ପୁରୀ: ବିଶ୍ୱପ୍ରସିଦ୍ଧ ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀଜିଉ ମାନେ ସୁନାବେଶରେ ଶନିବାର ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କ ଏହି ମନଲୋଭା ବେଶ ୪ଟାରୁ ଆରମ୍ଭ ହୋଇଥିଲା, ଯାହାକି ରାତି ୧୧ଟା ଯାଏଁ ଜାରି ରହିବ । ଭଗବାନ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୨୦୦ କିଲୋ ସ୍ୱର୍ଣ୍ଣ ଅଳଙ୍କାର ପିନ୍ଧି ଭକ୍ତମାନଙ୍କୁ ରଥ ଉପରୁ ଦର୍ଶନ ଦେଉଛନ୍ତି। ମହାପ୍ରଭୁଙ୍କୁ ଆତକାନି, ଘାଘରାମାଳ, କିରିଟି, ପାନପତରି ଆଦି ଅଳଙ୍କାର ପରିଧାନ କରାଯାଇଛି। ସଂଜ ନଇଁବା ପରେ ସ୍ୱର୍ଣ୍ଣ ଅଳଙ୍କାର ଆହୁରି ଉଜ୍ୱଳ ଆଲୋକ ଦେଖାଯାଉଛି।
ଶ୍ରୀମନ୍ଦିରର ରତ୍ନଭଣ୍ଡାରରୁ ଶ୍ରୀଜିଉଙ୍କର ଅଳଙ୍କାର ଗୁଡ଼ିକ ଅଣାଯାଇ ତିନି ରଥ ଉପରକୁ ନିଆଯାଇଥିଲା। ମହାପ୍ରଭୁଙ୍କ ଅଳଙ୍କାର ଗୁଡ଼ିକ ଶ୍ରୀମନ୍ଦିର ପରିସରରୁ କଡ଼ାସୁରକ୍ଷା ମଧ୍ୟରେ ରଥ ଉପରକୁ ନିଆଯାଇଥିଲା।
ଶ୍ରୀଜିଉଙ୍କର ଏହି ମନଲୋଭା ରାଜରାଜେଶ୍ୱର ବେଶ ଦେଖିବା ପାଇଁ ବିଶ୍ୱର ଚାରିଆଡୁ ଶ୍ରଦ୍ଧାଳୁଙ୍କର ଆଗମନ ହୋଇଛି। ସୁନାବେଶରେ ପ୍ରଭଳ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ସେହିପରି ଶୃଙ୍ଖଳିତ ଦର୍ଶନ ପାଇଁ ବେରିକେଡ ସହ ଓ୍ଵାନ୍-େଓ୍ଵ ବ୍ୟବସ୍ଥା କରାଯାଇଛି।
ଆଜି ରାତି ୧୧ଟାରେ ସୁନାବେଶ ଶେଷ ହେବା ପରେ ରବିବାର ସନ୍ଧ୍ୟାରେ ରଥ ଉପରେ ଅଧରପଣା ନୀତି ଅନୁଷ୍ଠିତ ହେବ ଏବଂ ଆସନ୍ତା ୧୫ ତାରିଖରେ ନୀଳାଦ୍ରିବିଜେ ଦିନ ମହାବାହୁ ନୀଳକନ୍ଦରକୁ ବିଜେ କରିବେ।