ଭୁବନେଶ୍ବର/ବାଲେଶ୍ବର/ବାରିପଦା/ଭଦ୍ରକ: ଉତ୍ତର ଓଡ଼ିଶାକୁ ବନ୍ୟା ଭୟ। ବର୍ଷା ଜାରି ରହିଥିବାରୁ ଅଧିକାଂଶ ନଦୀ ଫୁଲୁଛି। ତେଣୁ ବନ୍ୟା ବିପଦ ରହିଥିବା ନେଇ କେନ୍ଦ୍ର ଜଳ ଆୟୋଗ ଅଧୀନ ବାଲେଶ୍ବର ଜିଲ୍ଲା ରାଜଘାଟସ୍ଥିତ ପୂର୍ବାନୁମାନ କେନ୍ଦ୍ର ଆକଳନ କରିଛି। ଫଳରେ ବାଲେଶ୍ବର,ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ନଦୀକୂଳିଆବାସୀ ଚିନ୍ତାରେ ପଡ଼ିଛନ୍ତି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ଓଡ଼ିଶା ସହ ଉପରମୁଣ୍ଡରେ ଥିବା ପଡ଼ୋଶୀ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ୩ ଦିନ ହେଲା ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ଆଜି ବାଲେଶ୍ବର, ମୟୂରଭଞ୍ଜ, ଓ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ନଦୀଗୁଡ଼ିକ ଫୁଲିଛି। ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଜଳସ୍ତର ଏବେ ବିପଦସଂକେତ ପାଖାପାଖି ଥିବାବେଳେ ଆଜି ରାତି ଓ ଆସନ୍ତାକାଲି ସକାଳ ସୁଦ୍ଧା ଏହି
ତିନିଟି ନଦୀର ଜଳସ୍ତର ଅଧିକାଂଶ ସ୍ଥାନରେ ବିପଦସଂକେତ ଟପିଯିବ। ଏପରିକି ଏହି ତିନି ନଦୀରେ ବଡ଼ ବନ୍ୟା ଆସୁଥିବାରୁ ଜଳସମ୍ପଦ ବିଭାଗ ପକ୍ଷରୁ ବାଲେଶ୍ବର ଜିଲ୍ଲାପାଳଙ୍କୁ ସତର୍କ ସୂଚନା ଜାରି କରାଯାଇଛି।ତଳିଆ ଅଞ୍ଚଳର ଲୋକଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆବଶ୍ୟକ ରିଲିଫ୍ କାର୍ଯ୍ୟ ପରିଚାଳନା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ରାଜଘାଟଠାରେ ସୁବର୍ଣ୍ଣରେଖାର ବିପଦସଂକେତ ୧୦.୩୬ମିଟର ଥିବାବେଳେ ଆଜି ରାତି ୧୦ଟା ସୁଦ୍ଧା ଜଳସ୍ତର ୧୦.୧୩ମିଟରରେ ପହଞ୍ଚିଛି। ନଦୀରେ ପାଣି ବଢ଼ୁଥିବାରୁ ଆଜି ରାତିରେ ଜଳସ୍ତର ୧୧.୨୫ମିଟରରେ ପହଞ୍ଚିବ। ସେହିପରି ଗୋବିନ୍ଦପୁରଠାରେ ବୁଢ଼ାବଳଙ୍ଗ ନଦୀର ବିପଦସଂକେତ ୮.୧୩ ମିଟର ଥିବାବେଳେ ଏହା ୭.୧୨ମିଟରରେ ପହଞ୍ଚିଛି। ଆସନ୍ତାକାଲି ସକାଳ ୯ଟା ସୁଦ୍ଧା ୮.୨୦ମିଟରରେ ପହଞ୍ଚିବ। ମଥାନୀଠାରେ ଜଳକା ନଦୀର ବିପଦସଂକେତ ୬.୫୦ମିଟର ଥିବାବେଳେ ଏଠାରେ ଏବେ ବିପଦ ସଂକେତ ଉପରେ ଅର୍ଥାତ୍ ୭.୧୬ମିଟରରେ ଜଳ ପ୍ରବାହିତ ହେଉଛି। ଆଜି ରାତି ୧୨ଟାରେ ୭.୫୦ମିଟରରେ ପହଞ୍ଚିବ। ତେଣୁ ବନ୍ୟା ମୁକାବିଲା କରିବା ଏବଂ ତ୍ବରିତ ପଦକ୍ଷେପ ପାଇଁ ଜଳସମ୍ପଦ ବିଭାଗର ସେଚ ସଦନଠାରେ ଏକ ୨୪ଘଣ୍ଟିଆ ବନ୍ୟା ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। କ୍ଷେତ୍ରସ୍ତରରେ ସ୍ଥିତି ଅନୁଧ୍ୟାନ ଓ ତଦାରଖ କରିବା, ସମ୍ଭାବ୍ୟ ବନ୍ୟା ସ୍ଥିତି ପରିଚାଳନାରେ ସହାୟତା ପାଇଁ ଜଳସମ୍ପଦ ବିଭାଗର ଜଣେ ସର୍ବୋଚ୍ଚ ଯନ୍ତ୍ରୀ ଓ ଜଣେ ମୁଖ୍ୟ ଯନ୍ତ୍ରୀଙ୍କୁ ବାଲେଶ୍ବର ପଠାଯାଇଛି।
