ପୁରୀ: ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଛି ସ୍ବର୍ଣ୍ଣିମ ଅଧ୍ୟାୟ। ଭକ୍ତଙ୍କ ପାଇଁ ସମର୍ପିତ ହୋଇଛି ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଲୋକାର୍ପଣ ପୂର୍ବରୁ ବର୍ଷାର ଶୀତଳ ସ୍ପର୍ଶ ଦେଇ ଶୁଭାଶୀର୍ବାଦ ଅଜାଡ଼ିଛନ୍ତି ବିଶ୍ବନିୟନ୍ତା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣା, ମୁଖ୍ୟମନ୍ତ୍ରୀ, ଗଜପତି, ସେବାୟତଙ୍କ ଇଚ୍ଛାଶକ୍ତି, ଅଧିକାରୀଙ୍କ ଅଦମ୍ୟ ନିଷ୍ଠା, ୫ଶହରୁ ଅଧିକ କାରିଗରଙ୍କ ଶ୍ରମଦାନ ବଳରେ ପୂର୍ଣ୍ଣାଙ୍ଗ ରୂପ ପାଇଛି ଏହି ଭବ୍ୟ ଓ ଦିବ୍ୟ ପଥ। ‘ଜୟ ଜଗନ୍ନାଥ’ ଡାକରେ ଝଙ୍କୃତ ହୋଇଛି ଖଣ୍ଡମଣ୍ଡଳ। ପ୍ରତିଟି ରେଣୁରେ ବାରି ହୋଇପଡ଼ିଛି ଦିବ୍ୟତାର ସ୍ପର୍ଶ। ଭକ୍ତ ବି ଏହି ପଥର ସ୍ପର୍ଶ ପାଇ ଦିବ୍ୟତା ଅନୁଭବ କରିବା ସହ ପ୍ରଶଂସାରେ ମୁଖରିତ ହୋଇଛନ୍ତି। ବେଦମନ୍ତ୍ରର ଆଧ୍ୟାତ୍ମିକ ପରିବେଶ ଭିତରେ ଲୋକାର୍ପିତ ହୋଇଛି ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଆଜି ପୌଷ ଶୁକ୍ଳ ସପ୍ତମୀ ତିଥିରେ ଅପରାହ୍ଣ ୧ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପୁରୀ ଗଜପତି ମହାରାଜା ଦିବ୍ୟସିଂହବଙ୍କ ଉପସ୍ଥିତିରେ ଶିଳାନ୍ୟାସ ଫଳକ ନିକଟରେ ଥିବା ଲୋକାର୍ପଣ ଫଳକକୁ ଅନାବରଣ କରିବା ସହ ଓଡ଼ିଆ ଜାତି ଉଦ୍ଦେଶ୍ୟରେ ପ୍ରାୟ ୩୩୦ କୋଟିର ଏହି ପ୍ରକଳ୍ପକୁ ସମର୍ପିତ କରିଥିଲେ। ଅପରାହ୍ଣ ପ୍ରାୟ ୧ଟା ୩୭ରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଆୟୋଜିତ ତିନିଦିନର ମହାଯଜ୍ଞର ପୂର୍ଣ୍ଣାହୁତି ଦେଇଥିଲେ।
ଏହାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରିକ୍ରମା ପ୍ରକଳ୍ପ ବୁଲି ଦେଖିଥିଲେ। ନାମ ସଂକୀର୍ତ୍ତନ ଦଳ, ସାଧୁସନ୍ଥ, ନିମନ୍ତ୍ରିତ ବିଶିଷ୍ଟ ବ୍ୟକ୍ତି, ଗଜପତି ମହାରାଜା ଦିବ୍ୟସିଂହ ଦେବ, ୫-ଟି ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ସହିତ ମୁଖ୍ୟମନ୍ତ୍ରୀ ଚାଲି ଚାଲି ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲିଥିଲେ। ଗଜପତି ମହାରାଜା ଓ ‘୫-ଟି’ ଅଧ୍ୟକ୍ଷ ପ୍ରକଳ୍ପ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଟିକିନିଖି ବୁଝାଇଥିଲେ। ଭକ୍ତଙ୍କ ସୁବିଧା ପାଇଁ ପ୍ରକଳ୍ପ ମଧ୍ୟରେ କେଉଁଠି କ’ଣ କରାଯାଇଛି ସେ ସବୁକୁ ଦେଖାଇଥିଲେ। ପରିକ୍ରମା ମାର୍ଗ ପ୍ରଦକ୍ଷିଣ ସମୟରେ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ହାତଯୋଡି ନମସ୍କାର କରୁଥିଲେ ମୁଖ୍ୟମନ୍ତ୍ରୀ। ଭକ୍ତମାନେ ହରିବୋଲ, ହୁଳହୁଳି ପକାଇ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଉଥିଲେ। ପ୍ରକଳ୍ପର ଅପରୂପ ସୌନ୍ଦର୍ଯ୍ୟ ଓ ପରିପାଟ୍ଟୀ ଦେଖି ସମସ୍ତେ ଅଭିଭୂତ ହୋଇଯାଇଥିଲେ। ବର୍ଷା ଯୋଗୁ ଗୁଳୁଗୁଳି ହେଉଥିଲେ ବି ମୁଖ୍ୟମନ୍ତ୍ରୀଙ୍କ ମୁହଁରେ କ୍ଳାନ୍ତିର ଛାପ ନଥିଲା। ଅତ୍ୟନ୍ତ ଆନନ୍ଦିତ ମନରେ ସେ ପରିକ୍ରମା ପ୍ରକଳ୍ପ ପ୍ରଦକ୍ଷିଣ କରୁଥିବା ଦେଖାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀ ନିମନ୍ତ୍ରିତ ଅତିଥିଙ୍କୁ ନେଇ ଆୟୋଜିତ ସଭାରେ ଯୋଗଦେଇ ବିଭିନ୍ନ ବର୍ଗର ଲୋକଙ୍କୁ ସମ୍ମାନିତ କରିଥିଲେ। ପ୍ରକଳ୍ପ ପାଇଁ ଶ୍ରମଦାନ କରିଥିବା କାରିଗରଙ୍କ ଶ୍ରମ ବି ବ୍ୟର୍ଥ ଯାଇନଥିଲା। ନିଷ୍ଠାର ସହ କାମ କରି ପ୍ରକଳ୍ପକୁ ପୂର୍ଣ୍ଣରୂପ ଦେଇଥିବା ବିଭିନ୍ନ ବର୍ଗର କାରିଗରଙ୍କୁ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ମାନପତ୍ର ଓ ସ୍ମୃତିଫଳକ ଦେଇ ସମ୍ମାନିତ କରିଥିଲେ। ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଦେଇ ଗଜପତି ସମ୍ବର୍ଦ୍ଧିତ କରିଥିଲେ।
ଶ୍ରୀମନ୍ଦିର ପରିକ୍ରମା କଲେ ମୁଖ୍ୟମନ୍ତ୍ରୀ
ଯଜ୍ଞର ପୂର୍ଣ୍ଣାହୁତି ଦେଲେ ଗଜପତି
ସମ୍ବର୍ଦ୍ଧିତ ହେଲେ କାରିଗର
ବର୍ଷା ଦେଲା ଶୁଭ ସଙ୍କେତ
ସୂର୍ଯ୍ୟୋଦୟ ପରେ ଆଜି ସକାଳ ସାଢ଼େ ୭ଟାରୁ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଯଜ୍ଞ ବିଧି ଆରମ୍ଭ ହୋଇଥିଲା। ସୂର୍ଯ୍ୟପୂଜା ସହ ଧରିତ୍ରୀପୂଜା, ଗୋପୂଜା, ପଞ୍ଚକର୍ମ, ବାସ୍ତୁଶୋଧନ, ଅଧିବାସ, ହବନ ବିଧି ସଂପନ୍ନ ହୋଇଥିଲା। ଗଜପତି ମହାରାଜାଙ୍କ ପୂର୍ଣ୍ଣାହୁତି ସହ ଯଜ୍ଞ ବିଧି ସଂପନ୍ନ ହୋଇଥିଲା। ପରେ ଗଜପତି ବରଣୀୟ ବ୍ରାହ୍ମଣମାନଙ୍କୁ ଅକ୍ଷତ, ବସ୍ତ୍ର ଆଦି ଦାନ ଦେଇଥିଲେ। ଦାନ ବିଧି ପରେ ବ୍ରାହ୍ମଣମାନେ ଗଜପତିଙ୍କ ମଙ୍ଗଳାର୍ଚ୍ଚନା କରିଥିଲେ। ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଓ ମହାଯଜ୍ଞର ପୂର୍ଣ୍ଣାହୁତିର ଠିକ୍ ପୂର୍ବରୁ ପୁରୀରେ ବର୍ଷା ହୋଇଥିଲା। ଆକାଶରୁ ଦେବାଶୀର୍ବାଦ ସ୍ବରୂପ ଅମୃତ ବାରି ଝରିଛି। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ଏହା ଏକ ଶୁଭ ସୂଚନା ଓ ଯଜ୍ଞ ସଫଳ ହୋଇଥିବା ପଣ୍ଡିତଗଣ ମତ ଦେଇଥିଲେ। ସାଧାରଣତଃ କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ବର୍ଷା ହେଲେ ଶୁଭ ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଆମର ଧାର୍ମିକ ସଂସ୍କୃତିରେ ବର୍ଷାଙ୍କୁ ଆବାହନ କରାଯାଇଥାଏ ଓ ଯଜ୍ଞ ସମୟରେ ବର୍ଷା ହେଲେ ତାହାକୁ ଅତ୍ୟନ୍ତ ଶୁଭ ବୋଲି ଗଣା ଯାଇଥାଏ।
ସୂଚନାଯୋଗ୍ୟ ଯେ ଶ୍ରୀମନ୍ଦିର ପ୍ରକଳ୍ପ ପାଇଁ ରାଜ୍ୟ ସରକାର ପ୍ରାୟ ୩୩୦ କୋଟି ଟଙ୍କା ବ୍ୟୟବରାଦ କରିଥିଲେ। ୭୫ ମିଟର ପରିଧିରେ ବିକଶିତ ଏହି ପ୍ରକଳ୍ପକୁ ୯ ଭାଗରେ ବିଭକ୍ତ କରାଯାଇଛି। ଏଥିରେ ବଫର ଜୋନ୍, ଲ୍ୟାଣ୍ଡସ୍କେପିଂ ଜୋନ୍, ପରିକ୍ରମା ଓ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଯିବାର ବ୍ୟବସ୍ଥା ହୋଇଛି। ବିଶ୍ରାମ ଗୃହ, ପାନୀୟ ଜଳ, ଦାନ ଗ୍ରହଣ କେନ୍ଦ୍ର, ସୂଚନା କେନ୍ଦ୍ର ଆଦି ରହିଛି। ଜରୁରିକାଳୀନ ସେବା ଓ ଟ୍ରାଫିକ ଲେନ୍ ସୁବିଧା ରହିଛି। ଏଥିସହ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ଗାଡ଼ି ପାର୍କିଂ, ଆବର୍ଜନା କୁଣ୍ଡ, ଭକ୍ତଙ୍କ ବସିବା ବ୍ୟବସ୍ଥା ରହିଛି। ସମସ୍ତ କାମ କଳିଙ୍ଗ କଳା ଓ ସ୍ଥାପତ୍ୟ ଶୈଳୀରେ ନିର୍ମାଣ କରାଯାଇଛି। ୩ଟି ମିନି କ୍ଲକ୍ରୁମ୍, ୩ଟି ସୂଚନା ଓ ଦାନ କେନ୍ଦ୍ର, ୫ଟି ଆଶ୍ରୟ ଘର, ୬ଟି ପୁରୁଷ ଓ ମହିଳା ଶୌଚାଳୟ, ୨ଟି ସେବାୟତଙ୍କ ଶୌଚାଳୟ, ଗୋଟିଏ ପୁଲିସ ସେବା କେନ୍ଦ୍ର, ଭଜନ ମଣ୍ଡପ, ସଂସ୍କୃତି ମଣ୍ଡପ ନିର୍ମାଣ କରାଯାଇଛି।
/sambad/media/post_attachments/wp-content/uploads/2024/01/jdgjjjggjjgg.jpg)
ଭକ୍ତ ଆତ୍ମବିଭୋର
ଭୁବନେଶ୍ବର: ନା ଅଛି ବାଧା, ନା କୌଣସି ବିଘ୍ନ। ପୁଲିସର କଟକଣା ନାହିଁ। ଉଠାଦୋକାନୀ ବି ବାଟରେ ନାହାନ୍ତି। ବେଧଡ଼କ ଭାବେ ବିଶ୍ବନିୟନ୍ତାଙ୍କ ମନ୍ଦିର ଚତୁଃପାର୍ଶ୍ବକୁ ପରିଭ୍ରମଣ କରିପାରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଥକି ପଡ଼ିଲେ ବିଶ୍ରାମ ନେଉଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଥିବା ମଠର ମାହାତ୍ମ୍ୟ ବିଷୟରେ ଜାଣୁଛନ୍ତି। ପୁଷ୍ପ ଉଦ୍ୟାନରେ ସମୟ ଅତିବାହିତ କରୁଛନ୍ତି। ମଝିରେ ମଝିରେ କିଏ ହୁଳୁହୁଳି ତ ଆଉ କିଏ ହରିବୋଲ ପକାଇ ମହାପ୍ରଭୁଙ୍କୁ ପ୍ରଣିପାତ କରୁଛି। ଜୟ ଜଗନ୍ନାଥ ନାରାରେ ପ୍ରକମ୍ପିତ ହେଉଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପୁରୀରେ ଆଜି ଏଭଳି ପରିବେଶ ସୃଷ୍ଟି ହୋଇଥିଲା। ସାଧୁ ସନ୍ଥଙ୍କ ଜପତପ, ଧ୍ୟାନରେ ତଲ୍ଲୀନ ହୋଇଥିଲେ ହଜାର ହଜାର ଶ୍ରଦ୍ଧାଳୁ। ହରିନାମ ସୁମରଣା କରି ଶ୍ରୀମନ୍ଦିର ଚାରିପାଖରେ ବୁଲୁଥିଲେ। ସିଂହଦ୍ବାର ହେଉ କି ପଶ୍ଚିମ ଦ୍ବାର। ଉତ୍ତର ଓ ଦକ୍ଷିଣ ଦ୍ବାର ନିକଟରେ କେବଳ ଭକ୍ତିମୟ ପରିବେଶ। ବାଲେଶ୍ବର ହେଉ ଅଥବା ଗଞ୍ଜାମ, ମୟୂରଭଞ୍ଜ, କଟକ, କେନ୍ଦ୍ରାପଡ଼ା, ନୟାଗଡ଼ରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଘଣ୍ଟଘଣ୍ଟା, ମୁଦଙ୍ଗ, ଝାଞ୍ଜରେ ପ୍ରକମ୍ପିତ ହୋଇଉଠିଥିଲା ବଡ଼ଦାଣ୍ଡ। ଲକ୍ଷାଧିକ ଶ୍ରଦ୍ଧାଳୁ ବଡ଼ଦାଣ୍ଡରେ ଛିଡ଼ା ହୋଇ ଏହି ପ୍ରକଳ୍ପର ଅନନ୍ୟ ଅନୁଭବକୁ ନିଜ କ୍ୟାମେରାରେ ତୋଳିଥିଲେ। ରଥଯାତ୍ରା ଭଳି ଆଜି ମଧ୍ୟ ବଡ଼ଦାଣ୍ଡରେ ଥିବା କୋଠା ଉପରେ ଛିଡ଼ା ହୋଇ ହଜାର ହଜାର ଶ୍ରଦ୍ଧାଳୁ ସ୍ବଚକ୍ଷୁରେ ଲୋକାର୍ପଣ ଉତ୍ସବକୁ ଦେଖିଥିଲେ।
ସବୁଠି ବାରି ହୋଇପଡ଼ୁଛି ଭକ୍ତଙ୍କ ଆବିଳତା। ଶ୍ରକ୍ଷେତ୍ରରେ ପାଦ ରଖୁ ରଖୁ ଭକ୍ତି ଭାବରେ ଆପେ ଆପେ ବାନ୍ଧି ହୋଇଯାଉଛନ୍ତି। ଭକ୍ତଙ୍କ ମଧ୍ୟରେ ଅଦମ୍ୟ ଉତ୍ସାହ ଦେଖିବାକୁ ମିଳୁଛି। ଦୀର୍ଘବର୍ଷର ସ୍ବପ୍ନ ପୂରଣ ସହ ପରିକ୍ରମା ପ୍ରକଳ୍ପ ପରି ଏକ ଐତିହ୍ୟସମ୍ପନ୍ନ କାର୍ଯ୍ୟର ଲୋକାର୍ପଣ ଉତ୍ସବରେ ସାମିଲ ହେବାର ସୁଯୋଗ ମିଳିଥିବାରୁ ଭକ୍ତମାନେ ମଧ୍ୟ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମରେ ଶତମୁଖ ହୋଇପଡ଼ିଛନ୍ତି।
