ଭୁବନେଶ୍ୱର: କେନ୍ଦ୍ର ପ୍ରଶାସନିକ ସଂସ୍କାର ଓ ଜନ ଅଭିଯୋଗ(ଡିଏଆରପିଜି) ବିଭାଗ ଏବଂ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ମିଳିତ ସହଯୋଗରେ ‘ଉତ୍ତମ ପ୍ରଶାସନିକ ଅଭ୍ୟାସ’ ଶୀର୍ଷକ ଦୁଇଦିନିଆ କର୍ମଶାଳା ଆଜି ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଲେ, ଲୋକ କୈନ୍ଦ୍ରିକ, ପ୍ରଯୁକ୍ତିବିଦ୍ୟା ପରିଚାଳିତ ଓ ଭବିଷ୍ୟତ ପାଇଁ ପ୍ରସ୍ତୁତ ପ୍ରଶାସନ ପ୍ରତି ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ରହିଛି। ସୁଶାସନ କିଛି ଲୋକଙ୍କ ବିଶେଷାଧିକାର ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ହକ୍ ଏବଂ ପ୍ରତି ସରକାରୀ କର୍ମଚାରୀଙ୍କ କର୍ତ୍ତବ୍ୟ। ରାଜ୍ୟ ବିପର୍ଯ୍ୟୟ ପ୍ରଶମନଠାରୁ ଆରମ୍ଭ କରି ସମାବେଶୀ ଅଭିବୃଦ୍ଧି ଏବଂ ନାଗରିକ ସେବାଠାରୁ ଆରମ୍ଭ କରି ତଥ୍ୟ ଆଧାରିତ ନିଷ୍ପତ୍ତି ଗ୍ରହଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏହାଦ୍ୱାରା ଶାସନ ଓ ଶାସିତଙ୍କ ମଧ୍ୟରେ ସମ୍ପର୍କକୁ ପୁନଃପରିଭାଷିତ କରାଯାଇଥିବା ସେ କହିଛନ୍ତି।
‘ଉତ୍ତମ ପ୍ରଶାସନିକ ଅଭ୍ୟାସ’ ଜାତୀୟ ସମ୍ମିଳନୀ ଉଦ୍ଘାଟିତ
୧୬୦୦ରୁ ଅଧିକ ପୁରୁଣା ଆଇନ ରଦ୍ଦ ହୋଇଛି: କେନ୍ଦ୍ରମନ୍ତ୍ରୀ
କେନ୍ଦ୍ର ବିଜ୍ଞାନ ଓ କାରିଗରୀ ତଥା ସାଧାରଣ ଅଭିଯୋଗ ମନ୍ତ୍ରୀ ଜିତେନ୍ଦ୍ର ସିଂ ଯୋଗଦେଇ କହିଲେ, ସ୍ୱାଧୀନତା ପରଠାରୁ ୪୧ଟି ସୁଶାସନ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାର୍ଯ୍ୟକାଳ ମଧ୍ୟରେ ୨୯ଟି ପ୍ରଭାବଶାଳୀ ସମ୍ମିଳନୀ ଆୟୋଜିତ ହୋଇଛି। ଏହା ବର୍ତ୍ତମାନ ଯୁଗରେ ପ୍ରଶାସନିକ ସଂସ୍କାରର ବ୍ୟାପକତା, ଗତି ଓ ଧାରାକୁ ପ୍ରତିଫଳିତ କରିଛି। ପୁରୁଣା ବ୍ୟବସ୍ଥା ବଦଳିବା ସହ ବହୁଦିନ ଧରି ଚାଲିଆସୁଥିବା ପରମ୍ପରାକୁ ବଦଳାଯାଇଛି। ତୃଣମୂଳ ସ୍ତରରେ ସେବା ପ୍ରଦାନରେ ଉନ୍ନତି ଆସିଛି ଏବଂ ନାଗରିକଙ୍କ ଜୀବନର ଗୁଣବତ୍ତା ବୃଦ୍ଧି ପାଇଛି। ଜନସାଧାରଣଙ୍କର