ଭୁବନେଶ୍ବର : ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡିର ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ଯେ ଏହା ଝାରସୁଗୁଡ଼ାବାସୀଙ୍କର ବିଜୟ। ମହିଳା ଶକ୍ତିର ବିଜୟ। ଏଥିପାଇଁ ଝାରସୁଗୁଡ଼ାବାସୀଙ୍କ ନିକଟରେ ମୁଁ ଋଣୀ, ବିଜେଡି ଋଣୀ। ଆମ ଦଳର ଲକ୍ଷଲକ୍ଷ କର୍ମୀ, ଭାଇ ଓ ଭଉଣୀଙ୍କୁ ଏ ବିଜୟ ପାଇଁ ଧନ୍ୟବାଦ। ଏ ଖରା, ଗରମରେ
ସେମାନଙ୍କ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଉଛି। ମୁଁ ଆଜି କଥା ଦେଉଛି, ଝାରସୁଗୁଡ଼ା ଅଞ୍ଚଳର ଉନ୍ନତି ପାଇଁ ବିଜେଡି ତା’ର ଉଦ୍ୟମକୁ ଆହୁରି ଜୋରଦାର କରିବ। ଝାରସୁଗୁଡ଼ା ପାଇଁ ନବ ବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ।
ଶଙ୍ଖ ଭବନରେ ଆୟୋଜିତ ବିଜୟ ଉତ୍ସବରେ ଯୋଗଦେଇ ନବୀନ ଦଳୀୟ ନେତା, କର୍ମୀଙ୍କୁ ସମ୍ବୋଧନ କରିବା ଅବସରରେ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ, ସିଙ୍ଗଲ ଇଞ୍ଜିନ ଓ ଡବଲ୍ ଇଞ୍ଜିନ ଗୁରୁତ୍ବପୂର୍ଣ୍ଣ ନୁହେଁ। ଲୋକଙ୍କ ଦୃଷ୍ଟିକୋଣରୁ ସରକାର ଗୁରୁତ୍ବପୂର୍ଣ୍ଣ। େଲାକାଭିମୁଖୀ ଶାସନ, ସୁଶାସନ ସବୁବେଳେ ଜିତେ। ଯେଉଁମାନେ ଓଡ଼ିଶାବାସୀଙ୍କୁ ଲ’ ଲେସ୍ କହି ଅପମାନିତ କରୁଛନ୍ତି, ସେମାନେ ଆମ ରାଜ୍ୟ ବିରୋଧରେ କାମ କରୁଛନ୍ତି। ଯେଉଁମାନେ ଆମ ଭଉଣୀ, ମା’ ଓ ଝିଅମାନଙ୍କୁ ଅସମ୍ମାନ କରୁଛନ୍ତି, ସେମାନେ ଲୋକଙ୍କ ବିରୋଧରେ କାମ କରୁଛନ୍ତି। ସେମାନଙ୍କୁ ଓଡ଼ିଶାର ଲୋକେ କ୍ଷମା ଦେବେନି।
ଶ୍ରୀ ପଟ୍ଟନାୟକ କହିିଲେ, ପଦ୍ମପୁର ଉପନିର୍ବାଚନ ବେଳେ ବିରୋଧୀ ଦଳ ଆମର ମା’ ମାନଙ୍କୁ ଅସମ୍ମାନ କରିଥିଲେ। ପଦ୍ମପୁରରେ ଆମର ମହିଳା ପ୍ରାର୍ଥୀଙ୍କୁ ଖରାପ ଭାଷାରେ ଗାଳି କରୁଥିଲେ। ପଦ୍ମପୁର ହେଉ ବା ଝାରସୁଗୁଡ଼ା ସବୁଠାରେ ସେମାନେ ବାପାଙ୍କୁ ହରେଇଥିବା ଝିଅମାନଙ୍କୁ ଗାଳି କରିଛନ୍ତି। ପ୍ରତ୍ୟେକ ଉପନିର୍ବାଚନରେ ସେମାନେ ମିସନ ଶକ୍ତିର ନେତ୍ରୀ ତଥା ତୃଣମୂଳସ୍ତରରେ କାମ କରୁଥିବା ମା’ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି। ଇତିହାସ ସାକ୍ଷୀ, ଓଡ଼ିଶାବାସୀ କେବେବି ମା’ ମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରିନାହାନ୍ତି। ଆମର ଝିଅମାନେ ଆମର ଗର୍ବ।
ବିଜେଡି ସବୁବେଳେ ସର୍ବସାଧାରଣରେ ମା’ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି। ସେମାନଙ୍କ ଅଧିକାର ପାଇଁ, ଦୃଢ଼ ଭାବେ ସେମାନଙ୍କ କଥା କହିବା ପାଇଁ ମିସନ ଶକ୍ତି ଭଳି ପ୍ଲାଟଫର୍ମ ଯୋଗାଇ ଦେଇଛି। ହାଣ୍ଡିଶାଳ ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି ମିସନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି। ମିସନ ଶକ୍ତି ଏହି ଆଦର୍ଶରେ ବିଶ୍ବାସ କରେ। ବିରୋଧୀ ଦଳ ସବୁବେଳେ ମା’ ମାନଙ୍କ ସଶକ୍ତୀକରଣକୁ ବିରୋଧ କରି ଆସୁଛି। ଏହା ଏକ ବିପଦଜନକ ପ୍ରଥା। ଓଡ଼ିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି, ପ୍ରତ୍ୟାଖାନ କରିଛନ୍ତି। ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓଡ଼ିଶାର ଉନ୍ନତି ପାଇଁ, ଆମ ଗଣତନ୍ତ୍ର ମୂଲ୍ୟବୋଧ ଏବଂ ଆମ ସଂସ୍କୃତିର ମର୍ଯ୍ୟଦା, ମା’ ମାନଙ୍କ ସମ୍ମାନ, ମା’ ମାନଙ୍କ ଅଧିକାରର ସୁରକ୍ଷା ପାଇଁ କାମ କରିଚାଲିବା ବୋଲି ନବୀନ କହିଥିଲେ।
ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିଜୟ ଉତ୍ସବରେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇଥିଲେ। ଦୀପାଳି ଦାସ ଝାରସୁଗୁଡ଼ାରୁ ଭିଡିଓ କନଫରେନ୍ସିଂରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତାଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ ଯେ ଏ ବିଜୟ ଝାରସୁଗୁଡ଼ାବାସୀଙ୍କର, ବିଜେଡିର, ନବୀନ ପଟ୍ଟନାୟକଙ୍କର ଏବଂ ତାଙ୍କ ବାପା ନବ ଦାସଙ୍କର। ଝାରସୁଗୁଡ଼ାର ବିକାଶ ଆଗକୁ ବଢ଼ାଇବା ପାଇଁ ସେ କାର୍ଯ୍ୟ କରିବେ। ବିଧାୟକ ସାରଦା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।