ଏଭଳି ଏକ ପରିବେଶକୁ ଚିତ୍ରଶିଳ୍ପୀ ବା କେମିତି ହାତଛଡ଼ା କରିବେ। ବିଶ୍ବନିୟନ୍ତାଙ୍କ ପରିକ୍ରମା ପ୍ରକଳ୍ପରେ ଯାହା ସ୍ଥାନ ପାଇଛି, ତାହାକୁ ଶିଳ୍ପୀମାନେ କାନଭାସରେ ଆଙ୍କିଛନ୍ତି। ପୁରୀ ଶ୍ରୀମନ୍ଦିର ପରମ୍ପରା, ଐତିହ୍ୟ, ସଂସ୍କୃତିକୁ ରଙ୍ଗ ତୁଳୀରେ ବଖାଣିଛନ୍ତି। ପ୍ରତିଟି ଚିତ୍ରରେ ଦିଶୁଛି ଜଗନ୍ନାଥ ସଂସ୍କୃତିର ଝଲକ। ଯଜ୍ଞ ମଣ୍ଡପରେ ଯଜ୍ଞର ଦୃଶ୍ୟ ହେଉ, ଅଥବା ମଠ ମନ୍ଦିର। ପୁଣି ଦାସିଆ ବାଉରୀ ଜଗନ୍ନାଥଙ୍କ ପାଖକୁ ନଡ଼ିଆ ନେଇ ଆସିବାର ଚିତ୍ର ଶ୍ରଦ୍ଧାଳୁଙ୍କୁ ଭାବବିହ୍ବଳ କରୁଛି। ଶ୍ରୀମନ୍ଦିର ପରିକ୍ରମା ବୁଲି ଆସୁଥିବା ଶ୍ରଦ୍ଧାଳୁ ଚିତ୍ରକଳାରୁ ଶ୍ରୀଜଗନ୍ନାଥ ସଂସ୍କୃତି ସମ୍ପର୍କରେ ଜାଣି ପାରୁଛନ୍ତି। ଯେଉଁ ଚିତ୍ର ପ୍ରସ୍ତୁତ କରିବାକୁ ୧୫ଦିନ ସମୟ ଲାଗେ ମହାପ୍ରଭୁଙ୍କ ଆଶୀର୍ବାଦରୁ ତାହା ମାତ୍ର ୪ରୁ ୫ଘଣ୍ଟା ଭିତରେ ସମ୍ଭବପର ହେଉଥିବା ଚିତ୍ରଶିଳ୍ପୀମାନେ କହିଛନ୍ତି। କୋଲକାତାରୁ ଆସିଥିବା ଶ୍ରଦ୍ଧାଳୁ ମୁକୁଲ ବାନାର୍ଜୀଙ୍କ କହିବାନୁଯାୟୀ ପୂର୍ବରୁ ବହୁ ଥର ପରିବାର ସହ ପୁରୀ ଆସିଛି। ମାତ୍ର କେବେ ବି ଶ୍ରୀମନ୍ଦିର ଚାରିପାଖ ବୁଲିପାରି ନ ଥିଲି। ମାତ୍ର ଆଜି ଦିନ ମୋ ପାଇଁ ଥିଲା ସ୍ବତନ୍ତ୍ର। ସକାଳୁ ପହଞ୍ଚିଥିଲେ ମଧ୍ୟ ଅପରାହ୍ଣ ୨ଟା ପରେ ବୁଲିବାର ସୌଭାଗ୍ୟ ମିଳିଲା। ତେଣୁ ପରିବାର ସହ ଶ୍ରୀମନ୍ଦିର ପରିକ୍ରମା କରିବା ସହ ମହାପ୍ରଭୁଙ୍କୁ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିଛି। ପୁରୀ ଜିଲ୍ଲା ମାଳତୀପାଟପୁରରୁ ଆସିଥିବା ସଂକୀର୍ତ୍ତନ ମଣ୍ଡଳୀ ସଦସ୍ୟଙ୍କ କହିବା କଥା ହେଉଛି ଯେ ଶ୍ରୀମନ୍ଦିରର ଏଭଳି ପରିବର୍ତ୍ତନ ହେବ ବୋଲି କେବେ ବି ଭାବିପାରି ନ ଥିଲୁ। ବାପା, ଅଜା ଅମଳରୁ ଆମେ ଯେଉଁ ଶ୍ରୀମନ୍ଦିର ଦେଖୁଥିଲୁ, ରଥଯାତ୍ରାରେ କୀର୍ତ୍ତନ କରିବାକୁ ଆସୁଥିଲୁ ତାହା ଏବେ ଆଉ ଦେଖିବାକୁ ମିଳୁନାହିଁ। ଭକ୍ତିମୟ ପରିବେଶରେ ବିନା ବାଧାରେ ଆମେ ଶ୍ରୀମନ୍ଦିର ପରିକ୍ରମା କରିପାରୁଛୁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ୨୦୨୧ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଉଦ୍ଦେଶ୍ୟ ଥିଲା ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତଙ୍କୁ ମୌଳିକ ସୁବିଧା ଯୋଗାଇବା। ଏଥିସହ ମେଘନାଦ ପାଚେରି କଡ଼େ କଡ଼େ ବାହ୍ୟ ପରିକ୍ରମାର ଦିବ୍ୟ ଅନୁଭବ ପ୍ରଦାନ। ସେଥିପାଇଁ ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାରରେ ପୁରୁଷ, ମହିଳା