ଓଡ଼ିଶା ସାମ୍ବାଦିକ ସଂଘର ସୁବର୍ଣ୍ଣ ଜୟନ୍ତୀ

କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ ଖୁବ୍‌ଶୀଘ୍ର ପେନସନ

ଯାଜପୁରଟାଉନ/ସଦର : ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଯାଜପୁର ସହରର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଓଡ଼ିଶା ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି।

ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ମୁଖ୍ୟ ଅତିଥ ଭାବେ ଯୋଗଦେଇ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପାର୍ଲାମେଣ୍ଟରେ ଦାବି ଉପସ୍ଥାପନ କରିିବେ ବୋଲି କହିଥିଲେ। ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଥିଲେ, ସାମାଜିକ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଇବା ପାଇଁ ରାଜ୍ୟ ସରକାର ଖୁବ୍‌ଶୀଘ୍ର ନିୟମ ଆଣୁଛନ୍ତି। ଏଥିସହିତ, ବୀମାରାଶି ୨ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି କରିବା ଓ ସେଥିରେ ପିତାମାତାଙ୍କ ନାମକୁ ସାମିଲ କରିବା ତଥା ଖୁବ୍‌ଶୀଘ୍ର କର୍ତ୍ତବ୍ୟରତ ସାମ୍ବାଦିକମାନଙ୍କୁ ପେନ୍‌ସନ୍ ଯୋଗାଇଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଉଛନ୍ତି ବୋଲି ଶ୍ରୀ ମଙ୍ଗରାଜ କହିଥିଲେ।

ସ୍ବତନ୍ତ୍ର ଅତିଥିଭାବେ ରାଜ୍ୟ ମାନବାଧିକାର ଅୟୋଗ ସଦସ୍ୟ ଅସୀମ ଅମିତାଭ ଦାସ ଯୋଗଦେଇ କହିଥିଲେ, ନିର୍ଭୀକ ଭାବେ କାର୍ଯ୍ୟ କରିବା ପାଇଁ କରୁଥିବା ସାମ୍ବାଦିକମାନେ ଆକ୍ରୋଶର ଶିକାର ହେଉଛନ୍ତି। ବରିଷ୍ଠ ସାମ୍ବାଦିକ ଅକ୍ଷୟ ସାହୁ, ଯାଜପୁରର ପୂର୍ବତନ ପୌରାଧ୍ୟକ୍ଷ ଭବ ପ୍ରସାଦ ଦାସ ଯୋଗଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ।
ଓଡ଼ିଶା ସାମ୍ବାଦିକ ସଂଘ ସଭାପତି ତଥା ଜାତୀୟ ପ୍ରେସ କାଉନସିଲ ସଦସ୍ୟ ପ୍ରସନ୍ନ ମହାନ୍ତିଙ୍କ ସଭାପତିତ୍ୱରେ ପରିଚାଳିତ ଏହି ସମାରୋହରେ ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟ ସଂଘର ସଂପାଦକ ଅଶୋକ ନନ୍ଦ ବିବରଣୀ ପାଠ କରିଥିଲେ। ଶେଷରେ, ଯାଜପୁର ଜିଲ୍ଲା ସାମ୍ବାଦିକ ସଂଘ ସଂପାଦକ ଦେବ ପ୍ରସାଦ ସାହୁ ଧନ୍ୟବାଦ ଦେଇଥିଲେ। ସମାରୋହରେ ୩୦ ଟି ଜିଲ୍ଲାର ସାମ୍ବାଦିକମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର