ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀଙ୍କର ରାଜ୍ୟ ସରକାରଙ୍କୁ ପ୍ରଶ୍ନ: କାଳିଆ ଟଙ୍କା କୁଆଡ଼େ ଗଲା?

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଆସିଥିବା ବିଜେପି ପ୍ରଭାରୀ ପୁରନ୍ଦେଶ୍ୱରୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟର ଆଇନଶୃଙ୍ଖଳାଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ସବୁ ପ୍ରତିଶ୍ରୁତିର କଡ଼ା ଗଣ୍ଡା ହିସାବ ମାଗିଛନ୍ତି ବିଜେପି ପ୍ରଭାରୀ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୁରନ୍ଦେଶ୍ୱରୀ । ସେ ଓଡ଼ିଶାରେ ବିଜେଡି ୨୦ ବର୍ଷ ଧରି ସୁଶାସନ ନାମରେ କୁଶାସନ ଚଳାଇଥିବା କହିଛନ୍ତି।

ସେ କହିଛନ୍ତି କି ରାଜ୍ୟ ସରକାର ଗରିବ ଲୋକମାନଙ୍କର ମଙ୍ଗଳ ଚାହୁଁ ନାହାନ୍ତି। ରାଜ୍ୟ ସରକାର ଯଦି ଗରିବଙ୍କ ମଙ୍ଗଳ ଚାହୁଁଥାନ୍ତେ, ତାହେଲେ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ପ୍ରଣୟନ କରିଥାନ୍ତେ । ଅନ୍ୟପଟେ ରାଜ୍ୟ ସରକାର ୧୦ ବର୍ଷ ହେବ ସମସ୍ତ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇ ଚାଲିଥିବା ବେଳେ ଆଜି ଯାଏଁ ସରକାର କେତେ ପ୍ରତିଶତ ଲୋକଙ୍କ ପାଖରେ ପାନୀୟ ଜଳ ପହଞ୍ଚାଇଛନ୍ତି ତାହା କେବଳ ରାଜ୍ୟବାସୀ କହିବେ। ରାଜ୍ୟରେ ଏବେ ଯାଏ ୧୨୫୦ ଗ୍ରାମରେ ନଳକୂପର ବ୍ୟବସ୍ଥା ନଥିବା ଅଭିଯୋଗ କରିଛନ୍ତି ପୁରନ୍ଦେଶ୍ୱରୀ ।

ଏହାସହ ରାଜ୍ୟ ସରକାର ୨୦୧୪ ମସିହାରେ ରାଜ୍ୟର ସମସ୍ତ ଗରିବ ପରିବାରକୁ ଯେଉଁ ପକ୍କାଘର ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ତାହା ୨୦୧୯ ସୁଦ୍ଧା ତାହା ପୂରଣ ହୋଇପାରିଲା ନାହିଁ। ଗ୍ରାମାଞ୍ଚଳରେ ପାଖାପାଖି ୨ ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ଏପର୍ଯ୍ୟନ୍ତ ପକ୍କାଘର ଯୋଗାଇବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । କୃଷି ସମସ୍ୟା ନେଇ ବି ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଥିଲେ କି କୃଷକମାନଙ୍କର ମଙ୍ଗଳ ପାଇଁ କେନ୍ଦ୍ର ସରକାର ନୂଆ କୃଷି ବିଲ୍ ଆଣିଛନ୍ତି ଯାହାକି କୃଷକ ମାନଙ୍କର ଆର୍ଥିକ ମାନଦଣ୍ଡରେ ସୁଧାର ଆଣିବ। ହେଲେ ରାଜ୍ୟ ସରକାର ଭୋଟ ବ୍ୟାଙ୍କ ଲୋଭରେ ଏଠି ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି ।

କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିଷାନ୍ ସମ୍ମାନ ନିଧି ଯୋଜନାରେ ପ୍ରତିବର୍ଷ କୃଷକମାନଙ୍କ ଖାତାକୁ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି । ହେଲେ ରାଜ୍ୟ ସରକାର ନିର୍ବାଚନ ସମୟରେ ଚାଷୀମାନଙ୍କ ଭୋଟ ହାତେଇବାକୁ ଯେଉଁ କାଳିଆ ଯୋଜନା ପ୍ରଣୟନ କରିଥିଲେ ତାହା ଏବେ ବଳବତ୍ତର ରହିଛି କି ? ଏହି ଯୋଜନାରେ କୃଷକମାନେ ବାର୍ଷିକ ୧୦ ହଜାର ଟଙ୍କା ପାଉଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। କାଳିଆ ଟଙ୍କା କୁଆଡ଼େ ଗଲା ବୋଲି ବି ସେ ପ୍ରଶ୍ନ କରିଛନ୍ତି।

