ହାତରୁ ଖସିଗଲା ଗୋଣ୍ଡୱାନା! ଇଣ୍ଟର୍‌ସିଟି ପାଇଁ ତାରିଖ ନିର୍ଦ୍ଧାରଣ ‌ହୋଇନି

ସମ୍ବଲପୁର: ବହୁ ଦିନରୁ ଦାବି ହୋଇ ଆସୁଥିବା ସମ୍ବଲପୁର-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌କୁ ପୁଣି ଚଳାଇବା ପାଇଁ ରେଳ ବିଭାଗ ବିଚାର କରୁଛି। ତେବେ ଏହା କେତେ ତାରିଖରୁ ଚାଲିବ ସେନେଇ ଏପର୍ଯ୍ୟନ୍ତ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ। କିନ୍ତୁ ସମ୍ବଲପୁରକୁ ମିଳିଥିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ କିନ୍ତୁ ଅଞ୍ଚଳବାସୀ ସ୍ଥାୟୀ ଭାବେ ହରାଇଛନ୍ତି। ରେଳ ବିଭାଗର ହେୟ ଭାବ କାରଣରୁ ସମ୍ବଲପୁରରୁ ସିଧାସଳଖ ରାଜଧାନୀ ଦିଲ୍ଲୀକୁ ଯୋଡ଼ୁଥିବା ଆଉ ଏକ ରେଳ ସଂଯୋଗ ହାତଛଡ଼ା ହୋଇ ଯାଇଛି। ରାୟଗଡ଼-ହଜରତ୍‌ ନିଜାମୁଦ୍ଦିନ-ରାୟଗଡ଼ (୧୨୪୦୯/୧୨୪୧୦) ‌ଗୋଣ୍ଡୱାନା ଏକ୍ସପ୍ରେସ୍‌କୁ ୨୦୧୯ ମସିହା ମାର୍ଚ୍ଚ ମାସରେ ସମ୍ବଲପୁର ପର୍ଯ୍ୟନ୍ତ ସଂପ୍ରସାରିତ କରା ଯାଇଥିଲା।

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ପଶ୍ଚିମ ଓଡ଼ିଶା, ବିଶେଷ କରି ଅବିଭକ୍ତ ସମ୍ବଲପୁର ଜିଲ୍ଲାବାସୀଙ୍କୁ ଦିଲ୍ଲୀ ପର୍ଯ୍ୟନ୍ତ ଆଉ ଏକ ଟ୍ରେନ୍‌ର ଲୋଭ ଦେଖାଇଥିଲେ। ହେଲେ ନିର୍ବାଚନ ଆଚରଣବିଧି କାରଣରୁ ଏହି ଟ୍ରେନ୍‌ ଗୋଣ୍ଡୱାନା ନାମରେ ନଚ‌ାଲି ସମ୍ବଲପୁରରୁ ରାୟଗଡ଼ ପର୍ଯ୍ୟନ୍ତ ଭିନ୍ନ ନମ୍ବରରେ ଏକ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଚାଲିବ ଓ ନିର୍ବାଚନ ପରେ ଏହାକୁ ନିୟମିତ ସମ୍ବଲପୁର-ନିଜାମୁଦ୍ଦିନ ଗୋଣ୍ଡୱାନା ଏକ୍ସପ୍ରେସ୍‌ କରାଯିବ ବୋଲି ସେତେବେଳେ ରେଳବାଇ ପକ୍ଷରୁ ସଫେଇ ଦିଆ ଯାଇଥିଲା। ଏହି ଟ୍ରେନ୍‌ ବଡ଼ି ଭୋର୍‌ରୁ ରାୟଗଡ଼ ଛାଡ଼ୁଥିବାରୁ ସ୍ବତନ୍ତ୍ର ଟ୍ରେନ୍‌ର ସମ୍ବଲପୁର ଛାଡ଼ିବା ସମୟ ମଧ୍ୟରାତ୍ରି ୧୨ଟା ରଖାଗଲା। ଗାଡ଼ିଟି ସଂପର୍କରେ ସମ୍ବଲପୁର ଲୋକ ଭଲଭାବେ ବୁଝିବା ଭଳି କୌଣସି ବିଜ୍ଞାପନ ପ୍ରକାଶ କରାଗଲା ନାହିଁ। ତାକୁ ପୁଣି ରାୟଗଡ଼ ଷ୍ଟେସନ୍‌ରେ ବହୁ ସମୟ ଅଟକାଇ ରଖିବା ପରେ ନମ୍ବର ବଦଳାଇ ଦିଲ୍ଲୀ ଅଭିମୁଖେ ଛଡ଼ା ଯାଉଥିଲା। ଏହି କାରଣରୁ ସେତେବେଳେ ଉକ୍ତ ଟ୍ରେନ୍‌ରେ ସମ୍ବଲପୁରରୁ ଯାତ୍ରୀ ସଂଖ୍ୟା କିଛିଟା କମ୍ ରହିଲା।

ତାକୁ ବାହାନା ଦେଖାଇ ନିର୍ବାଚନ ପରେ ବି ସ୍ବତନ୍ତ୍ର ଟ୍ରେନ୍‌କୁ ନିୟମିତ କରାଗଲା ନାହିଁ। ଗାଡ଼ିଟିକୁ ସେମିତି ସମ୍ବଲପୁର-ରାୟଗଡ଼ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ଚଳାଗଲା ଓ ଗୋଣ୍ଡୱାନା ନାମ ଦିଆଗଲା ନାହିଁ। ଲୋକେ ଜାଣି ପାରିଲେ ନାହିଁ ଯେ ମଧ୍ୟରାତ୍ରିରେ  ଛାଡ଼ୁଥିବା ଏହି ଟ୍ରେନ୍‌ଟି ୧୧୮ କିଲୋମିଟର୍‌ ଦୂରରେ ଥିବା ଓ ଅଢ଼େଇ ଘଣ୍ଟାରୁ କମ୍‌ ସମୟ ଲାଗୁଥିବା ରାୟଗଡ଼ ନୁହେଁ ଦେଶର ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ଯାଉଛି। ଏମିତି ପ୍ରାୟ ବର୍ଷେ ଚାଲିବା ପରେ ୨୦୨୦ରେ ଫେବ୍ରୁଆରି ୨୮ ତାରିଖରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଏକ ମାସ ପାଇଁ ନିରାପତ୍ତା ଜନିତ ଆଧୁନିକୀକରଣ କାର୍ଯ୍ୟ ନିମନ୍ତେ ସମ୍ବଲପୁର-ରାୟଗଡ଼ ସ୍ବତନ୍ତ୍ର ଟ୍ରେନ୍‌ଟିକୁ ଉଭୟ ଦିଗରୁ ବାତିଲ କରା ଯାଇଥିଲା। ଏହି ବାତିଲ ମିଆଦ ପୂରିବା ପୂର୍ବରୁ ମାଡ଼ି ଆସିଲା କରୋନା।

ଅନ୍ୟ ସବୁ ଗାଡ଼ି ଭଳି ଗୋଣ୍ଡୱାନା ଏକ୍ସପ୍ରେସ୍‌ ବି ବନ୍ଦ ହୋଇଗଲା। କରୋନା ପ୍ରକୋପ କମିବା ପରେ ପର୍ଯ୍ୟାୟ କ୍ରମେ ଅନ୍ୟ ସବୁ ଟ୍ରେନ୍‌ ଚାଲିବା ସହ ଗୋଣ୍ଡୱାନା ବି ଚାଲିଲା। କିନ୍ତୁ ଏହା ଆଉ ସମ୍ବଲପୁର ଆସିଲା ନାହିଁ। ପୂର୍ବ ଭଳି ରାୟଗଡ଼ରୁ ନିଜାମୁଦ୍ଦିନ ଯାଏ ଚାଲିଲା। ସମ୍ବଲପୁରରୁ ରାୟଗଡ଼ ପର୍ଯ୍ୟନ୍ତ ସ୍ବତନ୍ତ୍ର ଟ୍ରେନ୍‌ ଭାବେ ବି ଚଳାଗଲା ନାହିଁ। ଏହି ଟ୍ରେନ୍‌ର ସମ୍ବଲପୁର ପର୍ଯ୍ୟନ୍ତ ସଂପ୍ରସାରଣକୁ ଅବ୍ୟାହତ ରଖିବା ନେଇ ପୂର୍ବତଟ ରେଳବାଇ ବା ସମ୍ବଲପୁର ରେଳ ମଣ୍ଡଳ କର୍ତ୍ତୃପକ୍ଷ କୌଣସି ଉଦ୍ୟମ କଲେ ନାହିଁ। ଫଳରେ ସମ୍ବଲପୁରରୁ ଦିଲ୍ଲୀ ପର୍ଯ୍ୟନ୍ତ ଆରମ୍ଭ ହୋଇ ସାରିଥିବା ଏକ ଦୈନିକ ଏକ୍ସପ୍ରେସ୍‌ ହାତରୁ ଖସିଗଲା। ଏ ସଂପର୍କରେ ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷଙ୍କ କହିବା ହେଲା ଯାତ୍ରୀ ସଂଖ୍ୟା କମ୍ ହେବାରୁ ଏହାର ସଂପ୍ରସାରଣକୁ କର୍ତ୍ତୃପକ୍ଷ ସ୍ଥଗିତ ରଖିଛନ୍ତି। ଏହା ରେଳବାଇ ‌ବୋର୍ଡର ନିଷ୍ପତ୍ତି ହୋଇଥିବାରୁ ଏଥିରେ ଆମେ କିଛି କରିପାରିବୁ ନାହିଁ। ସମ୍ବଲପୁର-ପୁରୀ ଇଣ୍ଟରସିଟି ଚାଲିବା ନେଇ ବି କୌଣସି ବିଜ୍ଞପ୍ତି ପ୍ରକାଶ ବା ତାରିଖ ନିର୍ଦ୍ଧାରଣ ହୋଇ ନଥିବା ରେଳବାଇ ପକ୍ଷରୁ କହାଯାଇଛି।

ସମ୍ବନ୍ଧିତ ଖବର