ଗୋଲଡେନ ବାବାଙ୍କ ମାମଲା ରଦ୍ଦ ପ୍ରସଂଗ, ହାଇକୋର୍ଟଙ୍କ ନୋଟିସ୍

କଟକ : ଠକେଇ ମାମଲାରେ ଛନ୍ଦି ହୋଇଥିବା ଜ୍ୟୋତି ରଞ୍ଜନ ବେଉରା ଓରଫ୍ ଗୋଲଡେନ୍ ବାବାଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଏତଲାକାରୀ ଓ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)କୁ ନୋଟିସ୍ ଜାରି କରିଛନ୍ତି। ବିବାଦର ଆପୋସ ବୁଝାମଣା ହୋଇ ସାରିଥିବା ବେଳେ ତାଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରାଯିବା ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀ ଦର୍ଶାଇ ନିମ୍ନ ଅଦାଲତରେ ବିଚାରାଧୀନ ମାମଲା ରଦ୍ଦ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜଷ୍ଟିସ ଏସ.କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨ ତାରିଖ ଦିନ ଆବେଦନକାରୀଙ୍କୁ ହାଇକୋର୍ଟ ଗୋଟିଏ ମାମଲାରେ ଜାମିନ ପ୍ରଦାନ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାକେଶ କୁମାର ମଲ୍ଲିକ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଜ୍ୟୋତିରଞ୍ଜନ ବେଉରା ଓରଫ ବାପୁ ଓରଫ ଗୋଲ୍‌ଡେନ୍‌ ବାବା ଭୁବନେଶ୍ବର ନିଳାଦ୍ରୀବିହାର ଅଞ୍ଚଳରେ ରହୁଥିଲେ। ସେ ବଡ଼ବିଲ୍‌ରେ ଥିବା ଏକ ଖଣି କମ୍ପାନିକୁ ୧୧୦ କୋଟି ଟଙ୍କା ଋଣ କରାଇଦେବାକୁ ଚୁକ୍ତି କରିଥିବା ବେଳେ ସଂପୃକ୍ତ ସଂସ୍ଥା ମୁଖ୍ୟ ‌୧୧ଟି ସିକ୍ୟୁରିଟି ଚେକ୍‌ ଆବେଦନକାରୀଙ୍କୁ ଦେଇଥିଲେ। ଟଙ୍କା ଉଠାଣ ସମୟ ଅବଧି ୨୦୨୦ ଏପ୍ରିଲ୍‌ରୁ ୨୦୩୦ ଏପ୍ରିଲ୍‌ ଯାଏ ରହିଥିଲା। ମାତ୍ର ଆବେଦନକାରୀ ୨୦୧୮ ସେପ୍ଟେମ୍ବରରେ ଗୋଟିଏ ଚେକ୍‌ ଜାଲିଆତି କରି ଦିଲ୍ଲୀସ୍ଥିତି ଏକ ବ୍ୟାଙ୍କ ଶାଖାରୁ ୧୨ କୋଟି ଟଙ୍କା ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଚନ୍ଦ୍ରଶେଖରପୁର ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ଗତ ଡିସେମ୍ବର ୩୧ ରେ ପୁଲିସ ତାକୁ ଗିରଫ କରିଥିଲା। ପୁଲିସ ତାକୁ ରିମାଣ୍ତରେ ନେଇ ପଚରା ଉଚୁରା କରିଥିଲା। ଏହା ପରେ ତାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ନେଇ ମାମଲା ରୁଜୁ କରିଥିଲା।

ସମ୍ବନ୍ଧିତ ଖବର