ବରଗଡ଼: ବରଗଡ଼ର ନୂଆ ଏସ୍ପି ଭାବେ ପ୍ରହଲ୍ଲାଦ ସାହାନି ମୀନା ଯୋଗ ଦେବେ। ଏନେଇ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇ ସାରିିଛି। ଏଠାରେ ଅବସ୍ଥାପିତ ଥିବା ଏସ୍ପି ପରମାର ସ୍ମିତ ପୁରୁଷୋତ୍ତମ ଦାସଙ୍କୁ ଝାରସୁଗୁଡ଼ା ଏସ୍ପି ଭାବେ ବଦଳି ହୋଇଛି। ଶ୍ରୀ ପରମାର ବରଗଡ଼ରେ ବର୍ଷେ ବି ଦାୟିତ୍ବରେ ରହି ପାରିଲେନି। ଜିଲ୍ଲାର ଆପରାଧିକ କାର୍ଯ୍ୟକଳାପ ଜାଣିବା ପୂର୍ବରୁ ହିଁ ତାଙ୍କ ବଦଳି ହୋଇଯାଇଛି। ତାଙ୍କ କାର୍ଯ୍ୟକାଳରେ ପୁଲିସ୍ ସେଭଳି ବଡ଼ଧରଣର କିଛି ଉପଲବ୍ଧି ହାସଲ କରିପାରିଲା ନାହିଁ। ବରଂ ବିଭିନ୍ନ କାରଣରୁ ପୁଲିସ୍ ଅପବାଦ ମୁଣ୍ଡାଇଲା। ବିଶେଷ କରି ସାମ୍ବାଦିକଙ୍କୁ ମାଡ଼ ଘଟଣାରେ ପୁଲିସ୍ ବଦନାମ୍ ହୋଇଗଲା। ନିଶା କାରବାରରେ ରୋକ୍, ପୁଲିସ୍ର ଦବଂଗଗିରି ଏବଂ ଏଏସ୍ଆଇଙ୍କ ଗାଡ଼ି ଚୋରି ମାମଲାରେ ତାଙ୍କର ପଦକ୍ଷେପ ନୈରାଶ୍ୟଜନକ ରହିଥିଲା।
ଅଭିଯୁକ୍ତ ପୁଲିସ୍ ଅଧିକାରୀଙ୍କ ବିରୋଧରେ ତାଙ୍କ ଅମଳରେ କିଛି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ। ଟାଉନ୍ ଥାନା ହାଜତ ମୃତ୍ୟୁ ଘଟଣା ବର୍ତମାନ ଯାଏଁ ଏକ ପ୍ରହେଳିକା ହୋଇ ରହିଛି। ଶ୍ରୀ ପରମାରଙ୍କ କାର୍ଯ୍ୟକାଳ ଭିତରେ ଏହା ଅଣଦେଖା ହୋଇ ରହିଲା। ସେହିପରି ଭେଡ଼େନ୍ ବ୍ଲକ୍ ଜାଣ୍ଡୋଲ ଗଣଆତ୍ମହତ୍ୟା ଘଟଣା ଉପରୁ ବି ପୁଲିସ୍ ରହସ୍ୟର ପରଦା ଉଠାଇ ପାରିଲା ନାହିଁ। ବରଗଡ଼ ସହରରେ କ୍ରମାଗତ ଛିନ୍ତାଇ ଏବଂ ଚୋରି ଘଟଣା ପୁଲିସ୍ର ପାରିବାପଣିଆ ପଦାରେ ପକାଇଛି। ନୂଆ ଏସ୍ପି ପୁଲିସ୍ ଉପରେ ଲାଗିଥିବା କଳଂକ ଧୋଇପାରିବେ କି ବୋଲି ଏବେଠୁ ଚର୍ଚ୍ଚା ହେଉଛି। ନୂଆ ଏସ୍ପି ଜିଲ୍ଲାର ଆଇନ୍ଶୃଙ୍ଖଳା ପରିସ୍ଥିତିକୁ କିଭଳି ନିୟନ୍ତ୍ରଣକୁ ଆଣିବେ, ତାହା ସମସ୍ତଙ୍କ ନଜରରେ ରହିବ। ବିଦାୟୀ ଏସ୍ପିଙ୍କ ଅବଧିରେ ନିଶା କାରବାର ଏବଂ ସୀମାନ୍ତରେ ମାଫିଆରାଜ୍ ଉପରେ ଲଗାମ ଲାଗି ପାରିନଥିଲା। ମଦଠାରୁ ଆରମ୍ଭ କରି ଅସ୍ତ୍ରଶସ୍ତ୍ର ଚାଲାଣ ରାକେଟ୍ର ମାଷ୍ଟର୍ମାଇଣ୍ଡ ପୁଲିସ୍ ହାତରେ ଲାଗିନଥିଲେ। ଇତିମଧ୍ୟରେ ସହରାଞ୍ଚଳରେ ଗୁଡ଼ାଏ ଲୁଟ୍ ଏବଂ ଆପରାଧିକ କାର୍ଯ୍ୟକଳାପ ଘଟିଛି। ଏହି ଦୈନନ୍ଦିନ ଅପରାଧ ନିୟନ୍ତ୍ରଣ ପାଇଁ ନୂଆ ଏସ୍ପି କେଉଁ ପଦକ୍ଷେପ ନେବେ, ତାହା ଦେଖିବାକୁ ବାକି ରହିଲା। ସେହିପରି ମାଓ ଗତିବିଧି ନେଇ ନୂଆ ଏସ୍ପି କିଭଳି ରଣନୀତି ଗ୍ରହଣ କରୁଛନ୍ତି, ତାହା ଲୋକେ ଅପେକ୍ଷା କରିବା ନିଶ୍ଚିତ।