ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ବୟଂଶାସିତ ନୁହେଁ, ସରକାରୀ ମହାବିଦ୍ୟାଳୟ କରିବାକୁ ରାଜ୍ୟ ସରକାର ଦାୟିତ୍ବ ନିଅନ୍ତୁ। ମହାବିଦ୍ୟାଳୟର ସ୍ବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କଥା କହିଛନ୍ତି।
କାର୍ଯ୍ୟକ୍ରମ ଆରମ୍ଭରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ନବରଙ୍ଗପୁର ମହାବିଦ୍ୟାଳୟକୁ ସ୍ବୟଂଶାସିତ କରିବାକୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ କହିଥିଲେ। ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ନବରଙ୍ଗପୁର ଆକାଂକ୍ଷୀ ଜିଲ୍ଲାର ମାନ୍ୟତା ପାଇଛି। ଏଠାରେ ମଡେଲ ଡିଗ୍ରି କଲେଜକୁ ବାଦ୍ ଦେଲେ ଗୋଟିଏ ବି ସରକାରୀ କଲେଜ ନାହିଁ। କଲେଜ ଗୁଡ଼ିକରେ ୭୫ପ୍ରତିଶତ ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ଏହି ବର୍ଗର ଛାତ୍ରଛାତ୍ରୀଙ୍କୁ ରହିବା ଓ ଦେୟମୁକ୍ତ ସୁବିଧା ଦେଲେ ସମସ୍ତ ପିଲା ପାଠ ପଢ଼ିପାରିବେ। ନବରଙ୍ଗପୁର ଜିଲ୍ଲାର ଜୀବନ, ଆକାଂକ୍ଷା ଓ ସ୍ପନ୍ଦନ ଏହି କଲେଜ ସହ ଯୋଡି ହୋଇ ରହିଛି। ସ୍ବୟଂଶାସିତ ମାନ୍ୟତା ମିଳିଲେ ପିଲା ପିଜି ପଢ଼ିପାରିବେ ଏବଂ ବିଭିନ୍ନ ନୂଆ ପାଠ୍ୟକ୍ରମର ସୁବିଧା ମିଳିବ। କିନ୍ତୁ, ପିଲାଙ୍କ ପାଖରେ ଏଥିପାଇଁ ସମ୍ବଳ ନାହିଁ। ସରକାରୀ କଲେଜରେ ଆଦିବାସୀ ପିଲାଙ୍କୁ ବିଶେଷ ଲାଭ ମିଳିବ। ତେଣୁ ନବରଙ୍ଗପୁର କଲେଜକୁ ସରକାରୀ କଲେଜ କରିବା ପାଇଁ ରାଜ୍ୟ ସରକାର ଦାୟିତ୍ୱ ନିଅନ୍ତୁ ବୋଲି ମତ ଦେଇଥିଲେ। ସେହିପରି ଚାକିରିଆ ନୁହେଁ ଚାକିରିଦାତା ହୁଅ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।
ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇ କୌଣସି ଅଞ୍ଚଳର ସମୃଦ୍ଧି ଓ ପ୍ରଗତି ପାଇଁ ଶିକ୍ଷା, ଗମନାଗମନ, କୃଷି, ସ୍ବାସ୍ଥ୍ୟ କ୍ଷେତ୍ରକୁ ଅଗ୍ରାଧିକାର ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଶିକ୍ଷାର ଉନ୍ନତି ନିମନ୍ତେ ଜିଲ୍ଲାର ୧୭୦ ଉଚ୍ଚବିଦ୍ୟାଳୟକୁ ୫-ଟି ଅନ୍ତର୍ଗତ ରୂପାନ୍ତରୀକରଣ କରାଯାଇଛି ବୋଲି କହିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଡ.କୋମଳ ଲୋଚନ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, କଲେଜ ଅଧ୍ୟକ୍ଷ ଭାସ୍କର ନାଥ ବିଶ୍ବାଳ ପ୍ରମୁଖ ମଞ୍ଚାସୀନ ହୋଇଥିଲେ।