ଆର୍ମି ଏୟାର ଡିଫେନ୍ସ ସେଣ୍ଟରକୁ ସମ୍ମାନଜନକ ‘କଲର୍‌ ଆୱାର୍ଡ଼’ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ବ୍ରହ୍ମପୁର/ଭୁବନେଶ୍ବର : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଆର୍ମି ଏୟାର ଡିଫେନ୍ସ ସେଣ୍ଟରରେ‘କଲର୍‌ ଆୱାର୍ଡ଼’ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ସେଠାରେ ସେ ଦୀକ୍ଷାନ୍ତ ଉତ୍ସବ ପରେଡ୍‌ରେ ଯୋଗ ଦେଇ  ଅଭିବାଦନ ଗ୍ରହଣ କରିଛନ୍ତି। ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଦ୍‌ବୋଧନ ଦେଇଛନ୍ତି। ସେ କହିଛନ୍ତି, ‘ଗୋଳାବନ୍ଧ ଆର୍ମି ଏଡି ସେଣ୍ଟରକୁ ଏହା ମୋର ପ୍ରଥମ ଗସ୍ତ। ଏଠାକୁ ଆସି ଖୁସି ଲାଗୁଛି।’  ଭାରତୀୟ ସେନାଙ୍କ କାର୍ଯ୍ୟଧାରା ପ୍ରଶଂସନୀୟ ବୋଲି ବି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।


୨୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉଲ୍ଲେଖନୀୟ ସେବା ପାଇଁ ଏହି ସେଣ୍ଟର୍‌କୁ ରାଷ୍ଟ୍ରପତି ସମ୍ମାନଜନକ ‘କଲର୍‌ ଆୱାର୍ଡ’ ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ବ୍ୟତୀତ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥଳ ସେନା ମୁଖ୍ୟ ବିପିନ ରାୱତ ପ୍ରମୁଖ ମଧ୍ୟ ଉପସ୍ଥିତ ଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଗତକାଲି ଅପରାହ୍ନ ୨ଟା ୩୦ରେ ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନ ‘ରାଜକମଲ୍‌’ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ତାଙ୍କ ସହଧର୍ମିଣୀ ସବିତା କୋବିନ୍ଦ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୁଲିସ ଡିଜି ବିଜୟ କୁମାର ଶର୍ମା, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ପ୍ରମୁଖ ସ୍ୱାଗତ କରିଥିଲେ। ଅପରାହ୍ନ ୨ଟା ୫୫ରେ ରାଷ୍ଟ୍ରପତି ବାୟୁସେନାର ହେଲିକପ୍ଟରରେ ଗୋଳାବନ୍ଧ ଅଭିମୁଖେ ବାହାରିଥିଲେ। ରାଷ୍ଟ୍ରପତିଙ୍କ ସହ ତାଙ୍କ ସହଧର୍ମିଣୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଅପରାହ୍ନ ୩ଟା ୩୫ରେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍‌ରେ ପହଞ୍ଚିଥିଲେ।

ଶୁକ୍ରବାର ଭୁବନେଶ୍ବର ବିମାନବନ୍ଦରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ବାଗତ କରୁଛନ୍ତି

ସେଠାରେ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଥିଲେ। ଏଥିସହ ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ଟି.ଆପାଙ୍ଗ ଆଓ, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଏବଂ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ ଏୟାରଷ୍ଟ୍ରିପ୍‌ରେ ସ୍ବାଗତ କରିଥିଲେ। ୩ଟା ୫୦ରେ ରାଷ୍ଟ୍ରପତି କାର୍‌ ଯୋଗେ ଗୋଳବନ୍ଧ ଆର୍ମି ଏଡି କଲେଜକୁ ଯାଇଥିଲେ। ବ୍ଲୁ ବୁକ୍‌ ଗାଇଡଲାଇନ ଅନୁଯାୟୀ ରାଷ୍ଟ୍ରପତିଙ୍କ ଲାଗି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ରାଷ୍ଟ୍ରପତିଙ୍କ କାରକେଡ୍‌ରେ ୨୭ଟି ଧଳା ଇନୋଭା ସାମିଲ ହୋଇଥିଲା।

 

ସମ୍ବନ୍ଧିତ ଖବର