ଆଜି ବିପଦସଂକେତ ଟପିବ, ଉଛୁଳିଲା ଜଳକା
ବାହାର୍ଦ୍ଦା-ମଥାନୀ ରାସ୍ତାରେ ୩ ଫୁଟ ଉଚ୍ଚର ପାଣି
ଭାସିଗଲା ମାଲ୍ ବୋଝେଇ ଟ୍ରାକ୍ଟର
ମୟୂରଭଞ୍ଜରେ ଅଙ୍ଗନବାଡ଼ି ୩ ଦିନ, ସ୍କୁଲ୍ ଦିନକ ପାଇଁ ଛୁଟି
ଅନ୍ୟପଟେ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍ର ଜଳପତ୍ତନ ବୃଦ୍ଧି ପାଇ ୯୧ ମିଟରରେ ପହଞ୍ଚିଥିବା ଯୋଗୁ କର୍ତ୍ତୃପକ୍ଷ ୮ଟି ଗେଟ୍ ଖୋଲି ଦେଇଛନ୍ତି। ଫଳରେ ଜଳେଶ୍ୱର, ଭୋଗରାଇ, ବାଲିଆପାଳ ଓ ବସ୍ତା ବ୍ଲକ୍ ପ୍ରତି ବନ୍ୟା ବିପଦ ସୃଷ୍ଟି ହୋଇଛି। ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବାହାର୍ଦ୍ଦା-ମଥାନୀ ରାସ୍ତା ଉପରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି। ଏଠାରେ ଏକ ମାଲ୍ ବୋଝେଇ ଟ୍ରାକ୍ଟର ବନ୍ୟାପାଣିରେ ଭାସିଯାଇଛି। ବାହାର୍ଦ୍ଦା, ମଥାନୀ, କୁଡ଼ିଆ, ଦୁଧହଂସା ଓ ସଦାନନ୍ଦପୁର ପଞ୍ଚାୟତର ପ୍ରାୟ ୧୫ଟି ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ସେହିପରି ମୟୂରଭଞ୍ଜ ଜିଲ୍ଲା ଦେଇ ପ୍ରବାହିତ ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, ଜମ୍ଭିରା, ସୋନ ଓ ଗଙ୍ଗାହାର ନଦୀ ଫୁଲିଛି। ଯଦିଓ ଏହି ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳେ ରହିଛି, ଶିମିଳିପାଳରେ ଜାରି ରହିଥିବା ବର୍ଷା ଯୋଗୁ ବନ୍ୟା ଆଶଙ୍କା ରହିଛି।
ଅନ୍ୟପଟେ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜ୍ର ଆଉ ଅଧିକ ଗେଟ୍ ଖୋଲାଗଲେ ସୁବର୍ଣ୍ଣରେଖା ବନ୍ୟାପାଣିରେ ସାରସକଣା ବ୍ଲକ୍ ଅଧୀନ ନେଦା ଗାଁ ବୁଡ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜମ୍ଭିରା ନଦୀର ଜଳସ୍ତର ବୃଦ୍ଧି ପାଉଥିବାରୁ ରାସଗୋବିନ୍ଦପୁର ବ୍ଲକ୍ ଅଧୀନ ଟିକାୟତପୁର ଅଞ୍ଚଳ ପ୍ରତି ବିପଦ ରହିଛି। ମୟୂରଭଞ୍ଜରେ ସୋମବାର ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଶଙ୍କା ରହିଛି। ତେଣୁ ପାଣିପାଗ ବିଭାଗ ଜିଲ୍ଲାରେ ରେଡ୍ ଆଲର୍ଟ ଜାରି କରିଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲାର ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ବୁଧବାର; ୩ ଦିନ ପାଇଁ ଏବଂ ପ୍ରଥମରୁ ଦଶମ ଶ୍ରେଣୀ ସ୍କୁଲ୍ଗୁଡ଼ିକ କେବଳ ସୋମବାର ଛୁଟି ରଖିବାକୁ ଜିଲ୍ଲାପାଳ ହେମକାନ୍ତ ସୟେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସେହିପରି ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ସାଳନ୍ଦୀ, ବୈତରଣୀ, ରେବ ଓ କପାଳି ନଦୀ ମଧ୍ୟ ଫୁଲୁଛି। ହେଲେ ସବୁ ନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ଜଣାପଡ଼ିଛି। ବର୍ଷା ପରିମାଣ ବଢ଼ିଲେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି।
ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷିବ
ଭୁବନେଶ୍ବର: ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ଆଜି ସକାଳେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଧୀରେ ଧୀରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବ ଓ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ଉପରେ ସକ୍ରିୟ ରହିଥିବାରୁ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହୋଇଛି। ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ଭାରି (୭ରୁ ୨୦ସେମି ) ବର୍ଷା, ଦୁଇଟି ସ୍ଥାନରେ ଅତ୍ୟାନ୍ତ ଭାରି (୨୦ରୁ ୩୦ ସେମି) ଏବଂ ଗୋଟିଏ ସ୍ଥାନରେ ଅତ୍ୟଧିକ ଭାରି (୩୦ ସେମିରୁ ଅଧିକ) ବର୍ଷା ରେକର୍ଡ କରାଯାଇଛି। ଅନୁଗୁଳ, ବାଲେଶ୍ବର, ବରଗଡ଼, ବଲାଙ୍ଗୀର, ବୌଦ୍ଧ, ଢେଙ୍କାନାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି।
ସୋମବାର ପୂର୍ବାହ୍ନ ସୁଦ୍ଧା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାକୁ ଥିବାରୁ ରେଡ୍ ଆଲର୍ଟ ଦିଆଯାଇଛି। ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାକୁ ଥିବାରୁ ଅରେଞ୍ଜ ଆଲର୍ଟ ଦିଆଯାଇ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ପ୍ରଭାବ ଲାଗିରହିବ। ଉତ୍ତର-ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି।
ଅନ୍ୟପକ୍ଷରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଜି ସାରା ଦେଶକୁ ଛୁଇଁଛି। ସାଧାରଣତଃ ଜୁଲାଇ ୮ରେ ସମ୍ପୂର୍ଣ୍ଣ ଦେଶକୁ ସ୍ପର୍ଶ କରୁଥିବା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଏଥର ୯ ଦିନ ଆଗରୁ ଛୁଇଁଛି। ୧୯୯୯ରୁ ୨୦୨୫ ମଧ୍ୟର ତଥ୍ୟକୁ ଦେଖିଲେ ୨୦୦୫ରେ ଜୁନ୍ ୩୦, ୨୦୧୩ରେ ଜୁନ୍ ୧୬, ୨୦୧୫ରେ ଜୁନ୍ ୨୬, ୨୦୧୮ରେ ଜୁନ୍ ୨୯, ୨୦୨୦ରେ ଜୁନ୍ ୨୬, ୨୦୨୫ରେ ଜୁନ୍ ୨୯ରେ ସାରା ଦେଶକୁ ସ୍ପର୍ଶ କରିଥିଲା। ମେ’ ୨୪ରେ କେରଳ ଛୁଇଁଥିବା ମୌସୁମୀ ସାରା ଦେଶରେ ପହଞ୍ଚିବାକୁ ଏଥର ୩୬ ଦିନ ସମୟ ଲାଗିଛି। କେବଳ ୨୦୦୨ରେ ମେ’ ୨୯ରେ ମୌସୁମୀ କେରଳ ଛୁଇଁଥିବା ବେଳେ ସମ୍ପୂର୍ଣ୍ଣ ଦେଶକୁ ସ୍ପର୍ଶ କରିବାକୁ ଅଗଷ୍ଟ ୧୫ ତାରିଖ ହୋଇଯାଇଥିଲା। ଅନ୍ୟ ବର୍ଷଗୁଡ଼ିକରେ ଜୁଲାଇ ମାସରେ ମୌସୁମୀ ସାରା ଦେଶକୁ ସ୍ପର୍ଶ କରିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।