ବ୍ରହ୍ମପୁର/ଆସିକା: ଓଡ଼ିଶାରେ ପ୍ରତିଷ୍ଠା ହୋଇଥିବା ଲୋକଙ୍କ ସରକାର ‌ଏକ ବର୍ଷ ପୂରଣ କରିଛି। ଏହି ଅବସରରେ ଓଡ଼ିଶାର ସବୁଠାରୁ ବଡ଼ ଜିଲ୍ଲା ଗଞ୍ଜାମର ଆସିକାରେ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶ ଆୟୋଜନ କରାଯାଉଛି। ଓଡ଼ିଶାର କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ସବୁବେଳେ ଅଗ୍ରଣୀ ଭୂମିକା ଗ୍ରହଣ କରି ଆସିଛି। ଆଗକୁ ମଧ୍ୟ ସମୃଦ୍ଧ ଓଡ଼ିଶା ଗଠନର ନେତୃତ୍ବ ନେବ ଗଞ୍ଜାମ ଜିଲ୍ଲା। ଓଡ଼ିଶା ଯୁବବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ। ଓଡ଼ିଶାର ଯୁବ ସମାଜ ପାଇଁ ଏକ ସୁବର୍ଣ୍ଣ ଯୁଗ ଆସୁଛି। ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହୋଇଛି। ଓଡ଼ିଶାର ଅର୍ଥନୀତି ୨୦୩୬ ସୁଦ୍ଧା ୫୦୦ ବିଲିଅନ୍‌ ଡଲାର୍‌ ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ୍‌ ଡଲାର ହେବ। ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସିକା ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶରେ କହିଛନ୍ତି।

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଞ୍ଜାମ ଜିଲ୍ଲାବାସୀ ରାଜନୀତିରେ ମଧ୍ୟ ପାରଙ୍ଗମ। ଗଞ୍ଜାମବାସୀ ଡବଲ୍‌ ନୁହେଁ, ଟ୍ରିପଲ୍ ଇଞ୍ଜିନ ସରକାର ଗଠନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ୫୫୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ମା’ ତାରାତାରିଣୀ ମନ୍ଦିର ଉନ୍ନତୀକରଣ ପାଇଁ ସଂଶୋଧିତ ଡିପିଆର୍‌ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପୋଲସରାରେ ଏକ ବିଶ୍ବସ୍ତରୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଯୁବ ସମାଜକୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯୁବବର୍ଗ ହେଉଛନ୍ତି ଆମ ସମାଜର ଶକ୍ତି, ସାମର୍ଥ୍ୟ ଓ ଭବିଷ୍ୟତ। ଓଡ଼ିଶାରେ ୧୫ରୁ ୩୫ ବର୍ଷ ମଧ୍ୟରେ ଜନସଂଖ୍ୟା ହେଉଛି ୧.୭ କୋଟି। ଆମର ଏହି ବିପୁଳ ଯୁବ ଶକ୍ତିର ସାମର୍ଥ୍ୟ ଉପରେ ଭରସା କରି ଆମେ ଭବିଷ୍ୟତ ପାଇଁ ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରିଛୁ। ପିଲାମାନଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ୫୮ଟି କଲେଜରେ ଶିଳ୍ପ ସମ୍ପର୍କିତ ଶିକ୍ଷା ସହିତ ବ୍ୟାବହାରିକ ଜ୍ଞାନରେ ତାଲିମ ଦିଆଯାଉଛି। ଯୁବ ବର୍ଗଙ୍କ ଦକ୍ଷତା ବୃଦ୍ଧି ଉପରେ ଆମେ ସର୍ବାଧିକ ଗୁରୁତ୍ୱ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କ୍ରୀଡ଼ା ହେଉଛି ଏପରି ଏକ କ୍ଷେତ୍ର ଯେଉଁଠାରେ ଆପଣ ଦକ୍ଷତା ବଳରେ ଯଶ ଓ ଅର୍ଥ ପାଇ ପାରିବେ।

ଆମ ସରକାର ରାଜ୍ୟରେ ଖେଳକୁଦ ପାଇଁ ଅନେକ ବ୍ୟବସ୍ଥା କରିଛନ୍ତି। ଏହାର ସୁବିଧା ନେଇ କ୍ରୀଡ଼ାକୁ କ୍ୟାରିୟର କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏଥିପାଇଁ ୪ହଜାର ୧୨୪ କୋଟି ଟଙ୍କାର ବଜେଟ୍‌ ରଖାଯାଇଛି। ଭୁବନେଶ୍ବର ସହିତ ସମ୍ବଲପୁର, ଢେଙ୍କାନାଳ, ବ୍ରହ୍ମପୁର, ଭଦ୍ରକ ଓ କୋରାପୁଟରେ ମଧ୍ୟ କ୍ରୀଡ଼ାର ହବ୍‌ ତିଆରି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ପ୍ରକାଶିତ ପୁସ୍ତିକା ‘ତୃଣମୂଳରୁ ଶୀର୍ଷ ସୋପାନ’ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ, କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ନାୟକ, ବ୍ରହ୍ମପୁର ବିଧାୟକ କେ.ଅନୀଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଖଲ୍ଲ‌ିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ, ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ଚିକିଟି ବିଧାୟକ ମନୋରଂଜନ ଦ୍ୟାନସାମନ୍ତରା, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା‌, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ବରପୁତ୍ରଙ୍କ ସହିତ ମହାନ ଜନନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ପୂର୍ବରୁ ମା’ ଖମ୍ବେଶ୍ବରୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ। ବର୍ଷା ସତ୍ତ୍ବେ କାର୍ଯ୍ୟକ୍ରମରେ ବହୁ ଯୁବବର୍ଗ ଯୋଗ ଦେଇଥିଲେ। ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ସ୍ବାଗତ ଭାଷଣ ଦେଇଥିବା ବେଳେ ଆସିକା ବିଧାୟକ ସରୋଜ ପାଢ଼ୀ ଧନ୍ୟବାଦ ଦେଇଥିଲେ।