କେନ୍ଦୁଝର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ର ବ୍ୟାଙ୍କ ଆକାଉଣ୍ଟରେ ଗଡ଼ବଡ଼! ବ୍ୟାଙ୍କ ଆକାଉଣ୍ଟ ଓ କ୍ୟାସ୍ବୁକ୍ ମଧ୍ୟରେ ତାଳମେଳ ରହୁନଥିବା ଅଡିଟ୍ ବେଳେ ଜଣାପଡ଼ିଛି। ବ୍ୟାଙ୍କ ଜମା ଉପରେ ଆସୁଥିବା ସୁଧ ଏବଂ ବିଭିନ୍ନ ଯୋଜନା ସଂପର୍କିତ ଖର୍ଚ୍ଚର ହିସାବ ନାହିଁ। ବିଶେଷକରି, କ୍ୟାସବୁକ୍କୁ ନେଇ ଆପତ୍ତି ଉଠାଇଛନ୍ତି ଅଡିଟ୍ ଟିମ୍।
ପ୍ରାପ୍ତ ସୂଚନା ଅନୂସାରେ, ୨୦୨୧-୨୨ ବର୍ଷ ପାଇଁ ବାଂଶପାଳ ବ୍ଲକ୍ର ଅଡିଟ୍ ସରିଛି। ମେ ୨ରୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଅଡିଟ୍ ଅଫିସର ସ୍ବରୂପ କୁମାର ସାହୁଙ୍କ ନେତୃତ୍ବରେ ଏହି ବ୍ଲକ୍ର ଅଡିଟ୍ ହୋଇଥିଲା। ଅଡିଟ୍ ବେଳେ ବ୍ୟାଙ୍କ ଆକାଉଣ୍ଟରେ ହିସାବ ଠିକ୍ ନମିଳିବା ନେଇ ଅଡିଟ୍ ଟିମ୍ ଆପତ୍ତି ଉଠାଇଛି। ସାଧାରଣତଃ କ୍ୟାସ୍ବୁକ୍ ସହିତ ରେଜିଷ୍ଟର ଏବଂ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଧ୍ୟରେ ମେଳ ଖାଇବା କଥା। ବ୍ଲକ୍ର ଯେଉଁସବୁ ଆକାଉଣ୍ଟ ରହିଛି, କ୍ୟାସବୁକ୍ ସହ ତାହାର ହିସାବ ତାଳମେଳ ରହିନଥିଲା। ପଞ୍ଚାୟତ ସମିତିର ବ୍ୟାଙ୍କ ଆକାଉଣ୍ଟକୁ ଯେଉଁ ସୁଧ ଆସିବା କଥା ତାହାକୁ ରସିଦ ଜରିଆରେ କ୍ୟାସ୍ବୁକ୍ରେ ଚଢ଼ାଯିବା କଥା। ମାତ୍ର, ତାହା ହୋଇନଥିବା ଅଡିଟ୍ବେଳେ ଜଣାପଡ଼ିଛି। ପ୍ରାୟ ୩୯ଟି ଆକାଉଣ୍ଟରେ ୧୦ ଲକ୍ଷ ୭୪ ହଜାର ୯୨୬ ଟଙ୍କାର ସୁଧ ହିସାବ କ୍ୟାସ୍ବୁକ୍ରେ ଲେଖାଯାଇ ନାହିଁ। ଯାହାକୁ ନେଇ ଆପତ୍ତି ଉଠାଇଛନ୍ତି ଅଡିଟ୍ ଟିମ୍।
ସେହିପରି ସରକାରୀ ଅନୁଦାନ ଆସୁଥିବା ୬ଟି ବ୍ୟାଙ୍କ ଆକାଉଣ୍ଟକୁ ଯେଉଁ ସୁଧ ଆସିଛି, ତାହା ମଧ୍ୟ କ୍ୟାସ୍ବୁକ୍ରେ ଉଲ୍ଲେଖ କରାଯାଇ ନାହିଁ। ଏହି ୬ଟି ଆକାଉଣ୍ଟରେ ୧ ଲକ୍ଷ ୨୮ ହଜାର ୯୦୯ ଟଙ୍କାର ସୁଧ ହିସାବ କ୍ୟାସ୍ବୁକ୍ରେ ଉଲ୍ଲେଖ ନଥିବା ଜଣାପଡ଼ିଛି। ଏହାଛଡ଼ା ମନରେଗା ଯୋଜନାଠାରୁ ଆରମ୍ଭ କି ଆବାସ ଯୋଜନା ପର୍ଯ୍ୟନ୍ତ ଏକାଧିକ ଯୋଜନାରେ ଯେଉଁ ଅର୍ଥ ଆକାଉଣ୍ଟକୁ ଆସିଛି, ତାହାକୁ ମଧ୍ୟ କ୍ୟାସ୍ବୁକ୍ରେ ଉଲ୍ଲେଖ କରାଯାଇନାହିଁ। ଗୋପବନ୍ଧୁ ଗ୍ରାମୀଣ ଜ୍ୟୋତି ଯୋଜନାରେ ୧୪ ଲକ୍ଷ ଟଙ୍କା, ମନରେଗା ଯୋଜନାରେ ୧୦ ଲକ୍ଷ ୩ ହଜାର ୪୫୦ ଟଙ୍କା (କୋଭିଡ ସହାୟତା), ମନରେଗା ଯୋଜନାରେ ୧୧ ଲକ୍ଷ ୩୮ ହଜାର ୩୮୩ ଟଙ୍କା ପରି ଏକାଧିକ ଯୋଜନାରେ ପ୍ରାୟ ୫୨ ଲକ୍ଷ ୫୭ ହଜାର ୯୨୫ ଟଙ୍କା ପଞ୍ଚାୟତ ସମିତି ଆକାଉଣ୍ଟକୁ ଆସିଛି। ଏସବୁ କ୍ୟାସ୍ବୁକ୍ରେ ଉଲ୍ଲେଖ କରାଯାଇନାହିଁ। ସିସିଟିଭି କିଣାରେ ୧୦ ହଜାର ଟଙ୍କା ଅଧିକ ଖର୍ଚ୍ଚ କରାଯାଇଥିବାରୁ ଏହାକୁ ନେଇ ମଧ୍ୟ ଅଡିଟ୍ ଟିମ୍ ଆପତ୍ତି ଉଠାଇଛନ୍ତି।