ବ୍ୟବସ୍ଥା ପ୍ରତି ଆତ୍ମସମ୍ମାନ, ଆତ୍ମବିଶ୍ୱାସ ଓ ଭରସାର ଏକ ନୂତନ ଭାବନା ସୃଷ୍ଟି ହୋଇଛି। କେନ୍ଦ୍ରୀୟ ସାର୍ବଜନୀନ ଅଭିଯୋଗ ସମାଧାନ, ଅନୁଧ୍ୟାନ ପ୍ରଣାଳୀ, ଡିଜିଟାଲ୍ ଜୀବନ ପ୍ରମାଣପତ୍ର ଭଳି ଅନେକ ପଦକ୍ଷେପ ଅଭିନବ ପ୍ରଶାସନିକ ସଂସ୍କାରର ବିଶ୍ୱ ମଡେଲ ରୂପେ ବିକଶିତ ହୋଇଛି। ନବସୃଜନ ଓ ଡିଜିଟାଲ୍ ସଶକ୍ତୀକରଣ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ବଢ଼ିଛି। ପ୍ରଶାସନର ଏକ ପ୍ରମୁଖ ଲକ୍ଷଣ ହେଉଛି ଅତୀତର ‘ସ୍ଥିତାବସ୍ଥା’ ଆଭିମୁଖ୍ୟକୁ ନିର୍ଣ୍ଣାୟକ ଭାବେ ବଦଳାଇବ। ଫଳରେ ୧୬୦୦ରୁ ଅଧିକ ପୁରୁଣା ଓ ଅଚଳ ଆଇନକୁ ରଦ୍ଦ କରାଯାଇଛି। ଏହା ପ୍ରଶାସନିକ ବୋଝକୁ ଯଥେଷ୍ଟ ହ୍ରାସ କରିଛି। ଶାସନରେ ଅଧିକ ଦକ୍ଷତା ଏବଂ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିଛି ବୋଲି ସେ ଉଲ୍ଲେଖ କରିଥିଲେ।
ଡିଏଆର୍ପିଜି ସଚିବ ଭି. ଶ୍ରୀନିବାସ ଯୋଗଦେଇ ବିକଶିତ ଭାରତର ଦୃଷ୍ଟିକୋଣକୁ ସାକାର କରିବାକୁ ପ୍ରଶାସନିକ କର୍ମଚାରୀଙ୍କ ମଧ୍ୟରେ ପ୍ରତିବଦ୍ଧତା, ସହଯୋଗ ଓ ଦକ୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ଉପରେ ଗୁରୁତ୍ବାରୋପ କରିଥିଲେ। ଉଦ୍ଘାଟନୀ ଦିବସରେ ଦେଶର ୪୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। ଜାତୀୟ ଓ ରାଜ୍ୟ ସ୍ତରର ସାଧାରଣ ପ୍ରଶାସନ ନେତାମାନଙ୍କୁ ଗୋଟିଏ ସମନ୍ୱିତ ମଞ୍ଚରେ ଏକତ୍ର କରି ସହଯୋଗୀ ଶିକ୍ଷା ଓ ସଂସ୍ଥାଗତ ନବସୃଜନର ଭାବନାକୁ ପ୍ରୋତ୍ସାହିତ କରିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି। ଦୁଇ ଦିନିଆ ଏହି ସମ୍ମିଳନୀରେ ଅନୁଷ୍ଠିତ ହେବାକୁ ଥିବା ଏକାଧିକ ଅଧିବେଶନରେ ସାଧାରଣ ସେବା ପ୍ରଦାନ, ଡିଜିଟାଲ୍ ପ୍ରଶାସନ, ନାଗରିକ ସମ୍ପୃକ୍ତି ପରି ବିଭିନ୍ନ ବିଷୟରେ ଆଲୋଚନା ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/07/18/dagadgdagdagdg-2025-07-18-01-52-35.jpg)