ସେହିଭଳି ରାଜ୍ୟସରକାର ତାଙ୍କ ଶାସନ କାଳରେ କେତେ ହେକ୍ଟର ଜମିକୁ ଜଳ ଯୋଗାଣର ବ୍ୟବସ୍ଥା କରିଛନ୍ତି ତାହାର ହିସାବ ମାଗିଛନ୍ତି ଓଡିଶା ପ୍ରଭାରୀ । ଆଇନ ଶୃଙ୍ଖଳାକୁ ନେଇ ବି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ରାଜ୍ୟରେ ମହିଳାମାନଙ୍କ ଉପରେ ଯେଭଳି ଅତ୍ୟାଚାର ଚାଲିଛି। ମହିଳା ଓ ଶିଶୁମାନେ ଯେଭଳି ନିଖୋଜ ହୋଇଯାଉଛନ୍ତି ସେଥିରୁ ରାଜ୍ୟ ସରକାରଙ୍କ ଆଇନ ଶୃଙ୍ଖଳା ପରିସ୍ଥିତି ପଦାରେ ପଡ଼ିଛି । ଅନ୍ୟପଟେ ନୟାଗଡ଼ର ପରି ହତ୍ୟାକାଣ୍ଡକୁ ନେଇ ସେ କହିଥିଲେ କି ରାଜ୍ୟର ୪.୫ କୋଟି ଲୋକଙ୍କ ଭିତରେ କ’ଣ ପରୀର ବାପାମାଆ ନୁହନ୍ତି କି। ଏହା ସହ ଏହି ମାମଲାରେ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କୁ ବି ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି କି ଏହି ମାମଲାରେ ସିଧାସଳଖ ଅରୁଣ ସାହୁଙ୍କ ସହଯୋଗ ରହିଛି । ହତ୍ୟାକାରୀକୁ ଅରୁଣ ସାହୁ ସୁରକ୍ଷା ଦେଉଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ଏପର୍ଯ୍ୟନ୍ତ ଅରୁଣ ସାହୁଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି । ଏନେଇ ନବୀନ ପଟ୍ଟନାୟକଙ୍କୁ ଜବାବ୍ ଦେବାକୁ ହେବ ।

ଅନ୍ୟପଟେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କଥା ବି କହିଛନ୍ତି ପୁରନ୍ଦେଶ୍ୱରୀ । ସେ କହିଥିଲେ କି ରାଜ୍ୟ ସରକାରଙ୍କ ବିଧାୟକ ଥିବା ବେଳେ ଶହ ଶହ କୋଟି ଟଙ୍କାର ସଂପତ୍ତି ଠୁଳ କରିବା ଓ ଜଣେ ଲାଞ୍ଚଖୋର ଅଫିସର ଓ ତାଙ୍କ ପୁଅକୁ ସହାୟତା ଦେବା ଭଳି ଘଟଣା କେବେ ବି ରାଜ୍ୟ ସରକାରଙ୍କ ବିନା ସହଯୋଗରେ ହୋଇପାରିବ ନାହିଁ। ଚିଟଫଣ୍ଡ ବାବଦରେ ରାମଚନ୍ଦ୍ର ହାଁସଦା , କୋ-ଅପରେଟିଭ୍ ସ୍କାମରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଥା ବି ଉଠାଇଥିଲେ ଓଡ଼ିଶା ବିଜେପି ପ୍ରଭାରୀ। ପୁରନ୍ଦେଶ୍ୱରୀ ରାଜ୍ୟସରକାରଙ୍କ ବିରୋଧରେ ଏତେଗୁଡ଼ିଏ ସଂଗୀନ ଅଭିଯୋଗ ଆଣିଥିଲେ ବି ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଉପରେ କିଛି ପ୍ରତିକ୍ରିୟା ମିଳିପାରି ନାହିଁ ।

ସମ୍ବନ୍ଧିତ ଖବର