ଗୋଲଡେନ୍ ବାବାଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍‌ଡେନ୍‌ ବାବାଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ୫୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଆବେଦନକାରୀଙ୍କୁ ଜାମିନ ପ୍ରଦାନ ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲା ବଡ଼ବିଲ ଅଞ୍ଚଳର ଜ୍ୟୋତିରଞ୍ଜନ ବେଉରା ଓରଫ ଗୋଲ୍‌ଡେନ୍‌ ବାବା ବଡ଼ବିଲ୍‌ରେ ଥିବା ଏକ ଖଣି କମ୍ପାନିକୁ ୧୧୦ କୋଟି ଟଙ୍କା ଋଣ କରାଇଦେବାକୁ ଚୁକ୍ତି କରିଥିବାବେଳେ ସଂପୃକ୍ତ ସଂସ୍ଥା ମୁଖ୍ୟ ‌୧୧ଟି ସିକ୍ୟୁରିଟି ଚେକ୍‌ ଆବେଦନକାରୀଙ୍କୁ ଦେଇଥିଲେ। ଟଙ୍କା ଉଠାଣ ସମୟ ଅବଧି ୨୦୨୦ ଏପ୍ରିଲ୍‌ରୁ ୨୦୩୦ ଏପ୍ରିଲ୍‌ ଯାଏ ରହିଥିଲା। ମାତ୍ର ଆବେଦନକାରୀ ୨୦୧୮ ସେପ୍ଟେମ୍ବରରେ ଗୋଟିଏ ଚେକ୍‌ ଜାଲିଆତି କରି ଦିଲ୍ଲୀସ୍ଥିତି ଏକ ବ୍ୟାଙ୍କ ଶାଖାରୁ ୧୨ କୋଟି ଟଙ୍କା ଉଠାଇ ନେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଚନ୍ଦ୍ରଶେଖରପୁର ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ୨୦୧୮, ଡିସେମ୍ବର ୩୧ ରେ ପୁଲିସ ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର