ଗୁଡ ଫ୍ରାଇଡେରେ ଖାଁ ଖାଁ ଚର୍ଚ୍ଚ ପରିସର, ଘରେ ରହି ଯୀଶୁଙ୍କୁ ପ୍ରାର୍ଥନା କଲେ ଶ୍ରଦ୍ଧାଳୁ

ବାଲେଶ୍ବର: ଆଜି ଥିଲା ପ୍ରଭୁ ଯୀଶୁଙ୍କ ବଳିଦାନ ଦିବସ ହେଉଛି। ସାରା ବିଶ୍ବ ଏହି ଦିବସଟିକୁ ଗୁଡଫ୍ରାଇଡେ ଭାବେ ପାଳନ କରିଥାନ୍ତି। ତେବେ କରୋନା ପାଇଁ ଲଗାଯାଇଥିବା ଲଗଡାଉନ କଟକଣା ଯୋଗୁଁ ବାଲେଶ୍ବର ସହରରେ ଚଳିତଥର ଫିକା ପଡ଼ିଯାଇଛି ଏହି ପର୍ବ। ସହରର ଦୁଇ ପ୍ରମୁଖ ରୋମାନ୍‌ କ୍ୟାଥ୍‌ଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚରେ ତାଲା ଝୁଲୁଥିବା ଦେଖାଯାଇଥିଲା। କୌଣସି ଶ୍ରଦ୍ଧାଳୁ ଚର୍ଚ୍ଚ ପରିସରକୁ ପ୍ରାର୍ଥନା କରିବାକୁ ଆସିନଥିଲେ। ତେବେ ପ୍ରତିବର୍ଷ ସମୂହ ପ୍ରାର୍ଥନା ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଏକତ୍ରିତ ହେଉଥିବା ବେଳେ କରୋନା କଟକଣା ଯୋଗୁଁ ସମସ୍ତେ ନିଜ ନିଜ ଘରେ ରହି ଯୀଶୁଙ୍କୁ ସ୍ମରଣ କରିଥିବା ଦେଖାଯାଇଛି।

ବାଲେଶ୍ବର ସହରରେ ୩ଶହରୁ ସାଢ଼େ ୩ଶହ ଖ୍ରୀଷ୍ଟ ଧର୍ମାମ୍ବଲମ୍ବୀ ପରିବାର ଅଛନ୍ତି। ପବିତ୍ର ଗୁଡଫ୍ରାଇଡେ ଅବସରରେ ପ୍ରତିବର୍ଷ ସହରର କ୍ୟାଥଲିକ୍‌ ଓ ବାପଟିଷ୍ଟ ଚର୍ଚ୍ଚକୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଯୀଶୁଙ୍କ ଉଦ୍ଦେଶ୍ୟରେ ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥାଏ। ହେଲେ ଚଳିତବର୍ଷ କରୋନା ସଂକ୍ରମଣ ବ୍ୟାପିଥିବାରୁ ଧର୍ମାନୁଷ୍ଠାନଗୁଡ଼ିକରେ ହେଉଥିବା ସମାବେଶ ଉପରେ କଟକଣା ଲଗାଯାଇଛି। ଆଜି ଗୁଡ୍‌ଫ୍ରାଇଡେ ଅବସରରେ ଅପରାହ୍ନ ୩ଟା ବେଳେ ସହରର ଗୋପାଳଗାଁ ଅଞ୍ଚଳରେ ରହୁଥିବା ଖ୍ରୀଷ୍ଟିଆନ ପରିବା‌ର ନିଜ ନିଜ ଘର ଅଗଣା ଓ ଛାତ ଉପରେ ସାମାଜିକ ଦୂରତ୍ବ ନିୟମ ଅବଲମ୍ବନ କରି ଯୀଶୁଙ୍କୁ ପ୍ରାର୍ଥନା କରିଥିଲେ। ସାରା ବିଶ୍ବବାସୀଙ୍କୁ ଏଭିଳି ସଙ୍କଟମୟ ସ୍ଥିତିରୁ ଉଦ୍ଧାର କରିବାକୁ ପ୍ରଭୁ ଯୀଶୁଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା। ସେହିପରି ଶନିବାର ରାତି ୧୧ଟା‌େର ସମସ୍ତେ ନିଜ ନିଜ ଛାତ ଉପରକୁ ଯାଇ ମହମବତୀ ଜଳାଇ ଯୀଶୁଙ୍କୁ ସ୍ମରଣ କରାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର