ଛତ୍ରପୁର : ଛତ୍ରପୁର ଏନ୍‌ଏସି ବିଜେଡି କାଉନସିଲର୍‌ ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାରେ ବରିଷ୍ଠ ବିଜେପି ନେତା ତଥା ଗଂଜାମ ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ରଙ୍କୁ ପଚରାଉଚରା ପାଇଁ ପୁଲିସ ନୋଟିସ୍‌ କରିବା ପରେ ଆଜି ଶ୍ରୀ ମହାପାତ୍ର ଛତ୍ରପୁର ଥାନାରେ ହାଜର ହୋଇଛନ୍ତି। ମାମଲାର ମାଷ୍ଟରମାଇଣ୍ଡ ତଥା ଜିଲ୍ଲା ବିଜେପି ସଂପାଦକ କୃଷ୍ଣଚନ୍ଦ୍ର ନାୟକ ଓ ତାଙ୍କ ସହଯୋଗୀ ଦୁର୍ଯ୍ୟୋଧନ ରେଡ୍ଡୀ ପଚରାଉଚରା ବେଳେ ଗୋଲକଙ୍କ ସହ ଫୋନ୍‌ ଯୋଗେ କଥାବାର୍ତା କରିଥିବା ସ୍ୱୀକାର କରିଥିଲେ। ଏହି ଆଧାରରେ ତାଙ୍କୁ ଆଜି ଛତ୍ରପୁର ଥାନାରେ ହାଜର ହେବା ପାଇଁ ପୁଲିସ ନୋଟିସ ଜାରି କରିଥିଲା ବୋଲି ଛତ୍ରପୁର ଏସଡିପିଓ ରମେଶ ଚନ୍ଦ୍ର ସେଠୀ ସୂଚନା ଦେଇଥିଲେ।

Advertisment

publive-image
ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ଗିରଫ ବିଜେପି ଜିଲ୍ଲା ସଂପାଦକ କୃଷ୍ଣ ନାୟକ ଓ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡିଙ୍କୁ ପୁଲିସ ୭ ଦିନିଆ ରିମାଣ୍ଡରେ ନେଇଛି। ପୂର୍ବରୁ ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ୧୫ଜଣ ଗିରଫ ହୋଇଥିଲେ। କୃଷ୍ଣ ଓ ଦୁର୍ଯ୍ୟୋଧନଙ୍କୁ ମିଶାଇ ଗିରଫ ସଂଖ୍ୟା ୧୭ରେ ପହଞ୍ଚିଛି। ସିସିଟିଭି ଫୁଟେଜ୍‌ରେ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଛୋଟୁ ସେଠୀଙ୍କ ସମେତ ୫ଜଣ ଅଭିଯୁକ୍ତଙ୍କୁ ବର୍ତ୍ତମାନ ସୁଦ୍ଧା ଗିରଫ କରା ଯାଇପାରି ନାହିଁ । ତେବେ ଅଭିଯୁକ୍ତ କୃଷ୍ଣଚନ୍ଦ୍ର ନାୟକଙ୍କ ବୟାନ ଭିତ୍ତିରେ ଗତକାଲି ଛତ୍ରପୁର ପୁଲିସ ଥାନାରେ ହାଜର ହେବା ପାଇଁ ବିଜେପି ନେତା ଗୋଲକ ମହାପାତ୍ରଙ୍କୁ ନୋଟିସ ଜାରି କରିଥିଲା। ଏହି ନୋଟିସ ପାଇବା ପରେ ଆଜି ଶ୍ରୀ ମହାପାତ୍ର ଛତ୍ରପୁର ଥାନା ଅଭିମୁଖେ ଯାଇଥିଲେ। ଶ୍ରୀ ମହାପାତ୍ରଙ୍କ ସହିତ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଆଜି ଅପରାହ୍‌ଣ ପ୍ରାୟ ୧ଟା ବେଳେ ଛତ୍ରପୁରରେ ପହଞ୍ଚିଛନ୍ତି। ବିଜେପି ନେତାମାନେ ଏକ ଶୋଭାଯାତ୍ରାରେ ଯାଇ ଛତ୍ରପୁର ଥାନା ନିକଟରେ ପହଞ୍ଚିଥିଲେ। ସେଠାରୁ ପୁଲିସ ଅନ୍ୟ ସମସ୍ତ ବିଜେପି ନେତାଙ୍କୁ ଅଟକାଇ ଦେଇ କେବଳ ଗୋଲକ ମହାପାତ୍ରଙ୍କୁ ଥାନା ଭିତରକୁ ନେଇଛି।