ଭକ୍ତ ଓ ସେବାୟତଙ୍କ ପାଇଁ ଶୌଚାଳୟ, କ୍ଲୋକ୍ ରୁମ୍ ଓ ସେଲଟର୍ ପାଭିଲିଅନ ନିର୍ମିତ ହୋଇଛି। ଏତେ ବଡ଼ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ ହୋଇଥିଲେ ମଧ୍ୟ କୌଣସି ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଉଲ୍ଲେଖ କରାଯାଇ ନାହିଁ। ଏହା ମୁଖ୍ୟମନ୍ତ୍ରୀଙ୍କ ମହାନତାକୁ ପ୍ରତିପାଦିତ କରୁଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।
ମୁଖ୍ୟବିନ୍ଧାଣି ପାଣ୍ଡିଆନ
ଶ୍ରୀକ୍ଷେତ୍ରକୁ ଆସିଥିବା ଭକ୍ତ ଓ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶ୍ରେୟ ‘୫-ଟି’ ଅଧ୍ୟକ୍ଷ ଭି କେ ପାଣ୍ଡିଆନଙ୍କୁ ଦେଇଛନ୍ତି। ୨୦୧୯ରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ ବାସ୍ତବରେ ଏହାର ପରିକଳ୍ପନା ହୋଇଥିଲା ୨୦୧୭ରୁ। ପରିକଳ୍ପନାଠାରୁ ଆରମ୍ଭ କରି ଏହାର ନକ୍ସା ପ୍ରସ୍ତୁତି, ଏଥିପାଇଁ ଅର୍ଥ ବରାଦ, କାର୍ଯ୍ୟାନ୍ୱୟନ ପ୍ରତ୍ୟେକ କ୍ଷେତ୍ରରେ ଶ୍ରୀ ପାଣ୍ଡିଆନ ପ୍ରତ୍ୟକ୍ଷ ଭାବରେ ଜଡ଼ିତ ଥିଲେ। ୨୦୧୯ରୁ ପରିକ୍ରମା ପ୍ରକଳ୍ପର ଶୁଭ ଦିଆଯିବା ଠାରୁ ଲୋକାର୍ପଣ ପର୍ଯ୍ୟନ୍ତ ଗତ ୪ ବର୍ଷରେ ଅନ୍ୟୂନ ୪୦୦ରୁ ଊର୍ଦ୍ଧ୍ବଥର ସେ ପୁରୀରେ ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଭୋର ୪ଟାରେ ପୁରୀରେ ପହଞ୍ଚି କିପରି ପ୍ରକଳ୍ପ କାର୍ଯ୍ୟ ଚାଲିଛି ତାହା ବୁଲି ଦେଖିଛନ୍ତି। ସବୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଶ୍ରୀକ୍ଷେତ୍ର ପରିକ୍ରମା ପ୍ରକଳ୍ପ ତାଙ୍କ ପାଇଁ ଥିଲା ପ୍ରାଥମିକତା। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ଓ ମହାପ୍ରଭୁଙ୍କ କାର୍ଯ୍ୟ କରିବା ତାଙ୍କ ପାଇଁ ଯେମିତି ଏକ ନିଶା ପାଲଟି ଯାଇଥିଲା। ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢ଼ ମନୋବଳ ଧାର୍ଯ୍ୟ ଅବଧି ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ସହାୟକ ହୋଇଛି। ଶ୍ରୀ ପାଣ୍ଡିଆନଙ୍କ ଶ୍ରୀସେତୁ ଓ ଶ୍ରୀଦାଣ୍ଡ ଓ ପରିକ୍ରମା ପରିକଳ୍ପନା ଶ୍ରୀକ୍ଷେତ୍ରକୁ ଦେଇଛି ନୂଆ ରୂପ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/gjgdjgjjgj.jpg)