ଗୋଲଡେନ୍‌ ଲ୍ୟାଣ୍ଡ୍‌ ଜମାକାରୀ ଟଙ୍କା ଫେରସ୍ତ ନେଇ ଦ୍ବନ୍ଦ୍ବରେ, ଆବେଦନ ଅବଧି ନସରୁଣୁ ତଦନ୍ତ ଆରମ୍ଭ

ରା.ଉଦୟଗିରି : ୨୦୨୨ ଏପ୍ରିଲ ୪ତାରିଖ ଠାରୁ ଗୋଲଡେନ୍‌ ଲ୍ୟାଣ୍ଡ୍‌ ଜମାକାରୀଙ୍କୁ ଟଙ୍କା ଫେରି ପାଇବା ପାଇଁ ଅନ୍‌ଲାଇନ ଆବେଦନ କରିବାକୁ କୁହା ଯାଇଥିଲା। ଏହାର ଶେଷ ତାରିଖ ଆଜି ୩ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ରଖାଯାଇଛି। ତେବେ, ଅବଧି ଶେଷ ତାରିଖ ଯାଇନି, ସ୍ଥାନୀୟ ରାଜସ୍ଵ ବିଭାଗ ଓ ପଞ୍ଚାୟତ ପକ୍ଷରୁ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯେଉଁମାନେ ପୂର୍ବରୁ ଅନ୍‌ଲାଇନ୍‌ ଆବେଦନ କରି ସାରିଛନ୍ତି, ଆଜି ସେମାନଙ୍କ ଗୋଲଡେନ୍‌ ଲ୍ୟାଣ୍ଡ୍‌ ବଣ୍ଡ୍‌, ରସିଦ, ପ୍ରକୃତ ହିତାଧିକାରୀ ପ୍ରମାଣଓ ଆବଶ୍ୟକ ପରିଚୟ ପତ୍ର ଯାଞ୍ଚ ଆଜି ସମସ୍ତ ପଞ୍ଚାୟତରେ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଯାଞ୍ଚ ପ୍ରକ୍ରିୟା ସନ୍ଧ୍ୟା ୫ଟାରୁ ବନ୍ଦ ହୋଇ ଯାଇଥିବା ବେଳେ ତା’ପରେ ଯେଉଁମାନେ ରାତି ୧୨ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ଆବେଦନ କରିବେ ସେମାନଙ୍କ କାଗଜପତ୍ର କେବେ ଯାଞ୍ଚ ହେବ ସେ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏ ନେଇ ସ୍ଥାନୀୟ ସ୍ଥାନୀୟ ତହସିଲଦାର ନାରାୟଣ ବେହେରା କହିଥିଲେ, ଅଧିକାଂଶ ଜମାକାରୀ ଅନ୍‌ଲାଇନ୍‌ ଆବେଦନ କରି ପାରି ନଥିବାରୁ ଶେଷ ତାରିଖ କିଛି ଦିନ ଘୁଞ୍ଚିପାରେ। ସେମିତି ହେଲେ କିଛି ଦିନ ଅନ୍ତରରେ ପୁନଃଯାଞ୍ଚ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ସ୍ଥାନୀୟ ରାଜସ୍ବ ନିରୀକ୍ଷକ ହରିଶ୍ଚନ୍ଦ୍ର ରଇତ, ଛେଲାଗଡ଼ ରାଜସ୍ବ ନିରୀକ୍ଷକ ଏମ.ସୁଧାକର, ରା.ଉଦୟଗିରି ପଞ୍ଚାୟତ ନିର୍ବାହୀ ଅଧିକାରୀ ଜେ.ସତ୍ୟନାରାୟଣ ପ୍ରମୁଖ କାଗଜପତ୍ର ଯାଞ୍ଚ କରିଥିଲେ। ଯେଉଁମାନେ ସ୍ଥାୟୀ ଜମା କରିଛନ୍ତି ସେମାନଙ୍କ ବଣ୍ଡ୍‌ ଯଥେଷ୍ଟ। କିନ୍ତୁ, ଯେଉଁମାନେ ଆବର୍ତ୍ତି ଜମା(ଆର.ଡି) କରିଛନ୍ତି, ସେମାନଙ୍କ ପାଖରୁ ବଣ୍ଡ୍‌ ବ୍ୟତୀତ ଶେଷ ଜମା ରସିଦ ମଗାଯାଉଛି। ଅଧିକାଂଶ ହିତାଧିକାରୀ ଯଦିଓ ୩ବର୍ଷ କିମ୍ବା ୬ବର୍ଷ ଟଙ୍କା ବାନ୍ଧିଛନ୍ତି, ସେମାନେ ଆରମ୍ଭରୁ କିଛି ରସିଦ ନିଜ ପାଖରେ ରଖିଥିବା ବେଳେ ପରେ ବାନ୍ଧିଥିବା ରସିଦ ରଖିନାହାନ୍ତି। ସିଧାସଳଖ କହିବାକୁ ଗଲେ ସେମାନଙ୍କୁ ଜମା କରିଥିବା ସମୁଦାୟ ଟଙ୍କା ମିଳିବ କି ନାହିଁ, କିମ୍ବା ଯେତିକି ରସିଦ ଦେଖାଇବେ ସେତିକି ହିଁ ଟଙ୍କା ମିଳିବ, ଏ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଜମାକାରୀ।
ସରକାରଙ୍କ ଏହି ନିୟମ ଜାଣିନଥିବା ଯୋଗୁଁ ଆଧାର, ବ୍ୟାଙ୍କ ଖାତା ସହ ବଣ୍ଡ୍‌ରେ ଯେଉଁମାନଙ୍କ ନାଁ ମେଳ ଖାଉନି ସେମାନେ ଟଙ୍କା ଫେରି ପାଇବା ଆଶାରେ ଏଫିଡାଭିଟ କରୁଛନ୍ତି। କିନ୍ତୁ ସେମାନେ ଟଙ୍କା ଫେରି ପାଇବାର ଆଶା କ୍ଷୀଣ, ଯେହେତୁ ସେମାନଙ୍କ ପାଖରେ ଶେଷ ରସିଦ ନାହିଁ। ଜମାକାରୀଙ୍କ ହତାଶା ଓ ନିରାଶା କେବଳ ସେତିକିରେ ଅଟକିନି। ଅଧିକାଂଶ ଜମାକାରୀଙ୍କ ଟଙ୍କା ପୂର୍ଣ ବିକଶିତ(ମାଚ୍ୟୁର) ହେବା ପରେ ସେହି ଟଙ୍କା ଏଜେଣ୍ଟ ମାନେ ରି-ଇନ୍‌ଭେଷ୍ଟ କରି ଦେଇଛନ୍ତି। ଆଉ ଏହି ଟଙ୍କା ଜମାକାରୀ ନେଇ ସାରିଛନ୍ତି ବୋଲି ଦର୍ଶାଇଛନ୍ତି। ଏମିତିରେ ସେମାନେ କେତେ ଟଙ୍କା ଫେରିପାଇବେ ତାହା ସେମାନେ ଜାଣନ୍ତି ନାହିଁ।
ସମ୍ବନ୍ଧିତ ଖବର