାଧିକ ସାମ୍ରାଜ୍ୟ। ନେତା ଓ ମନ୍ତ୍ରୀଙ୍କ ସହ ମିଶି ରାଜନୀତିରେ ଏଣ୍ଟ୍ରି ମାରିବାକୁ ମଧ୍ୟ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଗୋଲଡେନ ବାବା। ଯାହାର ଝଲକ ନେତା ଓ ମନ୍ତ୍ରୀଙ୍କ ସହ ଗୋଲଡେନ ବାବାର ଫଟୋ ଭାଇରାଲ ହେବା ପରେ ସାମ୍ନାକୁ ଆସିଥିଲା। ଗୋଲଡେନ ବାବାଙ୍କ ସହ ପୂର୍ବତନ ମେୟର, ମନ୍ତ୍ରୀ ଓ ନେତାଙ୍କ ଫଟୋ ଭାଇରାଲ ହୋଇଥିଲା। ଏପରିକି ଶାସକ ଦଳର ରାଲିରେ ମଧ୍ୟ ତାଙ୍କୁ ବଡ଼ ବଡ଼ ନେତାଙ୍କ ସହ ଦେଖିବାକୁ ମିଳିଥିଲା। ନେତାଙ୍କ ସହ ମିଶି ନେତା ହେବାକୁ ସ୍ବପ୍ନ ଦେଖୁଥିଲା ଗୋଲଡେନ ବାବା। କିନ୍ତୁ ଏହାପୂର୍ବରୁ ଗୋଟିଏ ଝଟକାରେ ପୁଲିସ ଗୋଲଡେନ ବାବାର ସ୍ବପ୍ନକୁ ମାଟିରେ ମିଶାଇ ଦେଇଥିଲା। ଗିରଫ ପରେ ଜାମିନ ନ ମିଳିବାରୁ ଗୋଲଡେନ ବାବାକୁ ଝାରପଡ଼ା ଜେଲ ପଠାଇ ଦିଆଯାଇଥିଲା।